ବାରବାଟୀରେ ସିନିୟର ମହିଳା ଚ୍ୟାଲେଞ୍ଜର ଟ୍ରଫି ଟ୍ବେଣ୍ଟି-୨୦ : ଭାରତ ‘ବି’-କୁ ଜିତାଇଲେ ସୁଶ୍ରୀ

କଟକ : ବାରବାଟୀ ଷ୍ଟାଡିୟମ୍‌ରେ ଶନିବାର ସିିନିୟର ମହିଳା ଚ୍ୟାଲେଞ୍ଜର ଟ୍ରଫି ଟ୍ବେଣ୍ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ବାତିଲ ହେବା ପରେ ରବିବାର ୨ୟ ମ୍ୟାଚ୍ ଖେଳାଯାଇଛି। ଏହି ମ୍ୟାଚ୍‌ରେ ଓଡ଼ିଶାର ଅଫ୍‌ସ୍ପିନର ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନଙ୍କ ବୋଲିଂ ସଫଳତା ବଳରେ ଭାରତ ‘ବି’ ବିଜୟୀ ହୋଇଛି। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ମାତ୍ର ୪ ରନ୍‌ରେ ଭାରତ ‘ସି’କୁ ଭାରତ ‘ବି’ ପରାସ୍ତ କରିଛି। ରିଚା ଘୋଷଙ୍କ ୨୫ ରନ୍ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ‘ବି’ ୨୦ ଓଭରରେ ୮ ୱିକେଟରେ ୯୪ ରନ୍ କରିଥିଲା। ପରେ ଭାରତ ‘ବି’ର ସୁଶ୍ରୀ ଦିବ୍ୟଦର୍ଶିନୀ ୩ଟି ୱିକେଟ ନେବାରୁ ୨୦ ଓଭର ଶେଷରେ ଭାରତ ‘ସି’ ୮ ୱିକେଟରେ ୯୦ ରନ୍ କରି ପାରିଥିଲା। ଏହି ବିଜୟ ଫଳରେ ଭାରତ ‘ବି’ ୪ ପଏଣ୍ଟ ପାଇଛି। ସୋମବାର ଏଠାରେ ଭାରତ ‘ଏ’ ଓ ଭାରତ ‘ସି’ ମଧ୍ୟରେ ମୁକାବିଲା ହେବ।

ଟସ୍ ଜିଣି ଭାରତ ‘ସି’ ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ଧିମା ପିଚ୍ ଓ ଧିମା ଆଉଟ୍‌ଫିଲ୍‌ଡ ଯୋଗୁଁ ଅଧିକ ରନ୍ ହୋଇନଥିଲା। ଭାରତ ‘ବି’ର ମାତ୍ର ୪ ଜଣ ଦୁଇଅଙ୍କ ସ୍କୋର୍‌ରେ ପହଞ୍ଚି ପାରିଥିଲେ। ଓପ୍‌ନର ଭି.ଆର୍. ବନିତା ୧୧ ରନ୍ କରିଥିଲେ। ଅଧିନାୟିକା ତଥା ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଓପ୍‌ନର ସ୍ମୃତି ମାନ୍ଧାନା ୬ ରନ୍‌କରି ବିଦାୟ ନେଇଥିଲେ। ଭାରତୀୟ ଦଳର ନାମୀ ଖେଳାଳି ଜେମିମା ରଡ୍ରିଗ୍ବେଜ୍ ୧ ଓ ଆନ୍ତର୍ଜାତିକ ଖେଳାଳି ସୁଷମା ବର୍ମା ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ଶିଖା ପାଣ୍ଡେ ୧୫ ରନ୍‌କରି ଅପରାଜିତ ଥିଲେ। ରିଚା ଘୋଷ ୨୬ ବଲ୍‌ରୁ ୫ଟି ଚୌକା ସହ ସର୍ବାଧିକ ୨୫ ରନ୍ କରିଥିଲେ। ଓଡ଼ିଶାର ସୁଶ୍ରୀ ଦିବ୍ୟଦର୍ଶିନୀ ୮ ରନ୍ କରିଥିଲେ। ଭାରତ ‘ସି’ର ଆନ୍ତର୍ଜାତିକ ବାମହାତି ସ୍ପିନର ରାଜେଶ୍ବରୀ ଗାଏକ୍‌ୱାଡ୍‌ ୩ଟି ଏବଂ ମୋନିକା ପଟେଲ, ଅନୁନ୍ଧତି ରେଡ୍‌ଡି ଓ ତନୁଶ୍ରୀ ସରକାର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ୯୫ ରନ୍‌ର ବିଜୟଲକ୍ଷ୍ୟ ନେଇ ଭାରତ ‘ସି’ ଏକଦା ୨ ୱିକେଟରେ ୪୩ ରନ୍‌କରି ଭଲ ସ୍ଥିତିରେ ଥିଲା। ନୁଝତ ପରୱିନ ୩ ରନ୍‌କରି ଆଉଟ ହୋଇଥିବା ବେଳେ ଆନ୍ତର୍ଜାତିକ ଖେଳାଳି ସେଫାଳି ବର୍ମା ୧୬ ବଲ୍‌ରୁ ୧୬ ରନ୍ କରିଥିଲେ। ପରେ ସୁଶ୍ରୀ ଦିବ୍ୟଦର୍ଶିନୀ ଚମତ୍କାର ଅଫ୍‌ସ୍ପିନ୍ ବୋଲିଂକରି କ୍ରମାଗତ ୩ଟି ୱିକେଟ ନେଇଥିଲେ। ଅଧିନାୟିକା ବେଦା କୃଷ୍ଣମୂର୍ତ୍ତି ମାତ୍ର ୮ ରନ୍‌କରି ସୁଶ୍ରୀଙ୍କ ପ୍ରଥମ ଶିକାର ହୋଇଥିଲେ। ଦୀର୍ଘ ସମୟ କ୍ରିଜ୍‌ରେ ଥିବା ଡି. ହେମଲତା ୩୧ ବଲ୍‌ ଖେଳି ଗୋଟିଏ ଚୌକା ସହ ୨୦ ରନ୍ କରିଥିଲେ। ତନୁଶ୍ରୀ ସରକାର ୨୭ ବଲ୍‌ରୁ ୧୮ ରନ୍‌କରି ଦଳକୁ ବିଜୟ ଆଡ଼କୁ ନେଇ ଯାଉଥିବା ବେଳେ ସୁଶ୍ରୀଙ୍କ ଚମତ୍କାର ଥ୍ରୋ’ରେ ସେ ରନ୍‌ଆଉଟ୍‌ ହୋଇ ଯାଇଥିଲେ। ଶେଷ ୩ ଓଭରରୁ ଭାରତ ‘ସି’ ୧୬ ରନ୍ ଆବଶ୍ୟକ କରୁଥିବା ବେଳେ ଏହା ସମ୍ଭବ ହୋଇନଥିଲା। ସୁଶ୍ରୀ ୪ ଓଭରରୁ ମାତ୍ର ୧୫ ରନ୍‌ଦେଇ ୩ଟି ୱିକେଟ ନେଇଥିଲେ। ଶିଖା ପାଣ୍ଡେ, ଅନୁଜା ପାଟିଲ ଓ ତନୁଜା କନୱାର ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ। ଭାରତ ‘ସି’ ଦଳରେ ଓଡ଼ିଶାର ମାଧୁରୀ ମେହେଟ୍ଟା ସ୍ଥାନ ପାଇଥିଲେ ହେଁ ତାଙ୍କୁ ଖେଳିବାର ସୁଯୋଗ ମିଳିନଥିଲା।

Comments are closed.