ବଂଶଧାରା ଜଳ ବିବାଦ ପ୍ରାଧିକରଣଙ୍କ ନିଷ୍ପତ୍ତି ; ନେରେଡ଼ି ଆନିକଟ ନିର୍ମାଣକୁ ଅନୁମତି

ଭୁବନେଶ୍ୱର : ବଂଶଧାରା ନଦୀ ଉପରେ ନେରେଡିଠାରେ ଆନିକଟ ନିର୍ମାଣ ପାଇଁ ଦୀର୍ଘ ୫୬ ବର୍ଷ ହେଲା ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଲାଗି ରହିଥିବା ନ୍ୟାୟିକ ବିବାଦର ରାୟ ପ୍ରକାଶ ପାଇଛି। ବଂଶଧାରା ଜଳବିବାଦ ପ୍ରାଧିକରଣ(ଭିଡବ୍ଲ୍ୟୁଡିଟି) ନେରାଡି ଠାରେ ଆନିକଟ ନିର୍ମାଣ କରିବାକୁ ଆନ୍ଧ୍ର ପ୍ରଦେଶକୁ ଅନୁମତି ଦେଇଛନ୍ତି। ପ୍ରାଧିକରଣଙ୍କ ନିଷ୍ପତ୍ତି ଅନୁଯାୟୀ, ବ୍ୟାରେଜ୍‌ରେ ଦୁଇଟି ମୁଖ୍ୟ ସ୍ଲୁଇସ୍‌ ଫାଟକ ରହିବ। ଆନ୍ଧ୍ରପ୍ରଦେଶର ଜଳସେଚନ ବ୍ୟବସ୍ଥା ପାଇଁ ବାମ ପଟେ ଓ ଓଡ଼ିଶା ପାଇଁ ଦକ୍ଷିଣ ପାର୍ଶ୍ବରେ ମଧ୍ୟ ଅନୁରୂପ ସ୍ଲୁଇସ୍‌ ଫାଟକ ରହିବ। ଆନ୍ଧ୍ରପ୍ରଦେଶ ତା’ର ଆବଶ୍ୟକତା ପାଇଁ ପ୍ରତିବର୍ଷ ପ୍ରତିବର୍ଷ ଜୁନ୍ ପହିଲାରୁ ନଭେମ୍ବର ୩୦ ତାରିଖ ମଧ୍ୟରେ ୮ ହଜାର କ୍ୟୁସେକ୍‌ ଜଳ ନେବ। ବ୍ୟାରେଜ୍ ତଳମୁଣ୍ଡରେ ସ୍ଲୁଇସ୍‌ ଡିସେମ୍ବର ପହିଲାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଜଳ ଉପରେ ଉଭୟ ରାଜ୍ୟଙ୍କ ଅଧିକାର ରହିବ। ଆନିକଟ ନିର୍ମାଣ ଲାଗି ଆବଶ୍ୟକ ୧୦୬ ଏକ ଜମି ଓଡ଼ିଶା ସରକାର ଅଧିଗ୍ରହଣ କରିବେ। ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ଅର୍ଥ, ବିସ୍ଥାପିତଙ୍କ ଥାଇଥାନ ଓ ପୁର୍ନବାସ ଅର୍ଥ ମଧ୍ୟ ଆନ୍ଧ୍ରପ୍ରଦେଶ ସରକାର ବହନ କରିବାକୁ ପ୍ରାଧିକରଣ ନିର୍ଦେଶ ଦେଇଛନ୍ତି।
ପ୍ରାଧିକରଣଙ୍କ ନିଷ୍ପତ୍ତିକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡି ସ୍ୱାଗତ କରିଛନ୍ତି। ପ୍ରାଧିକରଣ ଅଧ୍ୟକ୍ଷ ଡ. ମୁକୁନ୍ଦକ ଶର୍ମା ସୋମବାର ଏହାର ନିଷ୍ପତି ନେଇ କେନ୍ଦ୍ରକୁ ଅବଗତ କରାଇଥିଲେ। ଯଦି ଏନେଇ କେନ୍ଦ୍ର ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଏ ତାହା ହେଲେ ପ୍ରାଧିକରଣର ରାୟ କାର୍ଯ୍ୟକାରୀ ହେବ। ତେବେ ଓଡ଼ିଶା ସରକାରଙ୍କ ପକ୍ଷରୁ ପୂର୍ବରୁ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆଧାରରେ କେନ୍ଦ୍ର ବିଜ୍ଞପ୍ତି ଜାରି କରିବ।
