ବାଙ୍କୀରେ ୩୫ପଞ୍ଚାୟତର ୧୩ହଜାର ୭୭୮ହେକ୍ଟର ଚାଷ ଜମୀ ବନ୍ୟାରେ କ୍ଷତିଗ୍ରସ୍ତ

ବାଙ୍କୀ: ଚଳିତ ବର୍ଷ ମହାନଦୀର ମଧ୍ୟମ ଧରଣର ବନ୍ୟା ପ୍ରଭାବରେ ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଡମପଡା ବ୍ଲକର ୧୭ଗୋଟି ପଞ୍ଚାୟତର ୮ହଜାର ୮୯୬ହେକ୍ଟର ଧାନ ଓ ଅଣଧାନ ଚାଷ,ବାଙ୍କୀ ବ୍ଲକର ୧୮ଗୋଟି ପଞ୍ଚାୟତର ୪ହଜାର ୮୮୨ହେକ୍ଟର ଖରିଫ୍‍ ଧାନ ଓ ପନିପରିବା ଚାଷ ବ୍ୟାପକ କ୍ଷୟକ୍ଷତି ଏବଂ ସମ୍ପୂର୍ଣ୍ଣ ପଚିଶଢି ଯାଇଥିବା ସରକାରୀ ପ୍ରାଥମିକ ଆକଳନରୁ ସୂଚନା ମିଳିଛି। ସୂଚନା ଯୋଗ୍ୟ ଯେ ଡମପଡା ବ୍ଲକ ସହିତ ବାଙ୍କୀ ଏନ.ଏ.ସି ଏବଂ ବାଙ୍କୀ ବ୍ଲକର ମୋଟ ୧୩ହଜାର ୭୭୮ହେକ୍ଟର କୃଷି କ୍ଷୟକ୍ଷତିରେ ଅଞ୍ଚଳର ଚାଷୀ ମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ବାଙ୍କୀ ବ୍ଲକର ୧୮ଗୋଟି କ୍ଷତିଗ୍ରସ୍ତ ପଞ୍ଚାୟତ ମଧ୍ୟରୁ ମହାନଦୀର ଉତ୍ତରପାର୍ଶ୍ବରେ ଥିବା ସରଣ୍ଡାଗଡ ଅନ୍ତର୍ଗତ ଓସ୍ତିଆ,ରତାଗଡ, ସୁବର୍ଣ୍ଣପୁର,କନ୍ତପହଁରା,ବନ୍ଦାଳ,ବାଉଁଶପୁଟ ଓ କଦଳୀବାଡିର ଶହଶହ ଚାଷୀ ବନ୍ୟା ପ୍ରଭାବରେ ଚାଷ ହରାଇଥିବା କହିଛନ୍ତି। ପାଣି ପ୍ରଭାବରେ ବଢିଲା ଧାନ ପାଚିଯାଇଥିବା ବେଳେ ରୁଆପୋତା ହୋଇଥିବା ଧାନ ମାଟି ସହ ମାଟି ହୋଇଛି। ପରିବା ଫସଲ ସମୂଳେ ନଷ୍ଟ ହୋଇଛି। ପରିବା କଷିଟିଏ ଚାଷୀର ଖାଇବା ପାଇଁ ଶୂନ୍‍।

ସେହିପରି ଡମପଡା ବ୍ଲକର ବିଲିପଡା, ଶିମିଳିପୁର, ହରିରାଜପୁର, ଦୁଲଣାପୁର, ତାଳବସ୍ତ, କୁଶପଙ୍ଗି, ପାଥପୁର, ଭଗିପୁର, ବାଆଁରା ପଞ୍ଚାୟତ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ବିଲିପଡା, ଶିମିଳିପୁର, ହରିରାଜପୁର ପଞ୍ଚାୟତର ଧାନ ଜମୀରେ ଏବେବି ପାଣି ମାଡି ରହିଛି। ବାଙ୍କୀ ବ୍ଲକ କୃଷି ଅଧିକାରୀ ସ୍ମୃତିଝରା ସାହୁ ଓ କୃଷି କର୍ମଚାରୀ ମାନେ ସମ୍ମିଳିତ ଭାବରେ ସରଣ୍ଡାଗଡ ଅନ୍ତର୍ଗତ ବନ୍ୟା ପ୍ଲାବିତ କୃଷି ଅଞ୍ଚଳ ଶୁକ୍ରବାର ଓ ସୋମବାର ଦିନ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରି ଫେରିଥିବା ଜଣାପଡ଼ିଛି।

ପରିଦର୍ଶନ ସମୟରେ ବିଭିନ୍ନ ଅଞ୍ଚଳର ଚାଷୀ ମାନେ ଧାନ ଓ ପରିବା ଫସଲ ହାନୀ ସମ୍ପର୍କରେ ସୂଚନା ଏବଂ କ୍ଷେତ୍ର ପରିଦର୍ଶନ କରାଇ ବହୁ ଜମିରେ ନାଗାଦଳ ମାଡିଯାଇଥିବାରୁ ଅଂଶୁପା, ଓସ୍ତିଆ ଓ କଦଳୀବାଡି ସହିତ ରତାଗଡ ପଞ୍ଚାୟତର ଶହ ଶହ ହେକ୍ଟର ଚାଷ ଜମୀରେ ନାଗାଦଳ ଚାଷୀର ଚିନ୍ତା ବଢାଇଥିବା ଦୃଷ୍ଟି ଆକର୍ଷଣ କରିଛନ୍ତି। ଜମୀରୁ ନାଗାଦଳ ଖାଲି କରିବା ଏବଂ କ୍ଷତି ହୋଇଥିବା ଧାନ ଓ ପରିବା ଫସଲ ଆକଳନ କରି ସରକାରୀ କ୍ଷତିପୂରଣ ପ୍ରଦାନ ପାଇଁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ସରକାରୀ ସହଯୋଗ ଦାବି କରିଛନ୍ତି। ସେହିପରି ଅନ୍ୟତମ ସହକାରୀ କୃଷି ଅଧିକାରୀ ଅନୁୟାରୀ, ଗୋଳାଗଣ୍ଡ ଆଦି ପଞ୍ଚାୟତର କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରିଥିବା ସୂଚନା ମିଳିଛି। ଜିଲ୍ଲା କୃଷି ଅଧିକାରୀ କୈଳାସ ସାମନ୍ତରାୟଙ୍କ ସହ ଆଲୋଚନା କରିବାରୁ ବାଙ୍କୀ ଅଞ୍ଚଳର ମୋଟ ୧୩ହଜାର ୭୭୮ହେକ୍ଟର ଚାଷ ଜମୀ କ୍ଷୟକ୍ଷତି ହୋଇଥିବା ସମ୍ପର୍କରେ ପ୍ରାଥମିକ ଆକଳନରୁ ଜଣାପଡ଼ିଥିବା କହିଛନ୍ତି।

Comments are closed.