ବାରବାଟୀ ଦିନିକିଆ : ୧୨ଟି କାଉଣ୍ଟରରେ ଟିକଟ ବିକ୍ରି, ପରିଚୟ ପତ୍ର ବାଧ୍ୟତାମୂଳକ

ଭାରତ-ୱେଷ୍ଟଇଣ୍ଡିଜ୍‌ ଦିନିକିଆ ମ୍ୟାଚ୍ ଆୟୋଜନ ପାଇଁ ଓସିଏ ସମ୍ପୂର୍ଣ୍ଣ ପ୍ରସ୍ତୁତ

କଟକ : ଚଳିତମାସ ୨୨ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ବାରବାଟୀ ଷ୍ଟାଡିୟମ୍‌ରେ ୩ୟ ତଥା ଅନ୍ତିମ ଦିନିିକିଆ ମ୍ୟାଚ୍ ଖେଳାଯିବ। ଗତ ୨ ବର୍ଷରୁ ଅଧିକ ସମୟ ହେଲା କଟକରେ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍ ଆୟୋଜନ ହୋଇନଥିବାରୁ ଏହି ମ୍ୟାଚ୍‌କୁ ନେଇ ରାଜ୍ୟର କ୍ରିକେଟପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଏଣେ ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ)ର ନବ ନିର୍ବାଚିତ କର୍ମକର୍ତ୍ତା ଏହି ମ୍ୟାଚ୍‌କୁ ସୁରୁଖୁରୁରେ ଆୟୋଜନ କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି। ଏହାସହ ଏହି ମ୍ୟାଚ୍‌ର ସଫଳ ଆୟୋଜନ ପାଇଁ ଓସିଏ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସୋମବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ଏଥର କ୍ରିକେଟପ୍ରେମୀଙ୍କ ପାଇଁ ଏକ ଖୁସିଖବର ଯେ ୩ଟି ପରିବ​‌େ​‌ର୍ତ୍ତ ୧୨ଟି କାଉଣ୍ଟର ଖୋଲାଯାଇ ଟିକଟ ବିକ୍ରି କରାଯିବ। ଫଳରେ କ୍ରିକେଟପ୍ରେମୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଲମ୍ବା ଲାଇନ୍‌ରେ ଛିଡ଼ାହେବାକୁ ପଡ଼ିବ ନାହିଁ। ପୂର୍ବରୁ ଥିବା ୨ଟି ସ୍ଥାୟୀ ଟିକଟ କାଉଣ୍ଟର ପାଖରେ ଆଉ ୧୦ଟି ଅସ୍ଥାୀୟ କାଉଣ୍ଟର ଖୋଲାଯାଇ ଟିକଟ ବିକ୍ରି କରାଯିବ। ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଥମଥର ଏଭଳି ବ୍ୟବସ୍ଥା କରା ଯାଇଥିବା ଓସିଏ ସମ୍ପାଦକ ସ˚ଜୟ ବେହେରା ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଦର୍ଶକମାନେ ଯେପରି ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇ ରହୁଥିଲେ। ଏଥର ଆଉ ସେ ସମସ୍ୟା ରହିବନି। ତେବେ ଦର୍ଶକଙ୍କୁ ଟିକଟ କିଣିବା ବେଳେ ନିଜର ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ବିନା ପରିଚୟ ପତ୍ରରେ କାହାରିକୁ ବି ଟିକଟ ଦିଆ ଯିବନାହିଁ। ଜଣେ ଦର୍ଶକ ସର୍ବାଧିକ ୨ଟି ଟିକଟ କିଣିପାରିବେ। ସାଧାରଣ ଦର୍ଶକଙ୍କ ପାଇଁ ୧୯ ଓ ୨୦ରେ ଏହି ୧୨ଟି କାଉଣ୍ଟରରେ ଟିକଟ ବିକ୍ରି ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍ ଦ୍ବାରା କରାଯିବ। ଦର୍ଶକଙ୍କୁ ନିର୍ଦ୍ଧାରିତ ଟିକଟ ମୂଲ୍ୟ ସହ ୧୮ ପ୍ରତିଶତ ଜିଏସ୍‌ଟି ଦେବାକୁ ପଡ଼ିବ। ଉଦାହରଣ ସ୍ବରୂପ; ସ୍ପେଶିଆଲ୍‌ ଏନ୍‌କ୍ଲୋଜର ଟିକଟର ମୂଲ୍ୟ ୩୦୦୦ ଟଙ୍କା ରଖା ଯାଇଥିବା ବେଳେ ଦର୍ଶକଙ୍କୁ ୩୫୪୦ ଟଙ୍କା ଦେବାକୁ ପଡ଼ିବ। କାଉଣ୍ଟର ବିକ୍ରି ପାଇଁ ୧୦,୦୫୦ଟି ଟିକଟ ରହିଛି। ଅନ୍‌ଲାଇନ୍‌ ଟିକଟ ବିକ୍ରିରୁ ହିଁ ଏହି ମ୍ୟାଚ୍ ପାଇଁ ଦର୍ଶକଙ୍କ ଟିକଟ ଚାହିଦା ସଷ୍ଟ ହୋଇଛି। ଅନ୍‌ଲାଇନ୍‌ରେ ୮୧୫୦ ଟିକଟ ବିକ୍ରି ହୋଇଥିବା ବେଳେ ଗ୍ୟାଲେରୀ ଟିକଟ ଅଧଘଣ୍ଟାରେ ଏବଂ ବାକି ଟିକଟ ଆଉ କିଛି ଘଣ୍ଟାରେ ସରି ଯାଇଥିଲା। ଓସିଏ ଅନୁବନ୍ଧିତ ଜିଲା, ସ୍କୁଲ୍‌, କଲେଜ, କ୍ଲବ୍‌ମାନଙ୍କୁ ୧୬ ଓ ୧୭ରେ ଟିକଟ ବିକ୍ରି କରାଯିବ ଏବଂ ନିର୍ଦ୍ଧାରିତ ପାସ୍ ବଣ୍ଟନ କରାଯିବ।
ମ୍ୟାଚକୁ ସୁଚାରୁରୂପେ ପରିଚାଳନା ପାଇଁ ଓସିଏ ୨୫ଟି ସବ୍‌କମିଟି ଗଠନ କରିଛି। ସମସ୍ତ କମିଟି ସଦସ୍ୟଙ୍କୁ ନେଇ ସୋମବାର ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଖେଳାଳିଙ୍କର ଯିବାଆସିବା, ରହିବା ମଧ୍ୟରେ କୌଣସି ପ୍ରକାରର ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୁଲିସ୍‌ ପ୍ରଶାସନ ସବୁପ୍ରକାରର ସହଯୋଗ କରିବ ବୋଲି କୁହାଯାଇଛି। ରାଜ୍ୟ ସରକାର ମଧ୍ୟ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି। ଖେଳାଳିଙ୍କ ଆସିବାରୁ ଆରମ୍ଭକରି ହୋଟେଲରେ ରହିବା, ଷ୍ଟାଡିୟମକୁ ଯିବାଆସିବା ଓ ଭୁବନେଶ୍ବର ଛାଡ଼ିବା ପର୍ଯ୍ୟନ୍ତ ସେମାନଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯିବ। ତ୍ରିସ୍ତରୀୟ ନିରାପତ୍ତା ବ୍ୟବସ୍ଥା ଦେଇ ଦର୍ଶକ ଷ୍ଟାଡିୟମକୁ ଆସିବେ। ମ୍ୟାଚ୍ ଅପରାହ୍‌ଣ ୧.୩୦ରେ ଆରମ୍ଭହେବ ଏବଂ ସକାଳ ୯.୩୦ରେ ଫାଟକ ଖୋଲାଯିବ। ପୁଲିସ୍‌ ସହିତ ଘରୋଇ ସୁରକ୍ଷାକର୍ମୀ ଦର୍ଶକଙ୍କୁ ଯାଞ୍ଚ କରିବା ପରେ ଭିତରକୁ ସେମାନଙ୍କୁ ଛାଡ଼ିବେ।
