ଚର୍ଚ୍ଚିକା ପୀଠରେ ନିରାଡମ୍ବର ଗଜଲକ୍ଷ୍ମୀ ପୂଜା ଓ କୁମାର ଉତ୍ସବ; ଫୁଙ୍ଗୁଳା ପଡିଛି ବାଙ୍କୀ ମହୋତ୍ସବ ମଣ୍ଡପ

ବାଙ୍କୀ  : ମା’ ଚର୍ଚ୍ଚିକାଙ୍କ ଶକ୍ତିପୀଠ ବାଙ୍କୀରେ ଚଳିତ ବର୍ଷ ପାରମ୍ପରିକ କୁମାର ଉତ୍ସବ ନିରାଡମ୍ବର ଭାବରେ ପାଳନ କରାଯାଇଛି। ପ୍ରତିଦିନ ଆସୁଥିବା ସହଶ୍ରାଧିକ ଭକ୍ତଙ୍କ ସମାଗମ ଚର୍ଚ୍ଚିକା ପୀଠରେ କରୋନା କଟକଣା ଦୂରତା ବଢାଇଛି। ଦୀର୍ଘ ୨୦ବର୍ଷରୁ ଅଧିକ କାଳ ଧରି ପରିବର୍ଦ୍ଧିତ କୁମାର ଉତ୍ସବ ବାଙ୍କୀ ମହୋତ୍ସବର ମାହୋଲରେ ୫ଦିନ ଧରି ବାଙ୍କୀ ଉପଖଣ୍ଡ ତଥା ପଡୋଶୀ ଖୋର୍ଦ୍ଧା, ନୟାଗଡ, ଆଠଗଡ, କଟକ, ଭୂବନେଶ୍ୱର, ଢେଙ୍କାନାଳ, ଅନୁଗୋଳ ଆଦି ଅଞ୍ଚଳମାନଙ୍କରୁ ହଜାର ହଜାର ଦର୍ଶକଙ୍କୁ କୁମାର ଉତ୍ସବ, ଗଜଲକ୍ଷ୍ମୀପୂଜା ତଥା ବାଙ୍କୀ ମହୋତ୍ସବର ଭରପୁର ଆନନ୍ଦ ଦେଇଥିଲା ବେଳେ ଚଳିତ ବର୍ଷ ଏସବୁ ଫିକା ପଡିଛି। ବାଙ୍କୀ ସହରରେ ଦେଖିବାକୁ ମିଳୁ ନାହିଁ ସାଜସଜ୍ଜା, ରଙ୍ଗ ବେରଙ୍ଗୀ ଆଲୋକମାଳାର ତୋରଣ କି ଗହଳି। ନାହିଁ ମନହର ଦୋକାନର ମନଫୁଲାଣିଆ ସଂଗୀତ। ଫାଷ୍ଟଫୁଡ୍‍ ଠାରୁ ଆରମ୍ଭ କରି ବେଲୁନ କି ବୁଲାବିକାଳିଙ୍କର ପେଁ ପାଁ ଡାକ। ମୋଟାମୋଟି ଜନଶୂନ୍ୟ ହୋଇଛି ବାଙ୍କୀ ସହର। ସ୍ଥାନୀୟ ସଜେଇ ହେଉଥିବା କଚେରୀ ପଡିଆ କି ବାଙ୍କୀ ମହୋତ୍ସବ ମଣ୍ଡପ ସବୁକିଛି ଫୁଙ୍ଗୁଳା ପଡିଛି। ଶନିବାର ଦିନ ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଗାଁ ଗଣ୍ଡାରେ କୁଆଁରୀ ଝିଅମାନେ ଭୋରରୁ ଆଞ୍ଜୁଳି ଚାଉଳ ଟେକିଥିଲା ବେଳେ ସନ୍ଧ୍ୟାରେ ନିରାଡମ୍ବର ଚାନ୍ଦପୂଜାରେ ବୃନ୍ଦାବତୀ ପାଖରେ ପୂଜା କରିବେ। ଗାଁରୁ ସହରକୁ କୁମାରତ ପୂର୍ଣ୍ଣିମା ଜାତ କି ଗଜଲକ୍ଷ୍ମୀ ପୂଜା ଦେଖିବାକୁ ସହର ମୁହାଁ କେହି ନାହାଁନ୍ତି। କରୋନା ପ୍ରଭାବରେ ବାଙ୍କୀ ମହୋତ୍ସବ ପ୍ରେମୀ ଶିଶୁଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ନିରାସ ହୋଇଛନ୍ତି। ସେହିପରି ଦୀର୍ଘ ୫ଦିନ ବ୍ୟାପୀ ବ୍ୟବସାୟ ବଣିଜ କରି ୨ପଇସା ରୋଜଗାରରେ ଜୀବନ ଜୀବିକା ବାଛିଥିବା ବ୍ୟବସାୟୀମାନେ ଏଥିରେ ନିରାସ ହୋଇଛନ୍ତି।

ସୂଚନା ଯୋଗ୍ୟ ଯେ, କେବଳ ରିତିନୀତି ଓ ପରମ୍ପରା ଅନୁଯାୟୀ କେତୋଟି ହାତ ଗଣତି ପୂଜା ମଣ୍ଡପ ପକ୍ଷରୁ ନିରାଡମ୍ବର ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଇଛି। ବାଙ୍କୀ-କଟକ ରାସ୍ତାରେ ଶନିଶ୍ଚର ପୂଜା ମଣ୍ଡପ, ତାରେଣୀ ପୂଜା କମିଟି ସେହିପରି ଖୋର୍ଦ୍ଧା ମେନରୋଡରେ ଲକ୍ଷ୍ମୀପୂଜା କମିଟି ଓ ଆଦିମାତା ପୂଜା କମିଟି ପକ୍ଷରୁ ଗଜଲକ୍ଷ୍ମୀଙ୍କର ସଂକ୍ଷିପ୍ତ ମେଢଟିଏ ମାନ କରାଯାଇ ପାରମ୍ପରିକ ପୂଜା କରାଯାଇଛି।

Comments are closed.