ବାଙ୍କୀରେ ଅବକାରୀ ବିଭାଗର ଚଢ଼ାଉ; ୨୭୦୦ଲିଟର ପୋଚ ନଷ୍ଟ

ବାଙ୍କୀ: ବାଙ୍କୀ ଅବକାରୀ ବିଭାଗ, ଆଠଗଡ ଅବକାରୀ ବିଭାଗ ଏବଂ କଟକ ମୋବାଇଲ ସ୍କ୍ୱାଡ ନଂ-୧ ମିଳିତ ଭାବରେ ଗୁରୁବାର ବାଙ୍କୀ ଓ ବୈଦେଶ୍ୱର ଥାନାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଚଢାଉ ସମୟରେ ୨୭୦୦ ଲିଟର ପୋଚ ଜବତ କରାଯାଇ ନଷ୍ଟ କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଦୀର୍ଘ ଦିନ ହେବ ବାଙ୍କୀର ଜାମୁଣ୍ଡି, ବରପୁଟ୍ଟ ଓ ପଶାଣିଆ ଅଞ୍ଚଳରେ ବ୍ୟାପକ ଚୋରା ମଦ ରନ୍ଧା ହେଉଥିବାର ଅଭିଯୋଗ ହେଉଥିଲା। ଏହି ବେଆଇନ ଚୋରା ମଦ ପ୍ରସ୍ତୁତିରେ ଅଭିଯୁକ୍ତ ଥିବା ବ୍ୟକ୍ତି ମାନଙ୍କୁ ଧରିବା ପାଇଁ ଚଢାଉ କରାଯାଇଥିଲା ବେଳେ ଅବକାରୀ ବିଭାଗକୁ ସଫଳତା ମିଳି ନ ଥିବା ଜଣାପଡ଼ିଛି। ଏହି ଚଢଉରେ ପଶାଣିଆ ଅଞ୍ଚଳର ଗ୍ରାମ୍ୟ ଜଙ୍ଗଲ ମଧ୍ୟରୁ ୩ଟି ସ୍ଥାନ ଉପରେ ମିଳିତ ଚଢଉ କରାଯାଇ ୨୭୦୦ଲିଟର ପୋଚକୁ ନଷ୍ଟ କରାଯାଇଥିବା ବାଙ୍କୀ ଅବକାରୀ ବିଭାଗ ସୂତ୍ରରୁ ଖବର ମିଳିଛି।

ଏହି ଚଢାଉରେ ବାଙ୍କୀ ଅବକାରୀ ବିଭାଗ ଅଧିକାରୀ ଟେଲେସପର ଲାକ୍ରା,ଏ.ଏସ.ଆଇ ଦିପକ କୁମାର ସାମଲ, କନେଷ୍ଟବଳ ସଞ୍ଜୟ କୁମାର ରାଉତ, ସନ୍ତୋଷ କୁମାର ମହାରଣା, ଦୁଷ୍ମନ୍ତ କୁମାର ବସନ୍ତରାୟ ପ୍ରମୁଖ ସାମିଲ ଥିଲେ। ଘଟଣା ସ୍ଥଳରେ ଅବକାରୀ ବିଭାଗ ଜବତ ହୋଇଥିବା ପୋଚ ଓ ଅନ୍ୟାନ୍ୟ ସାମଗ୍ରୀକୁ ନଷ୍ଟ କରିଥିବା ସୂଚନା ମିଳିଛି। କୌଣସି ସୂତ୍ରରୁ ଖବର ପାଇ ଚୋରା ମଦ ରନ୍ଧା କାରବାରରେ ସମ୍ପୃକ୍ତ ଥିବା ବ୍ୟକ୍ତି ମାନେ କୌଶଳ କ୍ରମେ ଖସିଯିବାରେ ସଫଳ ହୋଇଛନ୍ତି।

Comments are closed.