ବାଙ୍କୀରେ ବନ୍ୟା ସ୍ଥିତି ଗମ୍ଭୀର, ରାତି ହେଲେ ବଢ଼ୁଛି ଭୟ

ବାଙ୍କୀ :  ମହାନଦୀରେ ବନ୍ୟା ପରିସ୍ଥିତ ଗମ୍ଭୀର ହୋଇଛି । ବନ୍ୟା ଜଳ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଗୁରୁବାର ରାତିର ପ୍ରବଳ ଲଘୁ·ପଜନିତ ବର୍ଷାରେ ବନ୍ଧ, ଉଚ୍ଚ ସ୍ଥାନ ଓ ଘରର ଛାତ ଉପରେ ଆଶ୍ରୟ ନେଇଥିବା ବିପନ୍ନ ପରିବାରର ସ୍ଥିତି ସଙ୍କଟ ଜନକ ହୋଇ ପଡିଛି । ଆଗକୁ ବର୍ଷା ବଢ଼ିବା ଆଶଙ୍କାରେ ନଈକୂଳିଆ ସଙ୍କଟରେ ପଡ଼ିଛନ୍ତି । ଦିନରେ ତୁହାକୁ ତୁହା ବର୍ଷା, ରାତିର ଅନ୍ଧାର ଭିତରେ ପ୍ରଭାବିତ ବିପନ୍ନମାନ ଭୟଭୀତ ଅବସ୍ଥାରେ ଅଛନ୍ତି । ତହସିଲ୍ ପକ୍ଷରୁ ବିପନ୍ନମାନଙ୍କ ପାଇଁ ମୁଣ୍ଡ ଘୋଡ଼ାଇବାକୁ ପାଲ ସହଯୋଗ ମିଳିଥିଲେ ମଧ୍ୟ ସମସ୍ତ ବିପନ୍ନମାନଙ୍କ ପାଖରେ ପାଲ ପହଞ୍ଚି ପାରିନାହିଁ। ଡମପଡ଼ା ବ୍ଲକର ବିଲିପଡ଼ା ପଞ୍ଚାୟତର ବରଗାଁ, ବରପଦନପୁର, ବିଲିମନ୍ତ୍ରୀସାହି, ବିଲିମନ୍ତ୍ରୀ ହରିଜନ ସାହି, ବିଲିପଡ଼ା, ପାଖରାଖାଲ, ଓସ୍ତପୁର, ଧରସ, ରଙ୍ଗିପୁର ଏବଂ ହରିରାଜପୁର ପଞ୍ଚାୟତର ଯୋରକୂଳ ଗ୍ରାମର ଶହ ଶହ ପରିବାର ପାଣି ଘେରରେ ଛାତ ଉପରେ ଭୟରେ ଜୀବନ କାଟୁଛନ୍ତି । ଆଗକୁ ବର୍ଷା ହେଲେ ପରିସ୍ଥିତି ଅସମ୍ଭାଳ ଓ ଉଦବେଜନକ ହେବ ବୋଲି ଆଶଙ୍କା ବଢ଼ିଛି । ଘରଠାରୁ ଦୂରରେ ଥିବା ହେତୁ ଅନ୍ଧାରରେ ଭୟ ଲାଗୁଥିବା ବିପନ୍ନମାନେ କହିଛନ୍ତି । ଯୁଆଡ଼େ ଚାହିଁଲେ ପାଣି ଓ ପାଣି । ବର୍ଷା ସାଥିକୁ ପବନର ପ୍ରଭାବରେ ପାଣି ଭୟଙ୍କର ଢେଉ ମାରୁଛି । ବିଷଧର ସରିଶୃପମାନେ ଆଶ୍ରୟ ନେବାକୁ ଛାତ ଉପରକୁ ଚଢ଼ୁଥିବାରୁ ବିପନ୍ନମାନେ ରାତି ଉଜାଗର ରହୁଛନ୍ତି । ଅଞ୍ଚଳରେ ୧୦ରୁ ୧୫ଫୁଟ ପାଣି ଥିବାରୁ ପାନୀୟ ଜଳ ସପନ ହେଇଛି । ଜଳ ସମ୍ପଦ ବିଭାଗର ସୂଚନା କ୍ରମରେ ଶୁକ୍ରବାର ଦିନ ମହାନଦୀର ଜଳସ୍ତର ୭.୬୭ ରହିଛି । ବିପଦ ସଙ୍କେତ ତଳେ ବନ୍ୟା ଜଳ ପ୍ରଭାବିତ ହେଉଥିବାରୁ ବନ୍ୟାର ପ୍ରଭାବ ବିପଦପୂର୍ଣ୍ଣ ନୁହେଁ ବୋଲି ସହକାରୀ ଯନ୍ତ୍ରୀ କହିଛନ୍ତି । ବ୍ଲକ୍ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାଉଚ୍ ପାଣି ଯଥେଷ୍ଟ ହେଉ ନାହିଁ । ବିଦ୍ୟାଳୟର ତାଜା ବୁଡ଼ି ରହିଛି। ବନ୍ୟା ଛାଡ଼ିଲେ ପିଲାଙ୍କ ପାଠପଢ଼ା ନେଇ ବିଦ୍ୟାର୍ଥୀମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

