ବନ୍ୟା ପରବର୍ତ୍ତି କାକୁଡି ଚାଷ; ବଜାର ଦର ୩୦ଟଙ୍କା, ଚାଷୀ ପାଉଛି ୮ରୁ ୧୦ଟଙ୍କା

ବାଙ୍କୀ: ବାଙ୍କୀ-ଡମପଡା ବ୍ଲକ ଅଧିନ ଭଗିପୁର, ପାଥପୁର ଓ କୁଶପଙ୍ଗି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଦୀର୍ଘ ୧ଦଶନ୍ଧି ଧରି କାକୁଡି ଚାଷର ପତିଆରା ରହିଛି। କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ବ୍ରହ୍ମପୁର ବଜାରରେ ଖରାଟିଆ ହେଉ କିମ୍ବା ଜାଡୁଆଳି କାକୁଡି ବେଶ୍‍ ପରିଚିତ। କ୍ଷେତ ମୁଣ୍ଡରୁ ବ୍ୟବସାୟୀ ପହଞ୍ଚି ଟନ୍‍ ଟନ୍‍ କାକୁଡି କିଣି ବଜାରକୁ ନେଇ ଆସନ୍ତି। ବିଡମ୍ବନାର ବିଷୟ ଚଳିତ ବର୍ଷ ବନ୍ୟା, ବତ୍ୟା ଏବଂ କରୋନା ପ୍ରଭାବରେ ଚାଷ ଓ ଚାଷୀ ପ୍ରଭାବିତ ହୋଇ ଆର୍ଥିକ କ୍ଷତି ସହିଛନ୍ତି। ଅଗଷ୍ଟ ମାସର ମଧ୍ୟମ ଧରଣର ବନ୍ୟାରେ ଏହି ଅଞ୍ଚଳର ଚାଷ ପ୍ରଭାବିତ ହୋଇ ଚାଷୀ କ୍ଷତି ସହିଥିଲାବେଳେ କାକୁଡି ଚାଷ ବାଦ୍‍ ପଡ଼ିନାହିଁ।

ଭଗିପୁର, କଇଁମୁଣ୍ଡି, ଚାରିଘେରିଆ, ପାଥପୁର, ଅମରେନ୍ଦ୍ରପୁର, ଚକୁଳେଶ୍ୱର, ମୁରାରିପୁର, କାଳିକା ପ୍ରସାଦ ଆଦି ଅଞ୍ଚଳର ଶତାଧିକ କାକୁଡି ଚାଷୀ ପ୍ରାୟ ଶହ ଶହ ହେକ୍ଟର କାକୁଡି ଚାଷ କରି ଏବେ ଚିନ୍ତାରେ। ବନ୍ୟା ପରେ ପରେ ପ୍ରଭାବରୁ ସୁଧୁରିଥିବା କାକୁଡି କ୍ଷେତରୁ ଏବେ ଟନ୍‍ ଟନ୍‍ କାକୁଡି ଅମଳ ହେଉଛି। ୨ସପ୍ତାହ ତଳେ କାକୁଡି କିଲୋ ପିଛା ବଜାର ଦର ୪୦ରୁ ୪୫ଟଙ୍କା ହୋଇଥିବା ଖୁସୀରେ ଲାଭବାନ ହେବା ଆଶା କରିଥିବା ଚାଷୀ ଏବେ ଦୁର୍ଦ୍ଦିନରେ। ବଜାର ଦର ୩୦ଟଙ୍କା ଥିବା ବେଳେ ଅସାଧୁ ବ୍ୟବସାୟୀ ମାନେ ୮ରୁ ୧୦ଟଙ୍କାରେ କାକୁଡି କିଣି ଚାଷୀଙ୍କୁ ଠକୁଥିବାର ଅଭିଯୋଗ ହେବା ସହିତ ଚାଷୀ ଅସନ୍ତୋଷ ବଢିଛି।

