ସମ୍ଭାବ୍ୟ ବର୍ଷା ପରିସ୍ଥିତି, ରବି ଓ ପରିବା ଫସଲ କ୍ଷତି ଆଶଙ୍କା

ବାଙ୍କୀ: ଶୁକ୍ରବାର ଦିନ ସକାଳୁ କୋହଲା ପାଗ ସହ ଅପରାହ୍ନରେ ଅସରାଏ ବର୍ଷା ବାଙ୍କୀ ଅଂଚଳର କୃଷକମାନଙ୍କୁ ଆଶଙ୍କା ପହଁଚାଇଛି। ଚଳିତ ବର୍ଷ ବନ୍ୟା,ବାତ୍ୟା ପରେ ଅଦିନିଆ ବର୍ଷାରେ ହଜାର ହଜାର ହେକ୍ଟର ଧାନ ଓ ପରିବା ଚାଷରେ ବାଙ୍କୀ ଅଂଚଳର ଚାଷୀ କ୍ଷତିଗ୍ରସ୍ତ ହୋଇଥିଲା। ପରେ ପରେ ଉଜୁଡା କ୍ଷେତକୁ ସଜାଡିବାକୁ ଯାଇ ପନିପରିବା ଚାଷ ଆରମ୍ଭ କରି ପୁନଃ ଅମଳ ଅବସ୍ଥାକୁ ଆସିଥିବା ସମୟରେ ସମ୍ଭାବ୍ୟ ଅଦିନିଆ ବର୍ଷା ପୁଣି ଆଶଙ୍କା ପହଁଚାଇଛି।

ଡମପଡା ବ୍ଲକ ଅଂଚଳର ବିଲିପଡା, ଶିମିଳିପୁର, ହରିରାଜପୁର, ତାଳବସ୍ତ, ଗୋପାଳପୁର, ଢଁସର, ତୁଳସୀପୁର, ନରଗାଙ୍ଗ, ଦୋଲଣାପୁର ଆଦି ପଞ୍ଚାୟତ ସହିତ ବାଙ୍କୀ ଏନ.ଏ.ସିର ସାହାଡପଦା, ଡାଙ୍ଗିପିଟା, ମନ୍ତ୍ରିସାହି, ଚକାପଦା, ଶିଶୁଆ, ଖମାରଙ୍ଗ ଏବଂ ବାଙ୍କୀ ବ୍ଲକ ଅଧିନ ସୁବର୍ଣ୍ଣପୁର, ରତାଗଡ ଓ ବନ୍ଦାଳ ପଞ୍ଚାୟତର କେତେକ ଚାଷ ଜମିରେ ଧାନ ଚାଷ କ୍ଷତି ପରେ ଚାଷୀମାନେ ରବି ଋତୁରେ ବିରି ଫସଲ କରିଥିଲେ। ରୋଗ ପୋକ ଦାଉରୁ ବଂଚିଥିବା ବିରି ଫସଲ ଏବେ ଅମଳକ୍ଷମ। ଚାଷୀ ମାନେ କ୍ଷେତରୁ ଖଳାକୁ ବିରି ଓପାଡି ଆଣି ଗଦା କରୁଥିଲା ବେଳେ ଅଦିନିଆ ବର୍ଷା ଓ କୋହଲା ପାଗରେ କ୍ଷତି ଆଶଙ୍କା ବଡିଛି। ଦୁଇ ଚାରି ଦିନ ଆଗରୁ ପାଣିପାଗର ସୂଚନାକ୍ରମେ ତିନି ଚାରି ଦିନର ବର୍ଷା ସମ୍ଭାବ୍ୟ ଖବରରେ ତରତର ହୋଇ ଚାଷୀମାନେ କ୍ଷେତରୁ ବିରି ଓପାଡି ଖଳାକୁ ଆଣୁଛନ୍ତି।

ଏହି ପରିସ୍ଥିତିରେ କୃଷି ବିଭାଗ ପକ୍ଷରୁ ଗ୍ରାମ୍ୟକୃଷି କର୍ମଚାରୀ ଓ କୃଷକ ସାଥୀଙ୍କ ସହଯୋଗରେ ଅମଳକ୍ଷମ ବିରିକୁ ଘୋଡାଇ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ ବାଙ୍କୀ ଅଂଚଳରେ ପ୍ରାୟ ୨ହଜାର ହେକ୍ଟର ଡାଲି ଜାତୀୟ ଫସଲ ଲାଗିଛି। ଚଳିତ ବର୍ଷ ବନ୍ୟା, ବାତ୍ୟା ଓ ରୋଗ ପୋକ ହେତୁ ବିରି ଫସଲର ଅମଳ ସ୍ଥିତି ଉଦବେଗଜନକ ଓ ମଜୁରୀ ଉଠୁନଥିବା ପୁରୁଖା ଚାଷୀମାନେ କହିଛନ୍ତି। କ୍ଷତିଗ୍ରସ୍ତ କୃଷକମାନଙ୍କୁ ସରକାରୀ ସହାୟତା ଦିଆଯିବା ପାଇଁ ଚାଷୀମାନେ ଅନୁରୋଧ ଜଣାଇଛନ୍ତି।

Comments are closed.