ଓଷ୍ଟା ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ବାଙ୍କୀ: ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ(ଓଷ୍ଟା)ପକ୍ଷରୁ ଡମପଡା ବ୍ଲକ ଅଧିନ ପାଥପୁର ପଞ୍ଚାୟତରେ ୧ହଜାର ବିପନ୍ନ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିବା ସୂଚନା ମିଳିଛି। ଶନିବାର ସକାଳେ ଓଷ୍ଟାର ବହୁ ପଦାଧିକାରୀ ପାଥପୁର ପଞ୍ଚାୟତର କଇଁମୁଣ୍ଡି,ଚାରିଘେରିଆ ଗ୍ରାମରେ ପହଞ୍ଚି ବିପନ୍ନ ମାନଙ୍କ ସହ ବନ୍ୟାର ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହିତ ରିଲିଫ୍‍ ସହାୟତା ବାବଦରେ ଗୁଡ, ଚୂଡା, ମହମ, ଦିଆସିଲ ଓ ବିସ୍କୁଟ ଏକ ସ୍ୱତନ୍ତ୍ର ପ୍ୟାକେଟରେ ପ୍ରଦାନ କରି ସ୍ୱଚ୍ଛତାର ସହ ଗାଁ ପରିବେଶକୁ ପରିସ୍କାର ପରିଚ୍ଛନ୍ନ କରି ରହିବାକୁ ଅନୁରୋଧ କରିଥିଲେ। ସେହିପରି ପରେ ପରେ ଏହି ପଞ୍ଚାୟତର ଅମରେନ୍ଦ୍ରପୁର,ତଳପାଥପୁର ଓ ମୁରାରିପୁର ଗ୍ରାମରେ ପହଞ୍ଚି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଓଷ୍ଟା ପକ୍ଷରୁ ଯୁଗ୍ମ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ,କୋଷାଧ୍ୟକ୍ଷ ଅଶୋକ ମହାପାତ୍ର,ସମ୍ପାଦକ ବିଜୟ କୁମାର ଛତ୍ର,ମଧୁସୂଦନ ଦେଓ,ବିନାୟକ ପରିଡା,କଟକ ଜିଲ୍ଲା କାର୍ଯ୍ୟକାରୀ ସଭାପତି ରଞ୍ଜନ ଲେଙ୍କା,ଜିଲ୍ଲା ସମ୍ପାଦକ ଲକ୍ଷ୍ମୀଧର ସାହୁ,ଯୁଗ୍ମ ସମ୍ପାଦକ ଅନନ୍ତ ଦାସ, ଡମପଡା ବ୍ଲକ ଓଷ୍ଟା ସଭାପତି ପବିତ୍ର ମୋହନ ଷଡଙ୍ଗୀ,ସମ୍ପାଦକ କାହ୍ନୁ ଚରଣ ସ୍ୱାଇଁ,ତ୍ରିଲୋଚନ ଜେନା,ସଶଧର ନାୟକ,କାର୍ଯ୍ୟକାରୀ ସଭ୍ୟ ଅମରେନ୍ଦ୍ର ସ୍ୱାଇଁ ପ୍ରମୁଖ ଏହି ସେବା ମୂଳକ କାର୍ଯ୍ୟରେ ସାମିଲ ହୋଇଥିଲେ। ସୂଚନା ଯୋଗ୍ୟ ଯେ ପାଥପୁର ପଞ୍ଚାୟତର ଅଧିକ ବନ୍ୟା ପ୍ରବଣ ଓ ଜଳବନ୍ଦୀ ଗ୍ରାମକୁ ବେସରକାରୀ ଅନୁଷ୍ଠାନ ପକ୍ଷରୁ ରିଲିଫ୍‍ ସହାୟତା ଯୋଗାଇ ଦିଆଯାଉଥିବା ହେତୁ ପୁରୁଖା ଲୋକମାନେ ଓଷ୍ଟାର କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

Comments are closed.