ବିଭିନ୍ନ ପ୍ରକଳ୍ପ ଓ ଅନେକ ନୂତନ ପ୍ରକଳ୍ପକୁ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ବରଗଡ଼ ସାଂସଦଙ୍କ ଆଲୋଚନା

ସମ୍ବଲପୁର : ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ଦିନକୁ ଦିନ ଗଢି ଉଠୁଥିବା ବୃହତ ଶିଳ୍ପାନୁଷ୍ଠାନ ଓ ଖଣି ଖନନ ପାଇଁ ଜନସଂଖ୍ୟା ବୃଦ୍ଧି ସଙ୍ଗେ ସଙ୍ଗେ ହୁହୁ ହୋଇ ବଢି ଚାଲିଛି ଯାନବାହାନ ସଂଖ୍ୟା । ବିଶେଷ କରି ମାଲ ପରିବହନ ପାଇଁ ଭାରି ଯାନବାହାନର ଯାତାୟତ ପାଇଁ ଆବଶ୍ୟକୀୟ ରାସ୍ତା ନଥିବାରୁ ଅଯଥାରେ ଦେଖା ଯାଉଛି ଟ୍ରାଫିକ୍ ସମସ୍ୟା ଓ ଦୈନନ୍ଦିନ ଘଟୁଛି ଛୋଟ ବଡ଼ ଦୁର୍ଘଟଣାମାନ । ବର୍ଷ ବର୍ଷ ଧରି ମନ୍ଥର ଗତିରେ ଚାଲିଛି ବିଭିନ୍ନ ରାଜପଥର ସମ୍ପ୍ରସାରଣ ସହିତ ଅନ୍ୟାନ୍ୟ ଆନୁସାଙ୍ଗିକ ନିର୍ମାଣ କାର୍ଯ୍ୟ । ରାଜ୍ୟ ସରକାରଙ୍କର ଅସହଯୋଗ ଓ ବିଭାଗୀୟ ଅଧିକାରୀଙ୍କ ନିଷ୍କ୍ରିୟତା ଯୋଗୁଁ ଆଗେଇ ପାରୁ ନାହିଁ ଅନେକ ପ୍ରକଳ୍ପ । ଏସବୁ ଅବ୍ୟବସ୍ଥା ପାଇଁ ଲୋକେ ଭୋଗୁଛନ୍ତି ନାହିଁ ନଥିବା ଅସୁବିଧା । ବହୁ ସମୟରେ ଏଥିପାଇଁ ମୁଣ୍ଡ ଟେକୁଛି ଅନେକ ଜନ ଆନ୍ଦୋଳନ । ଏସବୁକୁ ଦୃଷ୍ଟିରେ ରଖି ଆଜି ବରଗଡ଼ ସାଂସଦ ଶ୍ରୀଯୁକ୍ତ ସୁରେଶ ପୂଜାରୀ ରାଷ୍ଟ୍ରୀୟ ରାଜ ମାର୍ଗ ପ୍ରାଧିକରଣର ଅଧିକାରୀ ଓ ବିଭିନ୍ନ ଠିକା ସଂସ୍ଥାର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନାରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ସଙ୍ଗେ ସଙ୍ଗେ ଅନେକ ନୂତନ ପ୍ରକଳ୍ପ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ ସାଂସଦ ଶ୍ରୀଯୁକ୍ତ ପୂଜାରୀ ।
ବରଗଡ଼, ଝାରସୁଗୁଡା ଓ ସମ୍ବଲପୁରକୁ ସଂଯୋଗ କରୁଥିବା ରାଷ୍ଟ୍ରୀୟ ରାଜମାର୍ଗର ପ୍ରଶସ୍ତିକରଣ, ଉନ୍ନତିମୂଳକ କାର୍ଯ୍ୟ ବିଷୟରେ ଆଲୋଚନା ହୋଇଥିଲା । ଆଜିର ଆଲୋଚନାରେ ଏନଏଚ୍‌ଏଆଇର ରିଜିଓନାଲ ଅଧିକାରୀ ଶ୍ରୀ ରାମପ୍ରସାଦ ପଣ୍ଡା ଓ ପ୍ରକଳ୍ପ ନିର୍ଦେଶକ ଶ୍ରୀ ଭାଙ୍କେତେଶ୍ୱରଲୁ, ଭଟ ଭୋଇ, ଅଶୋକା ବିଲଡ଼କନ ଓ ଗାୟିତ୍ରୀ କଂଷ୍ଟ୍ରକ୍ସନର ପ୍ରତିନିଧି, ବରଗଡ଼ ବିଜେପି ଜିଲ୍ଲା ସଭାପତି ଶ୍ରୀ ଅଶ୍ୱିନୀ ସରଙ୍ଗୀ, ଝାରସୁଗୁଡା ବିଜେପି ପୂର୍ବତନ ସଭାପତି ଶ୍ରୀ ଦୀନେଶ ଯେନ ଉପସ୍ଥିତ ରହିଥିଲେ ।

Comments are closed.