ଲଘୁ ଖଣିଜର ବେଆଇନ ଚାଲାଣ, ବିପୁଳ ରାଜସ୍ବ ହାନି

ବରଗଡ଼ : ବରଗଡ ଜିଲାରେ ଲଘୁ ଖଣିଜର ବେଆଇନ ଚାଲାଣ ଏବେ ଲଘୁ ଉଦ୍ୟୋଗରେ ପରିଣତ ହେଲାଣି । ଅଭିଯୋଗ ଅନୁସାରେ ବାଲି ଓ ପଥରଖାଦାନ ଗୁଡିକର ବେଆଇନ ଲିଜ୍‌ ଏହାକୁ ପ୍ରଶ୍ରୟ ଦେଉଛି। ବିଭିନ୍ନ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ବରଗଡ଼ ଜିଲାର ପଦ୍ମପୁର ଅଞ୍ଚଳରେ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ବହୁ ମୁନାଫାଖୋର ବ୍ୟବସାୟୀ ଓ ମାଫିଆ ଏହି ବେଆଇନ କାରବାରରେ ଦୀର୍ଘ ଦିନରୁ ସକ୍ରିୟ ଅଛନ୍ତି।
ଉଦାହରଣ ସ୍ବରୂପ ପଦ୍ମପୁର ଉପଖଣ୍ଡ ଝାରବନ୍ଧ ତହସିଲ ଅନ୍ତର୍ଗତ ଲଉଡିଧରା ଗ୍ରାମରେ ୨.୫ ଏକର ଜମିରେ ଜନୈକ ବ୍ୟକ୍ତିଙ୍କୁ ତହସିଲ କାର୍ଯ୍ୟାଳୟ, ପତ୍ର ସଂଖ୍ୟା ୫୪୬/ ତା ୧୩.୩.୨୦୧୫ରେ ଏକ ଗ୍ରାନାଇଟ୍‌ ଖାଦାନରୁ ୫ବର୍ଷ ପାଇଁ ଖନନ ତଥା ଉତ୍ତୋଳନ ଅନୁମତି ଦିଆଯାଇଥିଲା। ଏହାର ଅବଧି ଗତ ଏପ୍ରିଲ ମାସରେ ସରିଯାଇଥିଲେ ମଧ୍ୟ ଅର୍ଥାତ ନିର୍ଦ୍ଧାରିତ ଅବଧି ପରେ ଆହୁରି ୧ମାସ ଯାଏ କୁଆଡ଼େ ଏଠାରୁ ଉତ୍ତୋଳନ ଜାରି ରହିଥିଲା ବୋଲି ଅଭିଯୋଗ ହୋଇଛି। ସେହିପରି ଉକ୍ତ ପଥର ଖାଦାନକୁ ଲାଗି ରହିଥିବା ଏକ କ୍ରସରକୁ ବନ୍ଦ କରି ଅନତି ଦୂରରେ ଆଉ ଏକ କ୍ରସର ପ୍ରତିଷ୍ଠା କରାଯାଇ ସେଠାରେ ପଥରକୁ ମେଟାଲ କରାଯାଇ କୁଆଡ଼େ ଚାଲାଣ କରାଯାଉ ଥିବା ନେଇ ମଧ୍ୟ ଅଭିଯୋଗ ହେଉଛି। ପୁଣି ଯେଉଁ ସ୍ଥାନରେ ଖାଦାନ ପାଇଁ ଅନୁମତି ଦିଆଯାଇଥିଲା, ତାହା କୁଆଡ଼େ ଲଉଡିଦର୍ହା ଗ୍ରାମ୍ୟ ଜଙ୍ଗଲର ଅଂଶ ବିଶେଷ ା ଚିନ୍ତାର ବିଷୟ ହେଲା ୨୦୨୦-୨୧ ଆର୍ଥିକ ବର୍ଷରେ ଖାଦାନ ଥିବା ସ୍ଥାନରେ ବନବିଭାଗ ପକ୍ଷରୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧୦ହଜାର