୨୦ବର୍ଷ ହେଲା ଚାଲିଛି କଇଁମୁଣ୍ଡି ପଥରବାରି ପୋଲ ନିର୍ମାଣ: ସରୁନି କାମ, ବଢୁଛି ଲୋକଙ୍କ ସମସ୍ୟା

ବାଙ୍କୀ:ଡମପଡା ବ୍ଲକ ଅନ୍ତର୍ଗତ ପାଥପୁର ପଞ୍ଚାୟତ ଅଧିନ କଇଁମୁଣ୍ଡି ଗାଁ। ମହାନଦୀର ପାଦ ଦେଶରେ ଗାଁଟି ଅବସ୍ଥିତ। ବାଙ୍କୀ-କଟକ ମୁଖ୍ୟ ରାସ୍ତାର ବାମ ପାଶ୍ୱର୍ରେ ରହିଥିବା ଏହି ଗାଁଟିରେ ପ୍ରାୟ ୨୨୦ପରିବାରର ୧୨୦୦ଜନସାଧାରଣ ଏ ଗାଁରେ ବସବାସ କରୁଛନ୍ତି। ମତ୍ସଜିବୀ, କୃଷି ପରିବାର, ମୁଲମଜୁରୀ ଶ୍ରମିକ ଓ ଛୋଟ ମୋଟ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ଅଧିବାସୀ ମାନେ ଦୀର୍ଘବର୍ଷ ଧରି ଦହଗଞ୍ଜ ଜୀବନ ବିତାଉଛନ୍ତି। ମହାନଦୀରେ ବନ୍ୟା ଆସିଲେ ଗାଁକୁ ଭୟ ଯେପରି ମାଡିଆସେ। ଅଧିକ ବନ୍ୟା ହେଲେ ଗାଁ ହେଉଯାଉଛି ଜଳବନ୍ଦୀ। ୫ରୁ ୭ଦିନ ଧରି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ନାନା ସମସ୍ୟାର ସମ୍ମୁଖୀନ ହୁଅନ୍ତି ଗ୍ରାମବାସୀ। ମୁଖ୍ୟ ରାସ୍ତାକୁ ସଂଯୋଗ ରାସ୍ତାରେ ୫ରୁ ୭ଫୁଟର ପାଣି ଜମି ରହୁଛି। ଗ୍ରାମକୁ ସବୁଦିନିଆ ସ୍ଥାୟୀ ସଂଯୋଗ ପୋଲଟିଏ ନିର୍ମାଣ ପାଇଁ ଦାବି ହୋଇଥିଲା।

ଗ୍ରାମବାସୀଙ୍କ ଦାବି ଅନୁଯାୟୀ ପ୍ରାୟ ୨୦ବର୍ଷ ପୂର୍ବେ ପୋଲର ପିଲାର ଗୁଡିକ ନିର୍ମାଣ ହୋଇଥିଲେ ମଧ୍ୟ ପୋଲଟି ସମ୍ପୂର୍ଣ୍ଣ ହୋଇନଥିବାରୁ ଗ୍ରାମାବାସୀଙ୍କ ଦୁଃଖ ବଢିଛି। ଚଳିତ ବର୍ଷ ବନ୍ୟାରେ ୮ଦିନରୁ ଅଧିକ ଦିନ ଧରି ଏଠାରେ ଜଳବନ୍ଦୀ ହେବାକୁ ପଡିଥିଲା। ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ଏବଂ ଜିଲ୍ଲା ଲୋକସଭା ସାଂସଦ ଭତ୍ତୃହରି ମହତାବଙ୍କର ପରିଦର୍ଶନ ସମୟରେ ଗ୍ରାମବାସୀଙ୍କ ଜଳବନ୍ଦୀ ଜୀବନ ଓ ସମସ୍ୟା ସମ୍ପର୍କରେ ଅବଗତ କରାଯାଇ କଇଁମୁଣ୍ଡି ପଥରବାରି ପୋଲକୁ ସମ୍ପୂର୍ଣ୍ଣ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ ଜଣାଯାଇଥିଲା। ସୂଚନା ଯୋଗ୍ୟ ଯେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବନ୍ୟା ସମୟରେ ବ୍ଲକ ପ୍ରଶାସନ ସହଯୋଗରେ ଅଗ୍ନିଶମ ବିଭାଗ ପକ୍ଷରୁ ଯନ୍ତ୍ର ଚାଳିତ ପାଓାର ବୋଟ୍ ସେବା ଯୋଗାଇ ଦିଆଯାଇଥିଲା। ଗ୍ରାମର ମୁରବି ହଜାରୀ ଚରଣ ରାଉତ, ଶ୍ୟାମସୁନ୍ଦର ଧର, ସୁନିଲ ଚନ୍ଦ୍ର ସ୍ୱାଇଁ, ଲକ୍ଷ୍ମୀଧର ସୁତାର,ସୁଧାକର ସାହୁ, ଦିବାକର ରାଉତ, ବିଜୟ କୁମାର ସାହୁ, ନିକୁଞ୍ଜ ସୁତାର,ନରେନ୍ଦ୍ର ସାହୁ, ଜିତେନ ରାଉତ, ନିରଞ୍ଜନ ବେହେରା ପ୍ରମୁଖ ଗ୍ରାମବାସୀମାନଙ୍କ ପକ୍ଷରୁ ଗ୍ରାମର ସଂଯୋଗ ପୋଲଟିକୁ ଚଳିତ ବର୍ଷ ସମ୍ପୂର୍ଣ୍ଣ କରି ବହୁ ଦିନର ଦୁଃଖକୁ ଲାଘବ କରିବା ନିମନ୍ତେ ପ୍ରଶାସନିକ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି।

 

Comments are closed.