ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସହକାରୀ ପରିଚାଳକ ଅମ୍ବରିଶ ଦାସଙ୍କ ପରଲୋକ

ବାଙ୍କୀ: ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ସହକାରୀ ବ୍ୟାଙ୍କ ପରିଚାଳକ ଅମ୍ବରିଶ ଦାସ(୫୨)ଙ୍କର ବୁଧବାର ମଧ୍ୟରାତ୍ରରେ ପରଲୋକ ହୋଇଯାଇଛି। ୧ସପ୍ତାହ ଧରି ସେ ଅସୁସ୍ଥ ଥିଲେ। ଅସୁସ୍ଥ ହେତୁ ଚିକିତ୍ସିତ ହେଉଥିଲେ। ବୁଧବାର ସନ୍ଧ୍ୟାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକମାନେ ତାଙ୍କୁ କଟକ ବଡମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି।

ଜଣେ ନିଷ୍ଠାପର ଏବଂ ଶ୍ରେଷ୍ଠ ପରିଚାଳକ ଭାବରେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କରେ କାର୍ଯ୍ୟ କରିବା ଏବଂ ପୂର୍ବରୁ କଳାପଥର ଶାଖା ବ୍ୟାଙ୍କରେ ପରିଚାଳକ ଭାବରେ କାର୍ଯ୍ୟକରି ଅଞ୍ଚଳର କୃଷକ ମାନଙ୍କ ପାଇଁ ବହୁ କାର୍ଯ୍ୟ କରିଥିବା ଜାଣିବାକୁ ମିଳିଛି। ତାଙ୍କର ପରଲୋକ ଖବର ଗୁରୁବାର ଦିନ ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ସୁବାଷ ଚନ୍ଦ୍ର ପାଢୀ, ରାଜ୍ୟ ସମବାୟ ବ୍ୟାଙ୍କର ପୂର୍ବତନ ନିଦ୍ଦେଶକ ଗତିକୃଷ୍ଣ ସ୍ୱାଇଁ, ସ୍ଥାନୀୟ ସରପଞ୍ଚପ୍ରଦୀପ କୁମାର ବେହେରା, ସମିତିସଭ୍ୟ ସଂଗ୍ରାମକେଶରୀ ସାମନ୍ତସିଂହାର, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ନାୟକ, ପୂର୍ବତନ ସରପଞ୍ଚ ପ୍ରଭାତ ନାୟକ,ଭରତ ବେହେରା, ସମାଜସେବୀ ସମରେନ୍ଦ୍ର ସାମଲଙ୍କ ସମେତ ବାଙ୍କୀ, ତିଗିରିଆ, ଡମପଡା, ସରଣ୍ଡା,ବଡମ୍ବା, ନରସିଂହପୁର ଆଦି କେନ୍ଦ୍ର ସମବାୟ ବ୍ୟାଙ୍କର ଶାଖା କାର୍ଯ୍ୟାଳୟରୁ ପଦାଧିକାରୀ ଓ ସହକର୍ମୀଙ୍କ ସହିତ ବହୁ ସମବାୟ ବିତ୍‍, ନିର୍ଦ୍ଦେଶକ ଏବଂ ପ୍ରିୟଜନ ମାନେ ତାଙ୍କ ବନ୍ଦାଳ ସ୍ଥିତ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିବା ଜଣାପଡ଼ିଛି। ସେ ଜଣେ ନୀତିନିଷ୍ଠ,ଧର୍ମପରାୟଣ, ବହୁ ସାମାଜିକ ଅନୁଷ୍ଠାନ ସହିତ ସମ୍ପୃକ୍ତ ଓ ସମାଜସେବା କ୍ଷେତ୍ରରେ ଜଣେ ଅଗ୍ରଣୀ ବ୍ୟକ୍ତି ଭାବରେ ଅନୁରୂପ କାର୍ଯ୍ୟ କରିଥିବା ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଜରିଆରେ ବହୁ ଶୁଭେଚ୍ଛୁ ଶୋକ ପ୍ରକାଶ କରିଛନ୍ତି। ବନ୍ଦାଳ ସ୍ଥିତ ଗ୍ରାମ ଶ୍ମସାନ ଠାରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି। ବଡପୁତ୍ର ଅଭି ମୁଖାଗ୍ନି ଦେଇଥିବା ଜଣାପଡ଼ିଛି।

Comments are closed.