ଏ ସମ୍ପର୍କରେ ରାଜ୍ୟ ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ, କୌଣସି ଉତ୍ତର ମିଳି ନ ଥିଲା। ମାତ୍ର ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ବଂଶଧାରା ଜଳବିବାଦ ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି। ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଶାସନ ସଚିବ ତ୍ରିବିକ୍ରମ ପ୍ରଧାନ ସୁପ୍ରିମକୋର୍ଟ ଅଧିବକ୍ତାଙ୍କ ସହିତ ସମନ୍ୱୟ ରକ୍ଷା କରି ମାମଲା ପରିଚାଳନାରେ ସହଯୋଗ କରୁଛନ୍ତି। ରାଜ୍ୟର ଯେଭଳି କୌଣସି କ୍ଷତି ନ ଉପୁଜେ ତାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ସବୁ ପ୍ରକାର କାଗଜପତ୍ର ପ୍ରଦାନ କରାଯାଇଛି। ତେବେ ବଂଶଧାରା ପ୍ରାଧିକରଣର ଯେଉଁ ନିଷ୍ପତି ରହିଛି ତାହା ସୁପ୍ରିମକୋର୍ଟରେ ଗ୍ରହଣଯୋଗ୍ୟ ହୋଇ ନପାରେ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ପ୍ରାଧିକରଣ ପକ୍ଷରୁ ୨୦୧୭ ସେପ୍ଟେମ୍ବର ୧୩ ତାରିଖରେ ଚୁଡ଼ାନ୍ତ ରାୟ ଆସିଥିଲା। ଯେଉଁଥିରେ ଦକ୍ଷିଣ ଓ ବାମ ମୁଣ୍ଡରେ ନିର୍ମିତ ହେବାକୁ ଥିବା ସ୍ଲୁଇସକୁ ନେଇ ସ୍ୱତନ୍ତ୍ର ନିର୍ଦେଶନାମା ରହିଛି। ଦକ୍ଷିଣ ମୁଣ୍ଡ ସ୍ଲୁଇସରେ ୮ ହଜାର କ୍ୟୁସେକ ଜଳଧାରଣ କ୍ଷମତା ବିଶିଷ୍ଟ ହେବ। ଏଥିରେ ଆନ୍ଧ୍ର ପ୍ରଦେଶର ଆବଶ୍ୟକତା ପୂରଣ ହେବ। ବ୍ୟାରେଜ ତଳେ ବାମ ମୁଣ୍ଡରେ ଓଡ଼ିଶାର ଆବଶ୍ୟକତା ଅନୁଯାୟୀ ଜଳଧାରଣା କ୍ଷମତାର ବ୍ୟବସ୍ଥା କରାଯିବ ବୋଲି ପ୍ରାଧିକରଣ ପକ୍ଷରୁ କୁହାଯାଇଛି। ନିଜ ନିଜ ପକ୍ଷରୁ ସ୍ଲୁଇସ ନିର୍ମାଣ ଖର୍ଚ୍ଚ ଉପକୃତ ରାଜ୍ୟ ମାନଙ୍କ ପକ୍ଷରୁ ନିଆଯିବ। ଭବିଷ୍ୟତରେ ଆନିକଟର ଉଚ୍ଚତା ଓଡ଼ିଶା ସରକାର ବୃଦ୍ଧି କରିବାକୁ ଚାହିଁଲେ ପ୍ରସ୍ତାବିତ ବ୍ୟାରେଜ ଖର୍ଚ୍ଚ ଉଭୟ ରାଜ୍ୟ ପକ୍ଷରୁ ବହନ କରାଯିବ ବୋଲି ପ୍ରାଧିକରଣ ପକ୍ଷରୁ କୁହାଯାଇଥିଲା। ତେବେ ଏହାକୁ ଓଡ଼ିଶା ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ଚାଲେଞ୍ଜ କରିଥିଲେ। ଏହି ପ୍ରସଙ୍ଗକୁ ରାଜ୍ୟ ସରକାର ସଠିକ ଭାବେ ପରିଚାଳନା କରିପାରି ନ ଥିବା ଅଭିଯୋଗ ହେଉଥିବା ବେଳେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଆନିକଟ ନିର୍ମାଣ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି। ଏପରିକି ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ଜନ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରିବାକୁ ଜଗନ ମୋହନ ରେଡ୍ଡି ଯୋଜନା ରଖିଛନ୍ତି। ପ୍ରାଧିକରଣଙ୍କ ରାୟ ଉଭୟ ରାଜ୍ୟ ପାଇଁ ହିତକର ହେବ ବୋଲି ସେ କହିଛନ୍ତି।

Comments are closed.