ଗଛ ଲଗା ଯାଇଥିବା ଦର୍ଶାଯାଇଛି । ସୁତରାଂ ସେହି ସ୍ଥାନରେ ବିସ୍ଫୋରଣ ପାଇଁ କିପରି ଅନୁମତି ଦିଆଗଲା ସେ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ ା ଅନ୍ୟ ପକ୍ଷରେ କ୍ରସର ଥିବା ସ୍ଥାନରେ ଚିରାଟ ନାଳ ଥିବା ଯୋଗୁଁ ଏହା ମଧ୍ୟ ଏବେ ପ୍ରଦୂଷିତ ହେବାକୁ ବସିଲାଣି । ଏ ସମ୍ପର୍କରେ ଝାରବନ୍ଧ ତହସିଲଦାର ସୀମା ସବିତା କୁଲୁଙ୍କୁ ଯୋଗାଯୋଗ କରାଯିବାରୁ ସେ ‘ଏହା ପୂର୍ବ ତହସିଲଦାରଙ୍କ ସମୟରେ ହୋଇଥିଲା’ ବୋଲି କହିଥିଲେ ା

 

ପାଇକମାଲ ତହସିଲରେ ମଧ୍ୟ ସମାନ ଅବସ୍ଥା। ପାଇକମାଲ ତହସିଲ ଅନ୍ତର୍ଗତ ବିଭିନ୍ନ ବାଲି ସୈରାତଗୁଡିକରୁ ସରକାର କୋଟିକୋଟି ଟଙ୍କାର ରାଜସ୍ବ ହରାଉଥିବା ଅଭିଯୋଗ ହେଉଛି। ପ୍ରାପ୍ତ ତଥ୍ୟ ଅନୁସାରେ ୧୬ା୪ା୨୦୧୮ରେ ଚୁହାପାଲି, ବ୍ରାହ୍ଣଣଡିହି, ମାଣ୍ଡିଆଢ଼ିପା ଓ ମୁନିକେଲ ବାଲି ସୈରାତକୁ ୨୦୧୫-୧୬ ରୁ ୨୦୧୯- ୨୦ ପର୍ଯ୍ୟନ୍ତ ସୁମିତ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତିଙ୍କୁ ଲିଜ୍ ଦିଆଯାଇଥିଲା । ତେବେ ଶ୍ରୀ ଅଗ୍ରୱାଲ ଏହାର ଖଜଣା ବାବଦକୁ ୧କୋଟି ୪୬ ଲକ୍ଷ ୭୯ ହଜାର ୫୪୦ଟଙ୍କା ପଇଠ ନକରିବାରୁ ତାଙ୍କୁ ନିୟମିତ ଖିଲାପକାରୀ ଦର୍ଶାଯାଇ ପ୍ରଶାସନ ପକ୍ଷରୁ ଚିଠି ନମ୍ବର ୩୧୯୦/ ତା.୧୩ା୧୧ା୨୦୧୭ରେ ସୈରାତ ଗୁଡିକର ଟେଣ୍ଡର ବାତିଲ କରିଦିଆଗଲା। ତେବେ ଶ୍ରୀ ଅଗ୍ରୱାଲ କୁତ୍ରାମାଲ, ପାରସଖଣ୍ଡି, କଟନପାଲି ବାଲି ସୈରାତର ଟେଣ୍ଡର ପାଇଥିବା ଏକ ବିଶ୍ଵସ୍ତ ସୂତ୍ରରୁ ଜଣା ପଡ଼ିଛି। ରାଜସ୍ବ ବିଭାଗର ଚିଠି ନମ୍ବର ୧୫୬୪୦/ ତା.