ବାଙ୍କୀ ଡବଲ ମର୍ଡର – ୬ ଦିନ ପରେ ଧାରା ପଡିଲା ମାଷ୍ଟରମାଇଣ୍ଡ

ସମାଜ ପୋର୍ଟାଲ ଡେସ୍କ: : ବାଙ୍କୀ ଡବଲ ମର୍ଡର ଘଟଣାର ୬ ଦିନପରେ ମାଷ୍ଟରମାଇଣ୍ଡକୁ ପୁଲିସ ଧରିବାରେ ସଫଳ ହୋଇଛି। ପୁଲିସ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। କୋର୍ଟ ଚାଲାଣ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଖଜୁରିପଦା ନୂଆସାହିର ବଳିଆ ଓରଫ ବଳଭଦ୍ର ପ୍ରଧାନ(୪୭) ଓ ଜିତୁ ଓରଫ କୁଳିଆ ଓରଫ ଜିତେନ୍ଦ୍ର ସ୍ୱାଇଁ(୨୩)। ସେହିପରି ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଜୋକିଲାଦଳର କାଳିଆ ଓରଫ ସୁଶାନ୍ତ ପ୍ରଧାନ(୪୦) ଓ ଭଦ୍ରକ କୁଆଁଶ ଗ୍ରାମର ହିମାଂଶୁ ଭୁଷଣ ରାଉତରାୟ(୩୯)ଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଚଳାଇଛି। ସେମାନଙ୍କୁ ନିକଟରୁ ହତ୍ୟାକାଣ୍ଡ ସଂକ୍ରାନ୍ତରେ ବହୁ ଗୁରତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ଜଣାପଡିଛି। ଏହି ହତ୍ୟାକାଣ୍ଡ ପୂର୍ବଶତ୍ରୁତା ଓ ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଇଥିବା ପୁଲିସ ଜାଣିବାକୁ ପାଇଛି। ହତ୍ୟାକାଣ୍ଡରେ ସ୍ଥାନୀୟ କେତେକ ନେତାଙ୍କ ସମେତ ୧୫ରୁ ଅଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ନେଇ ତଦନ୍ତରୁ ଜଣାପଡିଥିବା ଗ୍ରାମାଞ୍ଚଳ ଏସପି ରାଧାବିନୋଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ପୁଲିସ ସୂଚନା ଅନୁଯାୟୀ, ମୃତ ଆଦିତ୍ୟ ରଣସିଂହଙ୍କ ଓ ସ୍ଥାନୀୟ କେତେକ ବ୍ୟକ୍ତିଙ୍କ ମଧ୍ୟରେ ରାଜନୈତିକ ଆକ୍ରୋଶ ଓ ପୂର୍ବ ଶତ୍ରୁତା ଲାଗି ରହିଥିଲା। ସେମାନେ ଗୋଟିଏ ଗାଁର ହୋଇଥିଲେ ମଧ୍ୟ କ୍ଷମତା ଲଢେଇ ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଛା ଲାଗିରହିଥିଲା। ଗତ ବର୍ଷ ଆଦିତ୍ୟ ବିପକ୍ଷ ଗୋଷ୍ଠୀର ଜଣେ ଯୁବକଙ୍କୁ ମାଡ ମାରିଥିଲେ। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା ବେଳେ ସେବେଠାରୁ ସେମାନଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଥିଲା। ଆଦିତ୍ୟଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇବା ଲାଗି ବିପକ୍ଷ ଗୋଷ୍ଠୀ ପ୍ରାୟ ମାସେ ତଳୁ ଷଡଯନ୍ତ୍ର ରଚିଥିଲେ। ପୂର୍ବ ଯୋଜନା ଅନୁଯାୟୀ ଗତ ୧୫ ତାରିଖ ଅପରାହ୍ଣ ୨ଟା ବେଳେ ଆଦିତ୍ୟଙ୍କ ସମେତ ନୂଆଗାଁ ସରପଞ୍ଚ ମମତା ମହାପାତ୍ରଙ୍କ ସ୍ବାମୀ ଭଗବାନ ସ୍ବାଇଁଙ୍କୁ ନିର୍ମମଭାବେ ହତ୍ୟା କରାଯାଇଥିଲା।