ସୂଚନା ଯୋଗ୍ୟ ଯେ, ବାଙ୍କୀରେ ବଜାର ଦର ନିୟନ୍ତ୍ରଣ ଏବଂ ଚାଷୀ ମାନଙ୍କୁ ଉତ୍ପାଦିତ କୃଷି ସାମଗ୍ରୀର ଧାର୍ଯ୍ୟ ଦର ପ୍ରଦାନ କ୍ଷେତ୍ରରେ ବିଧିବଦ୍ଧ ସ୍ଥାନୀୟ ବ୍ୟବସ୍ଥା ନ ଥିବାରୁ ଚାଷୀ ମାନେ ଶୋଷଣର ଶିକାର ହେଉଛନ୍ତି। ଜମ୍ବେଶ୍ୱର ସାହୁ, ବିକାଶ ସାହୁ, ବେଣୁଧର ସାହୁ, ବଲ୍ଲଭ ବେହେରା, ତପନ ରାଉତ, ନିଳମଣି ସାହୁ ପ୍ରମୁଖ କାକୁଡି ଚାଷୀ ଧାର କରଜ କରି ବନ୍ୟା ପରେ ପରେ କାକୁଡି ଚାଷ କରିଥିଲେ। ମାତ୍ର ୨ସପ୍ତାହ ହେବ କାକୁଡି କିଲୋ ପିଛା ୮ରୁ ୧୦ଟଙ୍କାରେ ବ୍ୟବସାୟୀ କିଣୁଥିବାରୁ କ୍ଷେତରେ ମଜୁରୀ ଲଗାଇ କାକୁଡି ତୋଳି ବିକିବାରେ ଲାଭ ହେଉ ନ ଥିବା କହିଛନ୍ତି। ସେପଟେ ୩ଦିନର କୋହଲା ପାଗରେ କାକୁଡି ପତ୍ର ହଳଦିଆ ପଡ଼ିବା ଏବଂ କାକୁଡିରେ ଦାଗ ଦାଗ ଚିହ୍ନ ରହି ପଚିଯିବା ହେତୁ ଆମଦାନୀ ପ୍ରଭାବିତ ହୋଇ ଗ୍ରାହକର ଆଦର ପାଇ ନ ଥିବା ଚାଷୀ ନିଳମଣୀ ସାହୁ କହିଛନ୍ତି।

ରବିବାର ଦିନ କାକୁଡି କ୍ଷେତରୁ ତୋଳିବା ସମୟରେ ପଚିସଢିଯାଇଥିବା କାକୁଡିକୁ ପ୍ରଦର୍ଶନ କରି ଗଣମାଧ୍ୟମ ଜରିଆରେ ଉଦ୍ୟାନ କୃଷି ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଚାଷୀ ନୀଳମଣି ପ୍ରଦର୍ଶନ କରି ଚାଷୀ ମାନଙ୍କର ସଙ୍କଟ ସମ୍ପର୍କରେ କହିଛନ୍ତି। ଉଦ୍ୟାନ କୃଷି ଅଧିକାରୀଙ୍କ ସହିତ କାକୁଡି ଚାଷ ସମ୍ପର୍କରେ ଜାଣିବା ପାଇଁ ଯୋଗା ଯୋଗ ହୋଇପାରିନାହିଁ। ଉଦ୍ୟାନ ବିଭାଗର ଅଧିକାରୀ ମାନେ କରୋନା କଟକଣା ହେତୁ ନିୟମିତ ଚାଷୀ ମାନଙ୍କ ସହ ଯୋଗା ଯୋଗ ହୋଇପାରୁନଥିବାରୁ କ୍ଷେତରେ ରୋଗ ପୋକ ନିୟନ୍ତ୍ରଣରେ ସମସ୍ୟା ଆସୁଥିବା ସମ୍ପର୍କରେ ଚାଷୀ ମାନେ କହିଛନ୍ତି।

ସେପଟେ କାକୁଡିର ଦର ହ୍ରାସ ସମ୍ପର୍କରେ ବ୍ୟବସାୟୀ ମାନଙ୍କ ସହ ଯୋଗା ଯୋଗ କରିବାରୁ ଭୁବନେଶ୍ୱର ୧ନଂ ହାଟରେ କାକୁଡିର ଚାହିଦା କମିବା, କରୋନା ପ୍ରଭାବରେ କଲେଜ, ବିଦ୍ୟାଳୟ ଏବଂ ନିୟମିତ ଜନସାଧାରଣଙ୍କର ଜାଆସ ନ ଥିବାରୁ ଉତ୍ପାଦିତ କାକୁଡି ବଜାରରେ ଦର କମ୍‍ ଥିବାରୁ ଚାଷୀଙ୍କ ଠାରୁ କମ୍‍ ଦାମରେ କାକୁଡି କିଣାଯାଉଛି। ପ୍ରାୟ ଏହି ଅଞ୍ଚଳରୁ ଦୈନିକ ପିକ୍‍ଅପ୍‍ ଭ୍ୟାନରେ ଭୁବନେଶ୍ୱର ବଜାରକୁ ୫ଟନ୍‍ରୁ ଅଧିକ କାକୁଡି ଯାଉଥିବା ଚାଷୀ ଓ ବ୍ୟବସାୟୀ ମାନେ କହିଛନ୍ତି। ସ୍ଥାନୀୟ ଜାତମୁଣ୍ଡିଆ ଠାରେ ନିର୍ମାଣ ସରିଥିବା କୃଷି ବଜାରକୁ କାର୍ଯ୍ୟକାରୀ କରାଗଲେ ସ୍ଥାନୀୟ ଅଞ୍ଚଳର କୃଷକ ମାନେ ନିଜର କୃଷି ଉତ୍ପାଦିତ ଦ୍ରବ୍ୟର ବିକ୍ରିବଟା କରି ଲାଭବାନ ହେବେ ବୋଲି କହିଛନ୍ତି। ଏଦିଗରେ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି।

Comments are closed.