ଖୋଲିଲା ଏସିଆର ସର୍ବବୃହତ୍ ମୁକ୍ତ କପଡ଼ା ବଜାର ବାଲିଜୁରି: ସୁଧୁରୁଛି ସ୍ଥିତି, ସ୍ବାଭାବିକ ହେଉଛି କାରବାର

ବରଗଡ଼: କରୋନା ମହାମାରୀ ଗତ ଆଠ ମାସ ହେଲା ସାଧାରଣ ଜନଜୀବନକୁ ସଂପୂର୍ଣ୍ଣ କବଳିତ କରି ରଖିଛି। ଏଥିରେ ସବୁ ଶ୍ରେଣୀର ଲୋକ ପ୍ରଭାବିତ ହୋଇଛନ୍ତି। ବରଗଡ ଜିଲାର ପାଖାପାଖି ଏକ ଲକ୍ଷ ବୁଣାକାର ପରିବାର ମଧ୍ୟ ଦୁର୍ଦଶାର ଶିକାର ହୋଇଛନ୍ତି। ଜିଲାର ବୁଣାକାର ପରିବାର କେବଳ ହସ୍ତତନ୍ତରେ ବୁଣା କାମକୁ ଆଶ୍ରା କରି ରୋଜଗାର କରୁଥିବାବେଳେ ଲକ୍‌ ଡାଉନ୍‌ ଓ ସଟ୍‌ ଡାଉନ୍‌ ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା। ଏବେ କରୋନା କଟକଣା ସାମାନ୍ୟ କୋହଳ ହେବା ସହ ବିଶ୍ବର ସର୍ବବୃହତ୍‌ ଖୋଲା କପଡ଼ା ବ୍ୟବସାୟ କେନ୍ଦ୍ର ବାଲିଜୁରି (ବେହେରା) ବଜାର ପୁଣିଥରେ ଖୋଲିଥିବାରୁ ସେମାନଙ୍କ ମଧ୍ୟରେ ଆଶ୍ବସ୍ତି ପ୍ରକାଶ ପାଇଛି।

ବେହେରା ବା ବାଲିଜୁରି କପଡ଼ା ବଜାର ସାରା ପଶ୍ଚିମ ଓଡିଶାର ବୁଣାକାରମାନଙ୍କ ପାଇଁ ରୋଜଗାରର ଏକ ପ୍ରମୁଖ ପନ୍ଥା। ପୂର୍ବରୁ ଏହି ବଜାର ଖୋଲା ଆକାଶ ତଳେ ରାତି ୩ଟା’ରୁ ସକାଳ ପର୍ଯ୍ୟନ୍ତ ବସୁଥିଲା। ବିଳମ୍ବିତ ରାତିରେ ପଶ୍ଚିମ ଓଡ଼ିଶାରୁ ବୁଣାକାରମାନେ ସମ୍ବଲପୁରୀ ଶାଢ଼ି, ପାଟ ତଥା ଅନ୍ୟାନ୍ୟ ବୁଣା ସାମଗ୍ରୀ ନେଇ ପସରା ମେଲାଉଥିଲେ। ସ୍ଥାନୀୟ ଗ୍ରାହକଙ୍କ ସହ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ଗ୍ରାହକ ଓ ବେପାରୀମାନେ ରାତିରେ ଜମା ହେଉଥିଲେ। ଚା’, ପାନ ଓ ଜଳଖିଆ ଦୋକାନ ଗୁଡ଼ିକ ପାହାନ୍ତିଆ ପର୍ଯ୍ୟନ୍ତ ଖୋଲା ରହୁଥିଲା। ରାତି ପାହିଲା ବେଳକୁ ବେପାରୀ ଓ ବୁଣାକାରମାନେ କାରବାର ସାରି ନିଜନିଜ ଘରକୁ ବାହୁଡ଼ି ଯାଉଥିଲେ। ସକାଳେ ବଜାର ପୁଣି ଥରେ ଶୂନଶାନ ହୋଇ ଯାଉଥିଲା। ବର୍ତ୍ତମାନ ଏଥିରେ ପରିବର୍ତ୍ତନ ହୋଇଛି। କରୋନା କଟାକଣା ଯୋଗୁ ବଜାର କିଛି ଦିନ ବନ୍ଦ ରହିବା ପରେ ଏବେ ବୁଧବାର ଖୋଲା ଯାଉଛି ଏବଂ ସକାଳ ୬ଟା’ରୁ ଦିନ ୧୦ଟା ପର୍ଯ୍ୟନ୍ତ ସାମାଜିକ ଦୂରତା ସହ କାରବାର ହେଉଛି। କରୋନା କଟକଣା ସମୟରେ ଯେଉଁ ବୁଣାକାରମାନେ ଅନ୍ୟ ମାଲିକଙ୍କ ଠାରୁ ସୁତା ଓ ରଙ୍ଗ ନେଇ ଲୁଗା ବୁଣୁଥିଲେ ସେମାନଙ୍କୁ ସଂପୃକ୍ତ ବେପାରୀମାନଙ୍କ ଠାରୁ ଠିକ୍‌ ସମୟରେ ପାଉଣା ମିଳୁ ନଥିଲା, ତା’ ସହିତ ଲୁଗା ବିକ୍ରି ପାଇଁ କୌଣସି ବିକଳ୍ପ ପନ୍ଥା ମଧ୍ୟ ନଥିଲା। କଟକଣା ହଟିବା ପରେ ବୁଣାକାର, ବେପାରୀ ଓ ସାଧାରଣ ଗ୍ରାହକ ପୁଣି ସକ୍ରିୟ ହୋଇଛନ୍ତି। କାରବାର ମଧ୍ୟ ଧୀରେଧୀରେ ସ୍ବାଭାବିକ ହେବା ଆରମ୍ଭ ହୋଇଛି।  ପୂର୍ବରୁ ବ୍ୟବସ୍ଥିତ ଢ଼ଙ୍ଗରେ ବିକ୍ରିବଟା ହେଉ ନଥିଲା। ଏବେ ସମ୍ବଲପୁରୀ କପଡା, ଗାମୁଛା, ଶାଢ଼ି, ପାଟ, ଡ୍ରେସ ମେଟେରିଆଲ, ସୁତା, ମଙ୍ଗା ସାମଗ୍ରୀ ଆଦି ସ୍ପତନ୍ତ୍ର ଭାବେ ଭିନ୍ନଭିନ୍ନ ସ୍ଥାନରେ ବିକ୍ରି କରିବାର ବ୍ୟବସ୍ଥା କରାଯାଇଛି। ବେପାରୀ ତଥା ବୁଣାକାରମାନେ ବେହେରା ମାର୍କେଟକୁ ଆଶ୍ରା କରି ଲକ୍‌ ଡାଉନ୍‌ ସମୟରେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଥିଲେ ସେଥିରେ ସୁଧାର ପରିଲକ୍ଷିତ ହେଉଛି। ଶାଢ଼ି ସହ ହସ୍ତତନ୍ତ​‌େ​‌ର ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀ ଏବଂ ବାନ୍ଧ ଡିଜାଇନ୍‌ର ଗ୍ରାଫ ମଧ୍ୟ ବିକ୍ରି କରାଯାଉଛି ।