ଗ୍ୟାଲେରୀ ଭିତରକୁ ପାଣି ବୋତଲ, ଖାଦ୍ୟ, ଫଳ, ପାଣି ପାଉଚ୍‌, ବୋତଲ, ବିସ୍ଫୋରକ ସାମଗ୍ରୀ, ଛୁରି କିମ୍ବା କୌଣସି ଫିଙ୍ଗା ଯାଇ ପାରୁଥିବା ସାମଗ୍ରୀ ନେବାକୁ ବାରଣ କରାଯାଇଛି। ଦର୍ଶକଙ୍କୁ ପାନୀୟ ଜଳ ଯୋଗାଇବା ଲାଗି ଗ୍ୟାଲେରୀରେ ଟ୍ୟାପ୍ ରହିବ। ଏଥିସହିତ ବଡ଼ ପାଣି ଜାର‌୍‌ ଓ ଗ୍ଲାସ୍‌ ବିଭିନ୍ନ ସ୍ଥାନରେ ରଖାଯିବ। ଦର୍ଶକଙ୍କ ପାଇଁ ଗ୍ୟାଲେରୀ ବାହାରପଟେ ଖାଦ୍ୟ ଷ୍ଟଲ ରହିବ। ସୁଲଭ ମୂଲ୍ୟରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ନିର୍ଦେଶ ଥିଲାବେଳେ ଭେଣ୍ଡର ସେମାନଙ୍କ ଖାଦ୍ୟ ଦରକୁ ଷ୍ଟଲ୍‌ ସମ୍ମୁଖରେ ପ୍ରଦର୍ଶିତ କରିବେ। ପୁଣି ଗ୍ୟାଲେରୀରେ ପୁରୁଣା ପରିସ୍ରାଗାର ମରାମତି କରାଯିବା ସହ ନୂତନ ପରିସ୍ରାଗାର ନିର୍ମାଣ କରାଯାଇଛି। ଦର୍ଶକ ପଡ଼ିଆକୁ ଯେପରି କିଛି ନ ଫିଙ୍ଗନ୍ତି; ସେଥିପାଇଁ ସମସ୍ତ ଗ୍ୟାଲେରୀ ସମ୍ମୁଖରେ ଜାଲ ବନ୍ଧାଯିବ।
ଷ୍ଟାଡିୟମକୁ ଆସୁଥିବା ଦର୍ଶକ, ସୁରକ୍ଷାକର୍ମୀ, ଖେଳାଳି, ଅତିଥି, ଭିଆଇପି ଇତ୍ୟାଦିଙ୍କ ପାଇଁ ୫ଟି ପାର୍କି˚ ସ୍ଥାନ କରାଯାଇଛି। ସାଧାରଣ ଦର୍ଶକଙ୍କ ପାଇଁ ବାଲିଯାତ୍ରା ପଡ଼ିଆ, ଓସିଏ ସଦସ୍ୟମାନଙ୍କ ପାଇଁ କ୍ରିକେଟ ଏକାଡେମୀ, ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ କେମ୍ବ୍ରିଜ ସ୍କୁଲ୍‌, ବିସିସିଆଇ ଅଫିସିଆଲ, ମ୍ୟାଚ ରେଫରି, ଅମ୍ପାୟାର, ଖେଳାଳି, ଓସିଏ କର୍ମଚାରୀଙ୍କ ପାଇଁ ଷ୍ଟାଡିୟମ ପରିସରସ୍ଥିତ ସେଣ୍ଟ ଜାଭିୟର୍ସ ସ୍କୁଲ୍‌, ବିଚାରପତି ଓ ଟିଭି କ୍ରିଉ ସଦସ୍ୟଙ୍କ ପାଇଁ ହର୍ସ ଗେଟ୍‌ ସମ୍ମୁଖରେ ପାର୍କି˚ ବ୍ୟବସ୍ଥା ହୋଇଛି। ପଡ଼ିଆ ଓ ଦର୍ଶକଙ୍କ ସହ ଅନ୍ୟାନ୍ୟ ସମ୍ପତ୍ତି ପାଇଁ ୨୧ କୋଟି ୭୧ ଲକ୍ଷ ୭୦ ହଜାର ଟଙ୍କାର ବୀମା କରାଯାଇଛି। ଗ୍ୟଲେରୀରେ ପ୍ରାୟ ୮୦ ସିସି କ୍ୟାମେରା ଲଗାଯିବ।
ଉଭୟ ଦଳ ୧୯ରେ ବିଶାଖାପାଟଣାରୁ ଆସି ଦିନ ୧ଟାରେ ଭୁବନେଶ୍ବରରେ ପହଞ୍ଚିବେ। ୨୦ ଓ ୨୧ରେ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ୱେଷ୍ଟଇଣ୍ଡିଜ୍ ସକାଳ ୯ଟାରୁ ୧୨ଟା ଏବଂ ଭାରତ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଅଭ୍ୟାସ କରିବେ। ଏହି ସାମ୍ବାଦିକ ସମ୍ମିଳନୀରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା, ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ଅକ୍ଷୟ କୁମାର ସାମନ୍ତ, ଯୁଗ୍ମ ସମ୍ପାଦକ ମେହେତାବ ଖାନ୍‌, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, କାଉନସିଲ ସଦସ୍ୟ ଶୁଭାଶିଷ ସେନାପତି ଓ ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.