ବନ୍ୟା ଜଳରେ ମାଛ ମାରିବାକୁ ଯାଇ ମତ୍ସ୍ୟଜିବୀଙ୍କ ମୃତ୍ୟୁ

ବାଙ୍କୀ:ମହାନଦୀର ଶାଖାନଦୀ ରଣନଦୀରେ ବନ୍ୟାଜଳ ପଶି ବ୍ୟାପକ ଅଂଚଳ ଜଳମଗ୍ନ। ଗହିରରେ ମାଡି ଯାଇଛି ୫ରୁ ୧୦ ଫୁଟ ପାଣି। ଶିମିଳିପୁର ପଞ୍ଚାୟତ ଅଧିନ କରବର ଗ୍ରାମର ଯୁବ ମତ୍ସ୍ୟଜିବୀ ପ୍ରକାଶ କୁମାର ଦଳେଇ(୪୪ ବର୍ଷ) ଶୁକ୍ରବାର ଦିନ ସକାଳେ ନିଜର ମାଛମରା ହୁଲି ଡଙ୍ଗାରେ ମାଛ ଧରିବା ପାଇଁ ଶିମିଳିପୁର ଗହୀରରେ ମାଡି ଯାଇଥିବା ବନ୍ୟାଜଳ ଅଞ୍ଚଳକୁ ଯାଇଥିଲା। ଜାଲ ପକାଉଥିବା ସମୟରେ ହୁଲି ଡଙ୍ଗାରେ ଭାରସ୍ୟାମ ହରାଇ ପଡିଯାଇଥିଲା। ନିକଟରେ ମାଛ ମାରୁଥିବା ଏବଂ ଉପସ୍ଥିତ ଥିବା ଲୋକମାନେ ଦେଖିଲା ପରେ ଦମକଳ ବାହିନୀକୁ ଖବର ଦେଇଥିଲେ। ସ୍ଥାନୀୟବାସିନ୍ଦା ଏବଂ ଦମକଳ ବାହିନୀ ଉଭୟ ଡଙ୍ଗା ସହ ମତ୍ସ୍ୟଜିବୀଙ୍କୁ ଉଦ୍ଧାର କରି ଅଚେତ ଅବସ୍ଥାରେ କୂଳକୁ ଆଣି ବାଙ୍କୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ବନ୍ୟାଜଳରେ ମାଛ ମାରିବାକୁ ଯାଇ ପାଣିରେ ବୁଡି ମତ୍ସ୍ୟଜିବୀଙ୍କର ମୃତ୍ୟୁ ହୋଇଛି ବୋଲି ସ୍ଥାନୀୟ ଅଂଚଳବାସୀ କହିବା ସହିତ ଗରିବ ମତ୍ସ୍ୟଜିବୀକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି। ମୃତ ପ୍ରକାଶ ଜଣେ ଗରୀବ ଓ ବିବାହିତ ଯୁବକ। ୨ ଶିଶୁ ସନ୍ତାନ ସହ ତାଙ୍କୀ ସହଧର୍ମିଣୀ ଭବିଷ୍ୟତ ପରିବାର ଚିନ୍ତାରେ ଭାଙ୍ଗି ପଡିଛନ୍ତି। ବନ୍ୟା ସମୟରେ ମାଛ ମାରିବାକୁ ଯାଇ ଏଭଳି ଅଘଟଣ ପାଇଁ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ସରକାରୀ ସହାୟତା ପାଇଁ ସାଧାରଣରେ ଦାବି ହୋଇଛି। ବାଙ୍କୀ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବାଙ୍କୀ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Comments are closed.