ପରିଚୟ ଖୋଜୁଛି କରବିରାଖୋଲ; ଜଳ ହୋଇଛି ଜହର, ରେସନ ପାଇଁ ୧୫ କିମି ଯାତ୍ରା

ଢେଙ୍କାନାଳ ଜିଲା ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଛନ୍ତି ପିଲା

ବନ୍ତଳା: ଅନୁଗୋଳ ଓ ଢେଙ୍କାନାଳ ଜିଲାର ସୀମାନ୍ତରେ ଥିବା କରବିରାଖୋଲ ଗ୍ରାମବାସୀ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ରହିଛନ୍ତି। ଭୌ​‌‌ଗୋଳିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଅନୁଗୋଳଠାରୁ ପ୍ରାୟ ୩୫ କିମି ଗଲାପରେ ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଉଁଶପୋଖରୀ ଛକ ଦେଇ ଏହି ଗାଁକୁ ରାସ୍ତା ପଡିଛି। ଅନୁଗୋଳଠାରୁ ପାଖାପାଖି ୫୦ କିମି ଦୂରରେ ରହିଛି ଏହି ଗାଁ। ଗାଁଟି ଅନୁଗୋଳ ବ୍ଲକ ବଡ଼କନ୍ତକୁଳ ପଞ୍ଚାୟତ ଅଧୀନରେ ରହିଛି। ଏଠାରେ ପ୍ରାୟ ୧୮ ପରିବାର ରହୁଥିବାବେଳେ ଲୋକ ସଂଖ୍ୟା ୮୦ ହେବ। ବଡ଼ କନ୍ତକୁଳ ପଞ୍ଚାୟତର କଞ୍ଜା ଗାଁର କିଛି ଅଞ୍ଚଳ ଓ କରବିରା ଖୋଲ ଗାଁକୁ ନେଇ ୧୧ ନମ୍ବର ୱାର୍ଡ ଗଠିତ। କେଉଁକାଳରୁ ଏହି ଜଙ୍ଗଲ ମଧ୍ୟରେ ରହି ଆସୁଥିବା ଲୋକଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଆଦି ସୁବିଧା ପାଲଟିଛି ସାତ ସପନ। ଦୁଇ ଜିଲାର ସୀମାନ୍ତରେ ଘର ହୋଇ ଥିବାରୁ ତାହା ଅଭିଶାପ ପାଲଟିଛି ବୋଲି ଗାଁ ଲୋକ ପ୍ରକାଶ କରିଛନ୍ତି।

ଗାଁର ସୋମନାଥ ବେହେରା, ଲୋଚନ ବେହେରା, ଭାନୁମତି ବେହେରା, ସତ୍ୟବ୍ରତ ବେହେରା, ମେଘ ପ୍ରଧାନ, ସୁଶୀଲ ପ୍ରଧାନ ପ୍ରମୁଖ କହିଛନ୍ତି ଯେ ଗାଁକୁ ସବୁଦିନିଆ ରାସ୍ତା ନାହିଁ। ଗାଁଟି ରାଜସ୍ୱ ଗାଁ ନୁହଁ। ଜଙ୍ଗଲ ଗାଁ ହୋଇଥିବା ହେତୁ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁ ନାହିଁ ବୋଲି ଅଭିଯୋଗ କରିଛନ୍ତି।

ଗାଁଟି ଅନୁଗୋଳ ଜିଲାରେ କେବଳ ନାମକୁ ମାତ୍ର ରହିଛି। ଗାଁ ଲୋକ ଦୈନନ୍ଦିନ କାର୍ଯ୍ୟ ପାଇଁ ଅନୁଗୋଳ ନୁ​‌େ​‌ହଁ ଢେଙ୍କାନାଳ ଜିଲାର ହିନ୍ଦୋଳ ଉପରେ ନିର୍ଭର କରନ୍ତି। ଯେଉଁ ଗରିବ ଲୋକମାନେ ଏଠି ବାସ କରନ୍ତି ସେମାନେ ରାସନ ସାମଗ୍ରୀ ପାଇଁ ଦୁଇ ଜିଲା ହୋଇ ପାଖାପାଖି ୧୫ କିମି ଯାଇକି ସାମଗ୍ରୀ ଆଣନ୍ତି। ଏହି ସବୁ ଅସୁବିଧାଠାରୁ ଏବେ ବଳି ପଡିଛି ପାନୀୟଜଳ ସମସ୍ୟା। ପିଇବା ପାଣି ସେମାନଙ୍କୁ ମୃତ୍ୟୁର ଦ୍ୱାରା ଦେଶକୁ ଠେଲି ଦେଉଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି। ଗାଁଟି ପାହାଡ଼ ଉପରେ ହୋଇଥିବାରୁ ଏଠାରେ ପିଇବା ପାଇଁ ଉପଯୁକ୍ତ ପାଣି ମୁନ୍ଦେ ମିଳିପାରି ନାହିଁ। ପିଇବାକୁ ଯେଉଁ ପାଣି ଅଛି ଏବେ ତାହା ଜହର ପାଲଟିଛି। ଦୂଷିତ ପାଣି ହେତୁ ଦୀର୍ଘଦିନ ହେବ ଗାଁରେ ଲାଗି ରହିଛି କିଡନୀ ରୋଗର ସମସ୍ୟା। ଶିକ୍ଷା ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି। ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ଅଧୀନରେ ଏହି ଗାଁ ରହିଛି। ଜଙ୍ଗଲ ଗାଁ ହେତୁ ଗାଁର ପ୍ର​‌େ​‌ତ୍ୟକ ପରିବାରକୁ କିଛି କିଛି ଜମି ଚାଷ କରିବା ପାଇଁ ଜଙ୍ଗଲ ବିଭାଗ ଲିଖିତ ଆକାରରେ ପ୍ରଦାନ କରିଛି। ଗାଁରେ ବିଭାଗ ପକ୍ଷରୁ ଜଙ୍ଗଲ ଗ୍ରାମ ପ୍ରାଥମିକ ବିଦ୍ୟାଳୟ ନାମରେ ଏକ ଗୃହନିର୍ମାଣ ହୋଇଛି। ବର୍ତ୍ତମାନ ତାହା ଭଗ୍ନ ଅବସ୍ଥାରେ ଥିବା ଦେଖାଯାଇଛି। ଆଜି ପର୍ଯ୍ୟନ୍ତ କୌଣସି ଶିକ୍ଷକ ଏଠାରେ ନିଯୁକ୍ତି ହୋଇ ନାହାନ୍ତି। ଗାଁର ଛୋଟ ଛୋଟ ପିଲା ପାଠ ପଢିବାକୁ ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ କରାବିରା ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଥିବା ଗାଁ ଲୋକ ପ୍ରକାଶ କରିଛନ୍ତି।

Comments are closed.