୧୫ା୫ା୨୦୧୭ ଅନୁସାରେ ଯେଉଁଠାରେ ସୈରାତ ଟେଣ୍ଡର ହେବ ସେହି ସ୍ଥାନରେ ଖୁଣ୍ଟ ପୋତାଯାଇ ଜାଗା ଚିହ୍ନଟ ହେବା କଥା, ମାତ୍ର ଉପରୋକ୍ତ ସୈରାତ ଗୁଡିକରେ ଖୁଣ୍ଟ ପୋତାଯାଇ ସ୍ଥାନ ଚିହ୍ନଟ କରାଯାଇ ନାହିଁ ବରଂ ଲିଜ୍ ପାଇଥିବା ଜମି ସମେତ ଅନ୍ୟ ସ୍ଥାନରୁ ମଧ୍ୟ ଶହଶହ ଟ୍ରିପ ବାଲି ହାଇୱା, ଜେସିବି ପ୍ରଭୃତିରେ ଉତ୍ତୋଳନ କରାଯାଇ ଚାଲାଣ ହେଉଥିବା ସଂପୃକ୍ତ ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ପୁଣି, ବାଲି ପରିବହନ ବେଳେ ରାଜସ୍ବ ବିଭାଗର ୱାଇ ଫର୍ମ କିମ୍ବା ଆର୍‌ ଫର୍ମ ଦାଖଲ କରାଯିବା କଥା। ମାତ୍ର ଏସବୁ କୁଆଡ଼େ କରାଯାଉ ନାହଁ । ବ୍ୟବସ୍ଥା ଅନୁସାରେ ସରକାରୀ ରାଜସ୍ବଖିଲାପୀଙ୍କୁ ଟେଣ୍ଡର ପ୍ରକ୍ରିୟାରୁ ବାଦ୍‌ ଦିଆଯିବା କଥା, ମାତ୍ର ଟେଣ୍ଡର ପ୍ରକ୍ରିୟାରେ ସେ କିପରି ସ୍ଥାନ ପାଇଲେ ତାକୁ ନେଇ ସଂପୃକ୍ତ ମହଲରେ ସନ୍ଦେହ ପ୍ରକାଶ ପାଇଛି। ଏ ସମ୍ପର୍କରେ ପାଇକମାଲ ତହସିଲଦାର ମନୋଜ ମେହେରଙ୍କୁ ତାଙ୍କ ମୋବାଇଲ (ନମ୍ବର ୯୯୩୭୩୧୭୭୫୭)ରେ ଯୋଗାଯୋଗ କରାଯାଇଥିଲା, ତେବେ ​‌େ​‌ସ ଫୋନ ଉଠାଇ ନଥିଲେ।
ସୂଚିତ ଯେ ପଦ୍ମପର ଉପଖଣ୍ଡର ପାଇକମାଲ, ଝାରବନ୍ଧ ଓ ଅମ୍ବାଭୋନାର ସୀମା ଛତିଶଗଡକୁ ରହିଛି। ଏହା ମାଓ ଉପଦ୍ରୁତ ଅଞ୍ଚଳ ଭାବେ ଜଣାଶୁଣା। ମାଓବାଦୀଙ୍କ ଉପରେ ନଜର ରଖିବା ପାଇଁ ଜଗଦଲପୁର ଥାନାରେ ଏକ ସ୍ବତନ୍ତ୍ର ଶିବିର ରହିଛି। ଏଠାରେ ଖାଦାନଗୁଡ଼ିକୁ ପ୍ରଶାସନ ବନ୍ଦ କରିଦେଇଛି। ତଥାପି ଖାଦାନ ଖନନ ବନ୍ଦ ହେଉ ନାହିଁ ା ଗୁରୁତ୍ଵପୂର୍ଣ୍ଣ ବିଷୟ ହେଲା ଏପରି ଏକ ସମ୍ବେଦନଶୀଳ ଅଞ୍ଚଳରେ ଖାଦାନ ଖନନ ପାଇଁ ବିସ୍ଫୋରକ କେମିତି ଓ କେଉଁଠୁ ଆସୁଛି ? ଏ ସବୁ ଦିଗରେ ପ୍ରଶାସନ ପକ୍ଷରୁ ଆବଶ୍ୟକ ତଦନ୍ତ ଓ କର୍ଯ୍ୟାନୁଷ୍ଠାନ ଯଥାଶୀଘ୍ର ଗ୍ରହଣ କରାଯିବାକୁ ଦାବି ହେଉଛି।

Comments are closed.