ବରଗଡ଼ର ଅଧିଷ୍ଠାତ୍ରୀ ମା’ ସମଲେଶ୍ୱରୀଙ୍କ ପୀଠ ନୂଆଖାଇ ଲଗ୍ନ, ଅଗଷ୍ଟ ୨୩ରେ ସର୍ବସାଧାରଣ ନବାନ୍ନ ଭକ୍ଷଣ କରିବା ଶୁଭପ୍ରଦ

ବରଗଡ:ପଶ୍ଚିମ ଓଡିଶାର କୃଷିଭିତିକ ଗଣପର୍ବ ନୂଆଖାଇ ପାଇଁ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ଲଗ୍ନ ନିର୍ଦ୍ଧାରିତ ହୋଇଛି। ଶନିବାର ମାଁ ଙ୍କ ପୀଠରେ ପଣ୍ଡିତ ଶିବ ଶଙ୍କର ଦାଶ , ପଣ୍ଡିତ ଚୂଡାମଣି ରଥ, ପଣ୍ଡିତ ବିଘ୍ନରାଜ ଦାଶ ପ୍ରମୁଖ ଲଗ୍ନ ନିର୍ଦ୍ଧାରଣ କରିଥିଲେ। ଆଗାମୀ ଅଗଷ୍ଟ ୨୨ ତାରିଖ ଶନିବାର ନିଶାର୍ଦ୍ଧ ପରେ ରବିବାର ସକାଳ ହେବା ପୂର୍ବରୁ ମାଁ ସମଲେଶ୍ୱରୀଙ୍କଠାରେ ନବାନ୍ନ ଭୋଗର ସମସ୍ତ କାର୍ଯ୍ୟ ସମ୍ପାଦନ କରାଯିବ। ବରଗଡ଼ ସମଲେଶ୍ୱରୀ ମନ୍ଦିରର ଏକ ନିଆରା ପରମ୍ପରା ରହିଛି। ମାଁଙ୍କଠାରେ କେତେବେଳେ ନବାନ୍ନ ଭୋଗ ଲାଗି କରାଯାଏ ତାହା ଲୋକଲୋଚନକୁ ଅଣାଯାଏ ନାହିଁ। ସେଥିପାଇଁ ନିଶାର୍ଦ୍ଧରେ ମାଁଙ୍କ ଠାରେ ନବାନ୍ନ ଭୋଗ ଲାଗି କରାଯାଏ। ସେହିପରି ଅଗଷ୍ଟ ୨୩ ତାରିଖ ରବିବାର ଭାଦ୍ରବ ଶୁକ୍ଲ ପଞ୍ଚମି ସିଂହ ୮ ଦିନ ତୁଲାଲଗ୍ନ ପୂର୍ବାହ୍ନ ୯ ଘ ୩୫ ମିନିଟ ଗତେ ୧୦ଟା ମଧ୍ୟେ ପ୍ରଶସ୍ତ ତୁଳା (ଚରୁ) ଲଗ୍ନେ ସର୍ବସାଧାରଣ ନବାନ୍ନ ଭକ୍ଷଣ କରିବା ଶୁଭପ୍ରଦ ଅଟେ ବୋଲି ଲଗ୍ନ ସ୍ଥିରୀକୃତ ହୋଇଥିଲା। ଏ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସମୀର ପ୍ରଧାନ,ପ୍ରଶାନ୍ତ ମହାପାତ୍ର, ଜଗଦୀଶ ନାୟକ , ଭରତ ମହାପାତ୍ର ସମେତ ସହରର ବହୁ ବୁଦ୍ଧିଜିବୀ ଉପସ୍ଥିତ ଥିଲେ।

Comments are closed.