ବାଙ୍କୀ ମହୋତ୍ସବ ଚତୁର୍ଥ ସନ୍ଧ୍ୟା

0

କଳାପଥର(ବାଙ୍କୀ) : କୁମାର ପୂର୍ଣ୍ଣିମା ଦିନଠାରୁ ଆରମ୍ଭ ହୋଇଥିବା ବାଙ୍କୀ ମହୋତ୍ସବର ଚତୁର୍ଥ ସନ୍ଧ୍ୟା ସ୍ଥାନୀୟ କଚେରୀ ପଡ଼ିଆଠାରେ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସ୍ୱାଗତ ସଂଗୀତ ଗାନ ପରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଆନୁଷ୍ଠାନିକ ଭାବେ ଚତୁର୍ଥ ସନ୍ଧ୍ୟାକୁ ଅୟମାଆରମ୍ଭ କରାଯାଇଥିଲା। ମହୋତ୍ସବ ସାଧାରଣ ସମ୍ପାଦକ ଡଃ ଗଣେଶ୍ୱର ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିଲେ। ମହିଳା ଓ ଶିଶୁ ବିକାଶ ଏବଂ ମିଶନ୍‍ ଶକ୍ତି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଙ୍କ‌ିକୁ କଳା ଓ ସାହିତ୍ୟ ସାଧନାର ମାଟି ବୋଲି କହିଥିଲେ। ଅତୀତର ପୃଷ୍ଠାକୁ ଲେଉଟାଇଲେ ଓଡ଼ିଶାର ଭାଷା, ସାହିତ୍ୟ, କଳା ସଂସ୍କୃତିକୁ ନେତୃତ୍ୱ ଦେଇଥିବା କଳଜୟୀ ମହାପୁରୁଷମାନେ ବାଙ୍କୀ ମାଟିରୁ ସୃଷ୍ଟି ଏବଂ ସେମାନଙ୍କ ସ୍ପର୍ଶ ପାଇ ଓଡ଼ିଶାର ସାହିତ୍ୟ ଆକାଶ ଆଜି ସେମାନଙ୍କର ରଚିତ କାବ୍ୟ, କଳା ନୈପୁଣ୍ୟ ଏବଂ ଭାସ୍କର୍ଯ୍ୟ ପାଇଁ ସେମାନେ ସବୁବେଳେ ଚିରସ୍ମରଣୀୟ ରହିବେ ବୋଲି ବକ୍ତବ୍ୟ ରଖିଥିଲେ। କଟକ ଜିଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ତାଙ୍କ ବକ୍ତବ୍ୟରେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ନୀଳବଣି ବିଦ୍ୟାରତ୍ନ, ପଣ୍ଡିତ ଗୋବିନ୍ଦ ରଥ ଏବଂ ସର୍ବୋପରି ଫକୀର ମୋହନ ସେନାପତି ରଚନା କରିଥିବା ଉପନ୍ୟାସ ଛମାଣ ଆଠଗୁଣ୍ଠର କର୍ମଭୂମି ବାଙ୍କୀ ଯାହା ତାଙ୍କୁ ଚିରସ୍ମରଣୀୟ କରି ରଖିଛି ବୋଲି କହିଥିଲେ।  ଡମପଡ଼ା ବିଡ଼ିଓ ଆର୍ତ୍ତବନ୍ଧୁ ଲେଙ୍କା, ବାଙ୍କୀ ବିଡ଼ିଓ ପ୍ରଭାତ କୁମାର ସାହୁ, ଉପସଭାପତି ପ୍ରତାପ ଚନ୍ଦ୍ର ମହାପାତ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଉଦ୍‍ବୋଧନ ଦେଇଥିଲେ।

ମହୋତ୍ସବ ସଭାପତି ତଥା ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଉଦ୍‍ବୋଧନ ଦେଇ କହିଲେ ଯେ ଆଜକୁ ୧୯ବର୍ଷ ତଳେ ବାଙ୍କୀ ବାସୀ ଯେଉଁ ସାଂସ୍କୃତିକ ଜାଗରଣର କ୍ଷୀଣ ଦୀପଶିଖା ପ୍ରଜ୍ଜ୍ୱଳିତ କରିଥଲେ ତାହା ଆଜି ସମଗ୍ର ରାଜ୍ୟକୁ ପରିବ୍ୟାପ୍ତ ହୋଇଛି। ବାଙ୍କୀ ମହୋତ୍ସବକୁ ୧୮ ବର୍ଷପୁରି ୧୯ବର୍ଷ ଚାଲିଲା। ଯେଉଁ ଉଦ୍ଦେଶ୍ୟରେ “ମହୋତ୍ସବ” ଶବ୍ଦକୁ ବ୍ୟବହାର କରି ଏକ ସାଂସ୍କୃତିକ ଜାଗରଣର ଭିତ୍ତିପ୍ରସ୍ତର ବାଙ୍କୀରେ ସ୍ଥାପନ କରାଯାଇଥିଲା ଆଜି ସିଂହାବଲୋକନ କଲେ ଏହାର ଉଦ୍ଦେଶ୍ୟଯେ ଶତପ୍ରତିଶତ ସଫଳ ହୋଇଛି ଏହା ନିଃସନ୍ଦେହରେ କୁହାଯାଇପାରେ। ବାଙ୍କୀର ମହାନ କଳା, ଐତିହ୍ୟ, ସାଂସ୍କୃତିକ ଚେତନା ସହ ଜନଗଣଙ୍କୁ ସାମିଲ କରାଇବା ଓ ଆମ ପରପିଢିର ବଂଶଧରମାନଙ୍କୁ ଏହି ଭାବଧାରା ସହ ପରିଚିତ କରାଇବା ଉଦ୍ଦେଶ୍ୟରେ ହିଁ ବାଙ୍କୀ ମହୋତ୍ସବ ଅନୁଷ୍ଠିତ ହେଉଛି। ମହିଳା ଭାଗବତ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଚତୁର୍ଥ ସନ୍ଧ୍ୟାରେ ଡା ବଂଶୀଧର ମିଶ୍ର-ସମାଜସେବୀ, ପବିତ୍ର କୁମାର ରାଉତ-ନାଟ୍ୟକାର, ନିରଞ୍ଜନ ପଣ୍ଡା-ଆଦର୍ଶ କୃଷକ ଓ ଏକାଦଶୀ ବାରିକ-ଚିତ୍ରଶିଳ୍ପୀଙ୍କୁ ମହୋତ୍ସବ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ମହୋତ୍ସବ ମୁଖ୍ୟ ସଂଯୋଜକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମହୋତ୍ସବ ସଙ୍ଗଠନ ସମ୍ପାଦକ ପ୍ରକାଶ ଚନ୍ଦ୍ର ବେଉରା ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ସାଇ ସଙ୍ଗମ୍‍ ଗ୍ରୁପ୍‍ ତରଫରୁ ବିଶିଷ୍ଟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ତାଙ୍କ ସାଥିଙ୍କ ଦ୍ୱାରା ମେଲୋଡ଼ି ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Leave A Reply