ଭାବପ୍ରବଣ ଆଗରେ ହାର ମାନିଲା କଟକଣା, ବଂଶଧାରା ବସନ୍ତ ମହୋତ୍ସବ ଉଦଯାପିତ

ରାୟଗଡାର ଲୁକ୍କାୟିତ କଳା, ସଂସ୍କୃତି ଓ ପରମ୍ପରା ନେଇ ଆୟୋଜିତ ନବମ ବଂଶଧାରା ବସନ୍ତ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି। ଆଜି ସନ୍ଧ୍ୟାରେ ସୃଜନୀ ରଙ୍ଗମଞ୍ଚରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ଯୋଗଦେଇ ଏହି ଅଞ୍ଚଳର ବିକାଶ ପାଇଁ ନବୀନ ସରକାର ସର୍ବଦା ଚେଷ୍ଟିତ ବୋଲି କହିଥଲେ। ଦ୍ରୁତଗତିରେ ଗୁଣପୁର ସହର ବିକାଶ ହେଉଥିବା ବେଳେ ଏହାର ବହୁବିଧ ଉନ୍ନତି ଆମର ଲକ୍ଷ୍ୟ ଅଟେ। ଜିଲାର ରାୟଗଡା ଓ ଗୁଣପୁର ଉପଖଣ୍ଡ ମେଡିକାଲକୁ ନିଜସ୍ୱ ପାଣ୍ଠିରୁ ଆମ୍ବୁଲାନ୍ସ ପ୍ରଦାନ କରିବାକୁ ସାଂସଦ ପାଣ୍ଠିକୁ ସହାୟତା ପ୍ରଦାନ କରିବେ ବୋଲି ମଞ୍ଚରେ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ମାନୀତ ଅତିଥି ଭାବେ ରାଜ୍ୟ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଠା ସୁଧିର ଦାଶ ଯୋଗଦେଇ କଳା,ସଂସ୍କୃତିର ମାଟି ଆମ ରାଜ୍ୟ। ଏହାର ବିକାଶ ନିମନ୍ତେ ନବୀନ ସରକାର ବିବିଧ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହି ଉତ୍ସବ ଦ୍ୱାରା କଳା, ସଂସ୍କୃତି ପ୍ରଦର୍ଶନ କରିବାରେ ଏକ ପ୍ଲାଟଫର୍ମ ପାଲଟିଛି। ସବୁ ଦଳର ନେତା, କର୍ମୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ସହ ଭାଇଚାରାର ଏକ ଉଦାହରଣ ପାଲଟିଛି ଏହି କାର୍ଯ୍ୟକ୍ରମ। ଅନ୍ୟତମ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଯୋଗଦେଇ କଳା, ସଂସ୍କୃତି ଓ ପରମ୍ପରା ନୂତନ ପିଢୀ ପାଇଁ ଏକ ଉଦାହରଣ ପାଲଟିଛି ବୋଲି ମତ ଦେଇଛନ୍ତି।

ନବନିର୍ମାଣ ସମିତିର ଅଧ୍ୟକ୍ଷ ଅକ୍ଷୟ ଦାଶ ସଭାପତିତ୍ୱ କରି ଉତ୍ସବ ଦ୍ୱାରା ସ୍ଥାନୀୟ କଳାକାରଙ୍କ ଲୁକାୟିତ କଳା, ସଂସ୍କୃତି, ପରମ୍ପରା ଦେଶବିଦେଶରେ ଉଜ୍ଜିବିତ କରିବା ହିଁ ଏହାର ଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଛନ୍ତି। ସଂଗଠନର ସମ୍ପାଦକ ରଞ୍ଜିତ ପାଢୀ ସମ୍ପାଦକୀୟ ପାଠ କରି ଉତ୍ସବର ଲକ୍ଷ୍ୟ ଓ ଆଗାମୀ ଯୁବପୀଢୀ ପାଇଁ ନୂତନ ଉନ୍ମେଦନା ସୃଷ୍ଟି କରିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଛନ୍ତି।ମଣ୍ଡପରେ ବଂଶଧାରା ସ୍ମରଣିକା ଅତିଥିଙ୍କ ଦ୍ୱରା ଉନ୍ନୋଚିତ କରାଯାଇଥିଲା। ଉତ୍ସବ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ସମ୍ମାନୀତ କରାଯାଇଛି।

କୋଭିଡ-୧୯ କଟକଣାକୁ ପାଳନ କରିଥିବା ବେଳେ ଭାବପ୍ରବଣ ଆଗରେ ଏହି ନିୟମ ହାର ମାନିଛି। ବହୁ ସଂଖ୍ୟାରେ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ନବନିର୍ମାଣ ସମିତିର ଉପସଭାପତି ଉମା ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଳା, ସଂସ୍କୃତିର ସାଧକ, ପ୍ରକୃତି ପ୍ରେମୀ ଡଃ ଗିରିଧର ଗମାଙ୍ଗଙ୍କ ହିଡେନ ଟାଲେଣ୍ଟ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ତେଲୁଗୁ ଟ୍ରାକ ସଂଗୀତ ଦର୍ଶକଙ୍କୁ ମନମୁଗ୍ଧ କରିଥିଲା।

ଏହି କାର୍ଯ୍ୟକ୍ରମକୁ ରମେଶ ମିଶ୍ର, କମଳକାନ୍ତ ଖୁଣ୍ଟିଆ, ଅଶ୍ୱିନୀ ତ୍ରିପାଠୀ, ଟୁନା ମିଶ୍ର, ନିଳମାଧବ ଦାଶ, ମେଘନାଦ ଚୌଧୁରୀ, ଦିନେଶ ଅଧିକାରୀ, ଶିବ ଡାକୁଆ, ଦୁର୍ଗାପ୍ରସାଦ ପାଣିଗ୍ରାହି, ଦୁର୍ଗାପ୍ରସାଦ ଶତପଥି, ପ୍ରବୀଣ ଗମାଙ୍ଗ, ଆଶୁତୋଷ ବରାଳ, ସିଲୁ ଆଚାର୍ଯ୍ୟ, ପ୍ରବୀଣ ଶବର, କୌଳାସ ଦାଶ, ରାଜେଶ ପାଢୀ, ସିମାଦ୍ରି ଭେଙ୍କଟିକିଷ୍ଣା, ଦିପକ ଚୌଧୁରୀ, ପୂର୍ବତନ ଜିଆଇଇଟି କର୍ମଚାରୀ ତଥା ମୋତିଲାଲନଗର ଅଞ୍ଚଳର ଯୁବନେତା ବି.ରବି କୁମାର, ସତ୍ୟଜିତ ମିଶ୍ର, କିରଣ କୁମାର, ଦିଲ୍ଲିପ ଚୌଧୁରୀ, ବରିଷ୍ଠ ଆଇନଜୀବୀ ଉମା ପଟ୍ଟନାୟକ, ଓକିଲ ସଂଘର ସଭାପତି ବ୍ରହ୍ମାନନ୍ଦ ପଟ୍ଟନାୟକ, ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷ ବିଜୟ କୁମାର ଗମାଙ୍ଗ, କ୍ରିଡା ସଂସଦ ସମ୍ପାଦକ ସପନ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.