ଘଟଣା ଦିନ ଏକ ବାଇକରେ ଆଦିତ୍ୟ, ଭଗବାନ ଓ ସହଯୋଗୀ ରଞ୍ଜନ ସିଂହଙ୍କୁ ବାଙ୍କୀ ବ୍ଲକ୍‌ରୁ କାର୍ୟ୍ୟ ସାରି ଫେରୁଥିଲେ। ଦୁର୍ବୃତ୍ତମାନେ ସେମାନଙ୍କ ଗତିବିଧି ଉପରେ ନଜର ରଖି ଘଣ୍ଟା ପୂର୍ବରୁ ଖଜୁରିପଦା ରାସ୍ତାରେ ଅସ୍ତ୍ରଶସ୍ତ୍ର ସହ ଛକି ରହିଥିଲେ। ସେମାନେ ଗୋଟେ କାଜୁ ଗଛରେ ଜିଆଇ ତାର ବାନ୍ଧି ରାସ୍ତାର ଅନ୍ୟପଟେ ତାରକୁ ଧରି ବସିଥିଲେ। ଆଦିତ୍ୟ ବାଇକ୍‌ ଚଳାଇ ଅସୁଥିବା ବେଳେ ଜିଆଇ ତାରରେ ଛନ୍ଦି ହୋଇ ରାସ୍ତାରେ ଗଳି ପଡିଥିଲେ। ଦୁର୍ବୃତ୍ତମାନେ ଟାଙ୍ଗିଆ, କଟୁରି, ଫାର୍ସାରେ ଆଦିତ୍ୟ ଓ ଭଗବାନଙ୍କୁ ଆକ୍ରମଣ କରିଥିଲେ। ଏପରିକି ଦୁଇ ଜଣଙ୍କ ଗୋଟିଏଗୋଟିଏ ଗୋଡକୁ ନିର୍ମମ ଭାବେ ହାଣି ଖଣ୍ଡ ଖଣ୍ଡ କରି ଦେଇଥିଲେ। ପରେ ସେମାନଙ୍କ ଗୋଡକୁ ନେଇ ଘଟଣାସ୍ଥଳରୁ ୨୦୦ ମିଟର ଦୂରରେ ଫିଙ୍ଗି ଦେଇଥିଲେ। ରଞ୍ଜନ ଦୁର୍ବୃତ୍ତମାନଙ୍କ କବଳରୁ ଖସିଯିବାରେ ସଫଳ ହୋଇଥିଲେ। ରଞ୍ଜନ ସେଠାରୁ ଖସିଯାଇ ସ୍ଥାନୀୟ କିଛି ବ୍ୟକ୍ତିଙ୍କୁ ଡାକି ଆଣିଥିଲେ। ଲୋକମାନେ ଆଦିତ୍ୟ ଓ ଭଗବାନଙ୍କୁ ମୁର୍ମୂର୍ଷୁ ଅବସ୍ଥାରେ ରାସ୍ତା କଡରୁ ଉଦ୍ଧାର କରି ପ୍ରଥମେ ବାଙ୍କୀ ମେଡିକାଲକୁ ନେଇଥିଲେ। ଆଦିତ୍ୟକୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଭଗବାନଙ୍କ ଅବସ୍ଥା​‌ ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଏସ୍‌ସିବିକୁ ଅଣାଯାଇଥିଲା। ଏସ୍‌ସିବିରେ ପହଞ୍ଚି ଚିକିତ୍ସା ହେବାର କିଛି ସମୟ ମଧ୍ୟରେ ଭଗବାନଙ୍କ ମୃତ୍ୟୁ ଘଟିିଥିଲା। ତେବେ ଭଗବାନଙ୍କୁ ମେଡିକାଲକୁ ଆଣିବା ରାସ୍ତାରେ ଏକ ଭିଡିଓ ଉତ୍ତୋଳନ ହୋଇଥିଲା। ଯେଉଁଥିରେ ଭଗବାନ ତାଙ୍କ ମୃତ୍ୟୁକଳୀନ ଜମାନବନ୍ଦୀ ସଂକ୍ରାନ୍ତରେ କହିଥିଲେ। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ୯ଜଣଙ୍କ ନାମ କହିଥବା ସହ ୧୫ରୁ ଅଧିକ ଦୁର୍ବୃତ୍ତ ଉପସ୍ଥିତ ଥିବା ଭଗବାନ୍‌ କହିଥିଲେ। ଏହି ଘଟଣା ବାଙ୍କୀ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।

ରଞ୍ଜନଙ୍କ ଅଭିଯୋଗ କ୍ରମେ ବୈଦେଶ୍ବର ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଗ୍ରାମାଞ୍ଚଳ ଏସପିଙ୍କ ତତ୍ତ୍ବାବଧାନରେ ୫ଟି ଟିମ ଗଠନ କରି ଘଟଣାର ତଦନ୍ତ କରାଯାଇଥିଲା। ପ୍ରଥମେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗୁରୁବାର ମୁଖ୍ୟ ଅଭିଯୁକ୍ତ କାଳିଆ ସମେତ ଅନ୍ୟ ଜଣଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି ପୁଲିସ। ସେମାନଙ୍କଠାରୁ କେତେକ ସ୍ଥାନୀୟ ନେତାଙ୍କ ସମ୍ପୃକ୍ତି ରହିଥିବା ନେଇ ପୁଲିସ ଜାଣିବାକୁ ପାଇଛି। ଆସନ୍ତାକାଲି ଅଭିଯୁକ୍ତ ଦ୍ବୟକୁ ଗିରଫ କରାଯିବା ପରେକୋର୍ଟ ଚାଲାଣ କରାଯିବ। ଏହି ମାମଲାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

Comments are closed.