ପଶ୍ଚିମ ଓଡ଼ିଶାର ବଉଦ, ସୋନପୁର, ବଲାଙ୍ଗିର, ବରଗଡ଼, କଳାହାଣ୍ଡି, ସମ୍ବଲପୁର ତଥା ଛତିଶଗଡର ପ୍ରାୟ ୨୦ହଜାର ବୁଣାକାର ଓ ବେପାରୀ ଏହି ମାର୍କେଟରେ କାରବାର କରୁଛନ୍ତି । ବେପାରୀମାନଙ୍କ କହିବା ଅନୁସାରେ ଗୋଟିଏ ସପ୍ତାହରେ ୧୫ରୁ ୨୦ କୋଟି ଟଙ୍କାର ବେପାର ଏଠାରେ ହୁଏ। ବଜାରକୁ ଶୃଙ୍ଖଳିତ କରିବା ଦାୟିତ୍ବ ‘ମା ସମଲେଇ ସମ୍ବଲପୁରୀ କପଡା ବଜାର ବୁଣାକାର ସଂଘ’କୁ ଦିଆଯାଇଛି । ବଜାରକୁ ଅଧିକ ବ୍ୟବସ୍ଥିତ ଓ ସବୁଦିନିଆ କରିବା ସହ ଅନଲାଇନ କାରବାରର ଯୋଜନା କରଯାଉଛି। ପୂର୍ବତନ ହସ୍ତତନ୍ତ ଓ ବୟନ ଶିଳ୍ପମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଉଦ୍ୟମରେ ପ୍ରାଥମିକ ପର୍ୟ୍ୟାୟରେ ୧୦କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ଏକ ଭବ୍ୟ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଉଛି । ବେହେରା ମାର୍କେଟ ୟାର୍ଡରେ ସୁତା ବ୍ୟାଙ୍କ, ପାର୍କିଂ ପ୍ଲେସ, ଶୌଚାଳୟ ଓ ପୁଲିସ ଫାଣ୍ଡି ଖୋଲିବା ପାଇଁ ଦୀର୍ଘ ଦିନରୁ ହେଉଥିବା ଦାବି ପ୍ରତି ପ୍ରଶାସନ ଦୃଷ୍ଟି ଦେବା ଉଚିତ୍‌ ବୋଲି ମତ ପ୍ରକାଶ ପାଇଛି।

Comments are closed.