ବାଙ୍କୀ ଏନ.ଏ.ସିରେ ବନ୍ୟା ପ୍ରଭାବରେ ବ୍ୟାପକ ଧାନ କ୍ଷେତ ନଷ୍ଟ, ଚାଷୀ ମୁଣ୍ଡରେ ଚଡକ

ବାଙ୍କୀ: ଚଳିତ ବର୍ଷ ମହାନଦୀରେ ବନ୍ୟା ଆସି ରଣ ନଦୀରେ ପ୍ରବେଶ କଲା ପରେ ଉପକୂଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାଙ୍କୀ ଏନ.ଏ.ସିରେ ଏହାର ପ୍ରଭାବରେ ଶହ ଶହ ହେକ୍ଟର ଧାନ ଫସଲରେ ୫ଦିନ ଧରି ବନ୍ୟା ଜଳ ମାଡି ରହିବାରୁ ଚାଷୀକୂଳ ହତାସ ହୋଇଛନ୍ତି। ସେହିପରି ଡାଙ୍ଗିପିଟା, ସାହାଡାପଦା ଅଞ୍ଚଳରେ ବ୍ୟାପକ ପନିପରିବା ଫସଲ ନଷ୍ଟ ହୋଇଛି। ବାଙ୍କୀର ଦୈନିକ ହାଟରେ ସାହାଡାପଦା, ଡାଙ୍ଗିପିଟା, ମନ୍ତ୍ରୀସାହି ଆଦି ଗ୍ରାମର ଚାଷୀ ମାନେ ଭଣ୍ଡେି, ଝୁଡଙ୍ଗ, ପୋଟଳ, କାକୁଡି, କଲରା ଆଦି ପରିବା ବିକ୍ରି କରୁଥିବା ବେଳେ ବନ୍ୟାପ୍ରଭାବରେ ଏସବୁ ନଷ୍ଟ ହୋଇଯିବା ପରେ ବାଙ୍କୀ ବଜାରରେ ପରିବା କଷିଟିଏ ଦେଖିବାକୁ ମିଳୁନାହିଁ। ଏଥିପାଇଁ ଖାଉଟୀ ମାନେ ହନ୍ତସନ୍ତ ହେଉଛନ୍ତି।

ସୂଚନା ଯୋଗ୍ୟ ଯେ ତଳିଆ ଅଞ୍ଚଳ ବିଲିପଡା ଗ୍ରାମର ଜାର ହଜାର ହେକ୍ଟର ଧାନ ଚାଷ ଜମୀରେ ଏବେ ମଧ୍ୟ ୧୦ରୁ ୧୨ଫୁଟ ପାଣି ଜମି ରହିଛି। ଧାନ ଫସଲ ସବୁ ପଚିସଢି ଯାଇଥିବା ସ୍ଥାନୀୟ ଚାଷୀ ମାନେ କହିଛନ୍ତି। ସେହିପରି ବାଙ୍କୀ ଏନ.ଏ.ସି ଅନ୍ତର୍ଗତ ମନ୍ତ୍ରୀସାହି, ଡାଙ୍ଗିପିଟା, ସାହାଡାପଦା, ବେଦପୁର, ଖମାରଙ୍ଗ, ଶିଶୁଆ ଓ ଚକାପଦା ଗ୍ରାମର ହଜାର ହଜାର ହେକ୍ଟର ଫସଲରେ ବନ୍ୟା ପାଣି ବହୁ କ୍ଷତି ଘଟାଇଛି। ବ୍ୟାଙ୍କରୁ ଋଣ କରି ଧାନ ଫସଲ କରି ଭଲ ଅମଳ ପାଇବାକୁ ଆଶା ରଖିଥିବା ଚାଷୀ ଏବେ ଚିନ୍ତାରେ ପଡ଼ିଛି। ସେପଟେ ଧାନ ମଧ୍ୟ ୫ଦିନ ପାଣିରେ ବୁଡିରହିବାରୁ ସଢି ତଳେ ପଡ଼ିଛି। ଶନିବାର ଦିନ ଆମ ପ୍ରତିନିଧିଙ୍କ ପରିଦର୍ଶନ ସମୟରେ ଏନ.ଏ.ସି ଅଞ୍ଚଳର ୧୭ନଂ ଓାର୍ଡ(ମନ୍ତ୍ରୀସାହି)ର ଚାଷୀ ବିଦ୍ୟାଧର ମନ୍ତ୍ରୀ, ସନ୍ତୋଷ ମନ୍ତ୍ରୀ ,ରାଜେନ୍ଦ୍ର ମନ୍ତ୍ରୀ, ଶୁକଦେବ ମନ୍ତ୍ରୀ, ସୀତାରମ ମନ୍ତ୍ରୀ, ଗଣେଶ୍ୱର ମନ୍ତ୍ରୀ ପ୍ରମୁଖ ବହୁ ଚାଷୀ ଧାନ କ୍ଷେତରେ ପଚିସଢି ଯାଇଥିବା ଧାନ ଗଛକୁ ଦେଖାଇ ବନ୍ୟା ପରବର୍ତ୍ତୀ କୃଷକର ଆକୁଳ ନିବେଦନକୁ ପ୍ରକାଶ କରିଥିଲେ। ସରକାରୀ ସାହାଯ୍ୟ ଓ ସହଯୋଗ ନିମନ୍ତେ ଅନୁରୋଧ କରି କୃଷି ଋଣ ଛାଡ ସହିତ ବନ୍ୟା ପରବର୍ତ୍ତୀ ଚାଷ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇଛି।

Comments are closed.