ପୁନଃରୁଦ୍ଧାର ପରେ କାର୍ଯ୍ୟକ୍ଷମ ହେଲା ହରିରାଜପୁର ପାଇପ ପାନୀୟ ଜଳ ଯୋଗାଣ ପ୍ରକଳ୍ପ

ବାଙ୍କୀ : ଡମପଡା ବ୍ଲକର ନୂତନ ପଞ୍ଚାୟତ ହରିରାଜପୁର ମହାନଦୀ କୂଳରେ ଅବସ୍ଥିତ ଥିଲେ ମଧ୍ୟ ଦୀର୍ଘଦିନ ଧରି ଗ୍ରାମରେ ପାଇପ ଯୋଗେ ଯୋଗାଣ ହୋଇଥିବା ପାନୀୟ ଜଳ ପକଳ୍ପ ବିପର୍ଯ୍ୟସ୍ଥ ଥିଲା । ପୂର୍ବରୁ ଶିମିଳିପୁର ପାନୀୟଜଳ ପ୍ରକଳ୍ପରୁ ପାନୀୟ ଜଳ ଯୋଗାଣ ସଞ୍ଜୋଗ ହୋଇଥିଲେ ମଧ୍ୟ ସମଗ୍ର ପଞ୍ଚାୟତବାସୀଙ୍କ ପାଇଁ ଏହି ଜଳ ଯୋଗାଣ ପର୍ଯ୍ୟାପ୍ତ ନଥିବାରୁ ବହୁ ସମୟରେ ପାନୀୟଜଳ ନେଇ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ଜଳପାଇଁ ଲୋକମାନେ ଧାରଣା ଦେଉଥିଲେ । ପରେ ପରେ ସ୍ଥାନୀୟ ହନୁମାନ ମଠ ଠାରେ ସ୍ୱତନ୍ତ୍ର ପ୍ରକଳ୍ପ କରାଯାଇ ଜଳ ଯୋଗାଣ କରାଯାଇଥିଲେ ମଧ୍ୟ ଗତ ବନ୍ୟାରେ ଜଳ ଉତ୍ସ ଉପରେ ବନ୍ୟା ବାଲି ଚଢିଯିବା ପରେ ପ୍ରକଳ୍ପଟି ସମ୍ପୂର୍ଣ୍ଣ ଅଚଳ ହଗୋଇ ପଡିରହିଥିଲା । ବିଦ୍ୟୁତ ସଞ୍ଜୋଗ ମଧ୍ୟ ବିଚ୍ଛିନ୍ନ ଥିଲା । ଗ୍ରାମବାସୀଙ୍କ ଅଭିଯୋଗ କ୍ରମରେ ଗ୍ରାମପଞ୍ଚାୟତ ଓ ଗ୍ରାମ୍ୟ ପାନୀୟଜଳ ଓ ପରିମଳ ବିଭାଗ ପକ୍ଷରୁ ସୁଧାର ଆଣିବା ପାଇଁ ପଦକ୍ଷେପ ନିଆଯାଇ ଦୀର୍ଘ ୬ମାସ ପରେ ଶୁକ୍ରବାର ଦିନ ପୁନଃରୁଦ୍ଧାର କାର୍ଯ୍ୟ ଶେଷ ହୋଇ ବିଦ୍ୟୁତ ସଞ୍ଜୋଗ କରାଯାଇଛି ।

ସ୍ଥାନୀୟ ସରପଞ୍ଚ ଦେବସ୍ମିତା ସେଠୀ ଓ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସ୍ମୃତି ପ୍ରଧାନଙ୍କ ଉପସ୍ଥିତିରେ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ୧୨ଟା ୩୦ମିନିଟ ସମୟରେ ପୁନଃ ଜଳ ଯୋଗାଣ ଆରମ୍ଭ ହୋଇଛି। ଏହି ସମୟରେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଧୀରେନ ସ୍ୱାଇଁ,ନାଏବ ସରପଞ୍ଚ ରମେଶ ଚନ୍ଦ୍ର ପରିଡା,ପମ୍ପ ଡ୍ରାଇଭର ଓ ବିଦ୍ୟୁତ କର୍ମଚାରୀ ମାନେ ଉପସ୍ଥିତ ଥିଲେ । କନିଷ୍ଠ ଯନ୍ତ୍ରୀଙ୍କ ସୂଚନା କ୍ରମରେ ଆଜି ଜଳ ଯୋଗାଣ ଆରମ୍ଭ ହୋଇଛି । ପ୍ରାୟ ସମସ୍ତ ୱାଡକୁ ସହଜରେ ଜଳ ଯୋଗାଣରେ କୌଣସି ସମସ୍ୟା ନାହିଁ ବୋଲି ଆଶା କରିଛନ୍ତି । ଦୀର୍ଘଦିନ ଧରି ପାଣି ବନ୍ଦ ଥିବା ହେତୁ କୌଣସି ସ୍ଥାନରେ ଅପହଞ୍ଚ ହେଲେ ତୁରନ୍ତ ତାହା ସମାଧାନ ପାଇଁ ପଦକ୍ଷେପ ନିଆଯିବା କଥା କହିଛନ୍ତି। ପାଇପ ଜଳ ଯୋଗାଣ ହେବା ପରେ ବିଶେଷ କରି ବିଭିନ୍ନ ଓାର୍ଡର ଜଳ ଶଙ୍କଟରେ ସନ୍ତୁଳି ହେଉଥିବା ମହିଳା ମାନେ ଖୁସି ପ୍ରକାଶ କରିବା ସହିତ ସରପଞ୍ଚଙ୍କ ସହଯୋଗକୁ ପ୍ରଶଂସା କରିଥିବା ଜଣାପଡିଛି।

Comments are closed.