ଆଗକୁ ବନ୍ୟା ପରିସ୍ଥିତି ଗମ୍ଭୀର ରହୁଥିବାରୁ ବାଙ୍କୀ ପ୍ରଶାସନ ଆବଶ୍ୟକ ଡଙ୍ଗା ନିୟମିତ ବିପନ୍ନ ଗ୍ରାମକୁ ଯାତାୟତ କରିବା ପାଇଁ ଅନୁରୋଧ କରାଯାଇଛି । ଗ୍ରାମମାନଙ୍କରେ କଦଳୀଗଛ ଭେଳା ଓ ମୋଟର୍ ଟ୍ୟୁବ ସହଯୋଗରେ ସ୍ଥାନୀୟ ଯୁବକମାନେ ବିପଦପୂର୍ଣ୍ଣ ଭାବରେ ଆସୁସେବାର ଯୋଗାଉଛନ୍ତି । ମହାନଦୀ ଓ ରଣନଦୀର ବନ୍ୟାଜଳ ଏକକାର ହୋଇଥିବାରୁ ଅଞ୍ଚଳରବାସୀମାନେ ଆଗାମୀ ବର୍ଷରେ ବନ୍ୟା ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବା ଓ ନଈକୂଳିଆ ଗ୍ରାମରେ ରାଜସ୍ୱ ବିଭାଗର ସହାୟତରେ ସ୍ୱତନ୍ତ୍ର ଡଙ୍ଗାର ସ୍ଥାୟୀ ବ୍ୟବସ୍ଥା କରିବା ପାଇଁ ଶୁଖୁଆଖଳା ଓ ବିଲିପଡ଼ା, ପାଥପୁର ପଞ୍ଚାୟତ ଅଞ୍ଚଳର ଲୋକମାନେ ଗଣମାଧ୍ୟମ ଜରିଆରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ଶୁକ୍ରବାର ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ୱାସ୍ଥ୍ୟପରୀକ୍ଷା ଓ ଔଷଧ ବଣ୍ଟନ ପ୍ରକ୍ରିୟା ଜାରି ରହିଛି।

କରବର ଗ୍ରାମରେ ତହସିଲ ପକ୍ଷରୁ ପଲିଥିନ ବଣ୍ଟନ

ଶୁକ୍ରବାର ଦିନ ଅପରାହ୍ନରେ କରବର ଗ୍ରାମରେ ଡମପଡ଼ା ତହସିଲ କାର୍ଯ୍ୟାଳୟ ପକ୍ଷରୁ ବନ୍ୟା ବିପନ୍ନ ପରିବାରଙ୍କୁ ପଲିଥିନ ବଣ୍ଟନ କରାଯାଇଛି । ସୂଚନାଯୋଗ୍ୟ ଯେ ଶିମିଳିପୁର ପଞ୍ଚାୟତ ଅଧିନ କରବର ଗ୍ରାମ ମହାନଦୀର କୂଳ ଏବଂ ରଣନଦୀର ପଛୁଆ ଜଳ ପ୍ରଭାବରେ ପ୍ରଭାବିତ ହୋଇଛି। ବହୁ ପରିବାର ଜଳବନ୍ଦିରେ ପାଞ୍ଚଦିନ ଧରି ହୀନସ୍ତା ହେଉଛନ୍ତି। ବନ୍ୟା ପ୍ରଭାବ ୪ଦିନ ପରେ ସାମୟିକ ତନଖି କରାଯାଇ ଯେଉଁ ପରିବାରର ଘରମାନଙ୍କରେ ବନ୍ୟା ପାଣି ପଶିଛି ଏବଂ ବନ୍ୟାଜଳ ପ୍ରଭାବରେ ଯେଉଁ ପରିବାରମାନେ ଛାତ ଉପରେ ଆଶ୍ରୟ ନେଇଛନ୍ତି ସମ୍ଭାବ୍ୟ ଲଘୁ·ପ ବର୍ଷାକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ଖଣ୍ଡିଏ ଲେଖାଏଁ ପଲିଥିନ ବଣ୍ଟନ କରାଯାଇଛି । ବନ୍ୟା ପ୍ରଭାବରେ ଘରେ ପାଣି ପଶିଥିବା ପରିବାରମାନେ ପାଲଟିଏ ପାଇ ଖୁସିଥିବା ବେଳେ ପାଖାପାଖି ଅଧାଧିକ ପରିବାର ପାଲଟିଏ ପାଇ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ତହସିଲ୍ ପକ୍ଷରୁ ପୁନଃ ସର୍ଭେ କରାଯାଇ ସମସ୍ତ ପରିବାରଙ୍କୁ ଜରୁରୀକାଳୀନ ପାଲଟିଏ ଯୋଗାଇ ଦେବା ପାଇଁ ଅନୁରୋଧ କରଯାଇଛି । ସୂଚନା ଥାଉକି ଜଳବନ୍ଦି ହେତୁ ସମସ୍ତଙ୍କ ଘର ସନ୍ତସନ୍ତିଆ ଓ ଆର୍ଦ୍ର ଥିବା ହେତୁ ଛାତ୍ର ଉପରେ ପାଲଟିଏ ଟାଣି ଆଶ୍ରୟ ନେବା ଜରୁରୀ ହେଉଛି।

Comments are closed.