ମିଳୁନି ସରକାରୀ ସହାୟତା, ଚାଳଘରେ ବିତୁଛି ଜୀବନ

ବାଙ୍କୀ: ଗାଁରେ ଗରିବଙ୍କର ଚାଳଘର ରହିବ ନାହିଁ। ସମସ୍ତଙ୍କର ହେବ ପକ୍କା ଛାତ ଘର। କାର୍ଯ୍ୟକ୍ରମ ଯେତେ ଯୋରଦାର ହେଉଛି ବାସ୍ତବରେ ଗରିବଙ୍କ ସରକାରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ସାତ ସପନ ହୋଇପଡିଛି। ବ୍ଲକ ପ୍ରଶାସନ ନିକଟରେ ପ୍ରତିବର୍ଷ ଦରଖାସ୍ତ ପଡିଚାଲିଛି। ହେଲେ ଗରୀବ ଯେଉଁ କୁଡିଆରେ ଆଛି ସେଇଠି ଅଛି। ହରିରାଜପୁର ପଞ୍ଚାୟତର ଯୋରକୂଳ ଏକ ବନ୍ୟା ପ୍ରବଣ ଗାଁ। ମହାନଦୀର ଶାଖା ନଦୀ ରଣ ନଦୀରେ ବନ୍ୟା ଜଳ ପ୍ରବେଶ କରି କୂଳ ଲଙ୍ଘିଲେ ଏହି ଗାଁ ଜଳବନ୍ଦି ହୋଇଯାଏ। ଗାଁର ଗରୀବ ପରିବାର ବଂଶୀଧର ସେନାପତି(୬୦ବର୍ଷ) ଓ ସହଧର୍ମିଣୀ ପାର୍ବତୀ ସେନାପତି(୫୧ବର୍ଷ)ଙ୍କ ସହିତ ୨ପୁଅ ଗୌତମ ଓ କାହ୍ନୁ ବହୁ କଷ୍ଟରେବି ଘରଟିଏ କରିପାରିନାହାଁନ୍ତି। ଭଙ୍ଗା ଦଦରା ଚାଳଘରେ ଏମାନଙ୍କ ଜୀବନ ବିତୁଛି।

ଅଭାବରୁ ଚାଳଛପର କରିପାରୁନଥିବା ବେଳେ କାନ୍ଥବାଡ ତିଆରି କରିବା ପାଇଁ ଅର୍ଥ ବାଧକ ସାଜିଛି। ଝିଅ ବିବାହର କରଜ ସୁଝୁ ସୁଝୁ ଘର ସଜାଡିବା ପାଇଁ ସୀମିତ ରୋଜଗାରରେ ସମ୍ବଳ ନାହିଁ। ଗତ ଫନି ମହାବାତ୍ୟାରେ ଘରଟି ଭାଙ୍ଗିଯାଇଥିଲା ବେଳେ ଆଜି ପର୍ଯ୍ୟନ୍ତ ସରକାରୀ ସହାୟତା ମିଳିନଥିବା କହିଛନ୍ତି ବଂଶୀଧର ଓ ତାଙ୍କ ସହଧର୍ମିଣୀ ପାର୍ବତୀ। ଚଳିତ ବନ୍ୟାରେ ମେଲା ଘରେ ବିପଦ ଶଙ୍କୁଳ ଅବସ୍ଥାରେ ପାଣି ଘେରରେ ଜୀବନ ବିତାଉଛନ୍ତି ଓ ଅସହାୟତା ପ୍ରକାଶ କରି ଘରଟିଏ ପାଇନଥିବା କହିଛନ୍ତି। ସ୍ଥାନୀୟ ସରପଞ୍ଚଙ୍କୁ ଏ ସମ୍ପର୍କରେ ପଚାରିବାରୁ ଚଳିତ ବର୍ଷ ତାଲିକାରେ ତାଙ୍କ ନାମ ରହିଛି। ଘରଟିଏ ପାଇବେ ବୋଲି କହିଛନ୍ତି। ବ୍ଲକ ପ୍ରଶାସନିକ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ବଂଶୀଧରଙ୍କୁ ସରକାରୀ ଆବାସ ଯୋଜନାରେ ଘରଟିଏ ଯୋଗାଇ ଦେବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

Comments are closed.