ଡିସେମ୍ବର ୫ ସୁଦ୍ଧା ପ୍ରସ୍ତୁତ ହେବ ବାରବାଟୀ – ବିକ୍ରି ହେବନି ୫ ହଜାର ଟିକେଟ

କଟକ: କଟକର ବାରବାଟୀ ଷ୍ଟାଡିୟମରେ ଡିସେମ୍ବର ୨୨ତାରିଖରେ ଭାରତ ଓ ୱେଷ୍ଟଇଣ୍ଡିଜ୍‍ ମଧ୍ୟରେ ଦିବାରାତ୍ର ଆର୍ନ୍ତଜାତୀୟ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବ। ଏହି ମ୍ୟାଚକୁ ସୁରୁଖୁରୁରେ ସମାପନ କରିବା ପାଇଁ ଗତକାଲି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କଟକସ୍ଥିତ ଆୟୁକ୍ତଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ବୈଠକରେ ଓଡିଶା କ୍ରିକେଟ ଆସୋସିଏଶନର କର୍ମକର୍ତ୍ତା, ଜିଲ୍ଲା ପ୍ରଶାସନ, କଟକ ମହାନଗର ନିଗମ, ଜନସ୍ୱାସ୍ଥ୍ୟ ବିଭାଗ, ବିଦ୍ୟୁତ, ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ପ୍ରତିନିଧିମାନେ ଯୋଗଦେଇ ସେମାନଙ୍କର ପ୍ରସ୍ତୁତି ସମ୍ପର୍କରେ ରାଜସ୍ୱ ଆୟୁକ୍ତଙ୍କୁ ଅବଗତ କରାଇଥିଲେ।

ଆସନ୍ତା ୫ତାରିଖ ସୁଦ୍ଧା ବାରବାଟୀ ଷ୍ଟାଡିୟମ ଭିତରେ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ରାଜସ୍ୱ ଆୟୁକ୍ତ ନିର୍ଦ୍ଦେଶ ଦେଇଥିବାବେଳେ ରାସ୍ତା ସଫେଇ, ସୌନ୍ଦର୍ଯ୍ୟୀକରଣ, ଟିକେଟ ବିକ୍ରି ପାଇଁ ବ୍ୟାରିକେଡ଼ ନିର୍ମାଣ, ପାନୀୟଜଳ ଯୋଗାଣ ପାଇଁ ସୁବ୍ୟବସ୍ଥା ଇତ୍ୟାଦି କାର୍ଯ୍ୟ ସାରିବାକୁ ଆୟୁକ୍ତ ସମ୍ପୂକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମ୍ୟାଚ ସମୟରେ ବାରବାଟୀ ଷ୍ଟାଡିୟମ ଓ ଏହାର ଆଖାପାଖ ଅଞ୍ଚଳରେ ଯେପରି ବିଦ୍ୟୁତ ସରବରାହ ବ୍ୟାହତ ନ ହୁଏ ସେ ଦିଗ ପ୍ରତି ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ସେହିପରି ଷ୍ଟାଡିୟମ ଭିତରେ ଓ ବାହାରେ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥର ମ୍ୟାଚ ପାଇଁ ଡିସେମ୍ବର ୫ରୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବ। ୧୯ତାରିଖରୁ ବାରବାଟୀ ଷ୍ଟାଡିୟମରେ ଥିବା ବିଭିନ୍ନ କାଉଣ୍ଟରରେ ଲୋକଙ୍କୁ ଅପଲାଇନରେ ଟିକେଟ ବିକ୍ରି କରାଯିବ। ଏଥର ଜନସାଧାରଣଙ୍କ ପାଇଁ ୨୨ହଜାର ଟିକେଟ ବିକ୍ରି କରାଯିବାର ବ୍ୟବସ୍ଥା କରାଯାଇଛି। ଅପରପକ୍ଷେ ଷ୍ଟାଡିୟମର ୭ନମ୍ବର ଗ୍ୟାଲେରୀ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ ସେଠାକାର ୫ହଜାରରୁ ଊର୍ଦ୍ଧ୍ବ ଟିକେଟ୍‍ ବିକ୍ରି କରାଯିବ ନାହିଁ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି। ମ୍ୟାଚ ସମୟରେ କ୍ୟାଣ୍ଟନମେଣ୍ଟରୁ ବାଦାମବାଡିକୁ ଅଟୋ ଚଳାଚଳ ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ଭୁବନେଶ୍ୱର ଓ ଆଖାପାଖ ଅଞ୍ଚଳ ଲାଗି ବସ୍‍ ଚଳାଚଳର ବ୍ୟବସ୍ଥା ମଧ୍ୟ କରାଯାଇଛି।

Comments are closed.