ବାରବାଟୀ ଦିବାରାତ୍ର ମ୍ୟାଚ୍‍ – କାଲିଠାରୁ କାଉଣ୍ଟର ଟିକେଟ ବିକ୍ରି

କଟକ: ଆସନ୍ତା ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ୍‍ ମଧ୍ୟରେ ତୃତୀୟ ଏକଦିବସୀୟ ଦିବାରାତ୍ର ମ୍ୟାଚ୍‍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‍ ପାଇଁ ଆସନ୍ତାକାଲିଠାରୁ ଷ୍ଟାଡିୟମ୍‍ କାଉଣ୍ଟରରେ ଟିକେଟ୍‍ ବିକ୍ରି ଆରମ୍ଭ ହେବ। ଖୋଲାଯାଇଥିବା ୧୨ଟି କାଉଣ୍ଟରରେ ସକାଳ ୯ଟାରୁ ଟିକେଟ୍‍ ବିକ୍ରି ଆରମ୍ଭ ହେବ। ପ୍ରତ୍ୟେକଙ୍କୁ ୨ଟି ଲେଖାଏଁ ଟିକେଟ୍‍ ଦିଆଯିବ ଓ ଏଥିପାଇଁ ଜଣେ ଦର୍ଶକଙ୍କୁ ତାଙ୍କର ପରିଚୟ ପତ୍ର ଟିକେଟ୍‍ କାଉଣ୍ଟରରେ ଦେଖାଇବାକୁ ପଡ଼ିବ। ୧୯ ଓ ୨୦ ଦୁଇ ଦିନ ଧରି କାଉଣ୍ଟର୍‍ରେ ଟିକେଟ୍‍ ବିକ୍ରି କରାଯିବ।

ଇତିମଧ୍ୟରେ ଓ.ସି.ଏ. ଅନୁବନ୍ଧିତ ସଂସ୍ଥାଗୁଡ଼ିକୁ ପାସ୍‍ ବଣ୍ଟନ ଓ ଟିକେଟ୍‍ ବିକ୍ରି ଶେଷ ହୋଇଛି। ମ୍ୟାଚ୍‍ପାଇଁ ବାରବାଟୀ ଷ୍ଟାଡିୟମ୍‍ ଭିତରେ ଓ ବାହାରେ ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି। ଆସନ୍ତାକାଲି ଟିକେଟ୍‍ କାଉଣ୍ଟର୍‍ଗୁଡ଼ିକରେ କମିଶନରେଟ୍‍ ପୁଲିସ୍‍ ପକ୍ଷରୁ ଫୋସ୍‍ର୍ ମୁତୟନ କରାଯିବ। ସେହିପରି ୨୨ ତାରିଖ ମ୍ୟାଚ୍‍ ପାଇଁ ୬୩ ପ୍ଲାଟୁନ୍‍ ଫୋସ୍‍ର୍ ମୁତୟନ କରାଯିବ। ଏଥର ପ୍ରତି ଗ୍ୟାଲେରୀରେ ପୁଲିସ୍‍ ସହାୟତା କେନ୍ଦ୍ର ରହିବ ଓ ଦୁଇ ଜଣ ଅଫିସର ଏହାର ଦାୟିତ୍ୱରେ ରହିବେ ବୋଲି ସୂଚନା ମିଳିଛି। ଅନ୍‍ଲାଇନ୍‍ ମାଧ୍ୟମରେ ଟିକେଟ୍‍ ବୁକିଂ କରିଥିବା ଦର୍ଶକମାନଙ୍କୁ ଆସନ୍ତାକାଲିଠାରୁ ମଧ୍ୟ କେମ୍ବ୍ରିଜ୍‍ ସ୍କୁଲରେ ଟିକେଟ୍‍ ପ୍ରଦାନ କରାଯିବ।

Comments are closed.