ବିଏମସି ଅଧିକାରୀ ଓ ପୁଲିସ ଉପରେ ମରଣାନ୍ତକ ଆକ୍ରମଣ: ୨ଟି ବାର ସିଲ, ୫ ଗିରଫ

ସରକାରଙ୍କ ଦ୍ୱାରା ଜାରି ନିୟମ ପାଳନ କରିବାକୁ ଯାଇ ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ମହାନଗର ନିଗମର ଦୁଇ ଜଣ ଜୋନାଲ ଡେପୁଟି କମିଶନର ଓ ପୁଲିସ କର୍ମଚାରୀ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ଉଭୟ ବାରର କର୍ମଚାରୀମାନେ ମିଳିତ ଭାବେ ଏଭଳି କାଣ୍ଡ ଭିଆଇ ଥିବା ପ୍ରାଥମିକ ଭାବେ ଜଣାପଡିବା ପରେ ଉଭୟ ବାରକୁ ପୁଲିସ ସିଲ କରିଛି। ଏହି ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ରାତି ୧୦ଟାରୁ ଭୋର ୫ଟା ପର୍ଯ୍ୟନ୍ତ କୋଭିଡ ଯୋଗୁ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ଥିବା ବେଳେ ବିଏମସି ଅଧୀନରେ ଚନ୍ଦ୍ରଶେଖରପୁର କାନନ ବିହାର ଅଂଚଳରେ ଥିବା କ୍ରିଷ୍ଟାଲ କୋର୍ଟ ୱାର୍ଡରେ ଥିବା ‘ବିବିଆଇ’ ଓ ‘ଉପ୍ରି’ ବାର ରାତି ୧୦ଟା ପରେ ଖୋଲା ରହିଥିବା ଖବର ମିଳିଥିଲା। ଖବର ପାଇ ବିଏମସିର ଦୁଇ ଜଣ ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ଏବଂ ସ୍ୱରୂପ ନନ୍ଦନ ବେହେରା ଓ ଅନ୍ୟ ଅଧିକାରୀମାନେ ଚଢ଼ାଉ କରିବା ପାଇଁ ଯାଇଥିବା ବେଳେ ସେମାନଙ୍କୁ ବାର କର୍ମଚାରୀ କାର୍ଯ୍ୟରେ ବାଧା ଦେବାକୁ ଚେଷ୍ଟା କରିଥିଲେ। ଅଧିକାରୀମାନେ ଲିଫ୍ଟରେ ଥିବା ବେଳେ ବାର କର୍ମଚାରୀ ଲିଫ୍ଟରୁ ବିଦ୍ୟୁତ ବିଛିନ୍ନ କରି ଦେଇଥିଲେ ଯାହା ଫଳରେ ଅନ୍ଧାର ଓ ଗରମ ଭିତରେ ରାତି ୧୦.୨୫ ମିନିଟରୁ ୧୧.୧୦ ମିନିଟ ପ୍ରାୟ ୪୫ ମିନିଟ ଯାଏଁ ସମସ୍ତ ବିଏମସି ଅଧିକାରୀ ଓ କର୍ମଚାରୀ ଅଟକ ରହିଥିଲେ। ବିଏମସି ସହାୟତାରେ ସେମାନଙ୍କୁ ଉଦ୍ଧାର କରିବା ବେଳକୁ ପାଣି ଏବଂ ଅମ୍ଳଜାନ ଅଭାବବି ଯୋଗୁ ଉଭୟ ଅଧିକାରୀ ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ଏବଂ ସ୍ୱରୂପ ନନ୍ଦନ ବେହେରା ସଂଜ୍ଞାହୀନ ହୋଇ ପଡିବାରୁ ସେମାନଙ୍କୁ ନିକଟସ୍ତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଚଢ଼ାଉ ବେଳେ ବିଏମସି କର୍ମଚାରୀ ଓ ପୁଲିସ କର୍ମଚାରୀଙ୍କୁ ‘ବିବିଆଇ’ ଓ ‘ଉପ୍ରି’ ବାର’ର କର୍ମଚାରୀମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। କେବଳ ସେତିକି ନୁହେଁ, ସମ୍ପୃକ୍ତ କର୍ମଚାରୀମାନେ ବାର’ରେ ଥିବା ଲୋକମାନଙ୍କୁ ଆକ୍ରମଣ କରିବା ଓ ମାଡ଼ ମାରିବା ପାଇଁ ଉସୁକାଇ ଥିବା ଜଣାପଡିଥିଲା।

ବିଏମସି ପକ୍ଷରୁ ଦାୟର ଏତଲାରୁ ଜଣାପଡିଛି ଯେ ଉଭୟ ବାର’ର ଦୁଇ ଜଣ ପରିଚାଳକ ସନ୍ତୋଷ ବେହେରା ଓ ଅନନ୍ତ ନାଥ ଏବଂ ଅମିତ ପଣ୍ଡା, ରାକେଶ ଓ ଅନ୍ୟମାନେ ପୁଲିସ ଉପରେ ଆକ୍ରମଣ ସହ ମାଡ଼ ମାରିଥିବା ଜଣାପଡିଛି। ସେମାନେ ପୁଲିସ କର୍ମଚାରୀଙ୍କ ପୋଷାକ ଚିରିଦେବା ସହ ଆଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି। ବାର’ର କର୍ମଚାରୀମାନେ ସଙ୍ଗବଦ୍ଧ ହୋଇ ମଦ ବୋତଲ ଭାଙ୍ଗି ପୁଲିସ କର୍ମଚାରୀଙ୍କୁ ମାରିବାକୁ ଗୋଡ଼ାଇଥିଲେ। ଆହତ ପୁଲିସ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଛି।

Comments are closed.