ସୂଚନା ଅଧିକାର ଆଇନ୍ ବଳରେ ମିଳୁନି ତଥ୍ୟ, ଡମପଡ଼ା ବ୍ଳକ ଆଗରେ କଂଗ୍ରେସର ଧାରଣା

ବାଙ୍କୀ(ଡମପଡ଼ା):ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବାଙ୍କୀ-ଡମପଡ଼ା ବ୍ଲକରେ ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ନମିଳିବାରୁ ଢଁସର ଗ୍ରାମ ପଞ୍ଚାୟତ କଂଗ୍ରେସ ତରଫରୁ ବ୍ଲକ ପରିସରରେ ଧାରଣା ଦିଆଯାଇଛି। ସୂଚନା ଅଧିକାର ଆଇନ୍ ବଳରେ ଢଁସର ଗ୍ରାମର ନକୂଳ ପ୍ରଧାନ ଗ୍ରାମ ପଞ୍ଚାୟତ ସଂପର୍କରେ ତଥ୍ୟ ମାଗିଥିବା ବେଳେ ଏ ଯାବତ୍ କୌଣସି କାଗଜପତ୍ର ପ୍ରଦାନ କରାଯାଇ ନାହିଁ। ଯାହାର ପ୍ରତିବାଦରେ ଶ୍ରୀ ପ୍ରଧାନ ବ୍ଳକ ପରିସରରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିତଳେ ଆଜି ଅନସନରେ ବସିଛନ୍ତି।
୨୦୧୨ମସିହା ଠାରୁ ୨୦୧୯ମସିହା ପର୍ୟ୍ୟନ୍ତ ଢଁସର ପଞ୍ଚାୟତରେ ପଞ୍ଚାୟତ ପାଣ୍ଠି, ଚତୁର୍ଥ ଓ ଚତୁର୍ଦ୍ଦଶ ଅର୍ଥ କମିଶନ ଅନୁଦାନ, ହାଇମାସ୍କ ଲାଇଟ୍, ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର, ଆଦି ସଂପର୍କରେ ତଥ୍ୟ ମାଗିଥିବା ବେଳେ ପଞ୍ଚାୟତ କିମ୍ବା ବ୍ଲକ ତରଫରୁ ବର୍ଷେ ପରେ ମଧ୍ୟ କୌଣସି ତଥ୍ୟ ପ୍ରଦାନ କରାଯାଇ ନାହିଁ। ଏପରିକି ପଞ୍ଚାୟତ ରାଜ ବିଭାଗର ଶାସନ ସଚିବ ଏବଂ ସୂଚନା କମିଶନଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ବ୍ଳକ କର୍ତ୍ତୁପକ୍ଷ ଏହାକୁ ଅଣଦେଖା କରି ତଥ୍ୟ ଚାପିରଖି ଦୁର୍ନୀତିକୁ ଘଣ୍ଟଘୋଡାଇବାକୁ ଚେଷ୍ଟା କରୁଥିବା ଅନସନକାରୀ ଅଭିଯୋଗ କରିଛନ୍ତି।

ଢଁସର ପଞ୍ଚାୟତରେ ଜନୈକ ଉପଜନଜାତିର ମହିଳା ସରପଞ୍ଚ ଥିବା ବେଳେ ତାଙ୍କ ଅଗୋଚରରେ ପଞ୍ଚାୟତ ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀ ଶାସକ ଦଳର କର୍ମୀଙ୍କ କଥାରେ ସମସ୍ତ ପ୍ରକଳ୍ପକୁ ହରିଲୁଟ୍ କରିଥିବା ହେତୁ ସରକାରୀ ସ୍ତରରେ ସମସ୍ତ ଘଟଣାକୁ ଚାପି ଦେବାକୁ ଉଦ୍ୟମ ଚାଲିଥିବା ଅନସନକାରୀ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବାଙ୍କୀର ପୂର୍ବତନ ବିଧାୟକ ଡ.ଦେବାଶିଷ ପଟ୍ଟନାୟକ ପହଞ୍ଚି ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ବ୍ଳକର ଦୁର୍ନୀତି ବିରୁଦ୍ଧରେ ବର୍ଷିଥିଲେ। ଆଗାମୀ ଦିନରେ ବ୍ଲକରେ ଚାଲିଥିବା ହରିଲୁଟର ପର୍ଦ୍ଦାଫାସ୍ କରିବା ସହିତ ଅସାଧୁ କାମରେ ଲିପ୍ତଥିବା କର୍ମଚାରୀ ଏବଂ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବକ୍ତବ୍ୟ ରଖିଥିଲେ।
ଏହି କାର୍ଯ୍ୟକ୍ରମରେ ବାଙ୍କୀ ନିର୍ବାଚନ ମଣ୍ଡଳୀ ଯୁବକଂଗ୍ରେସ ସଭାପତି ବିଶ୍ୱରଞ୍ଜନ ପଣ୍ଡା, ବରିଷ୍ଠ କଂଗ୍ରେସ ନେତା ଭବାନୀଶଙ୍କର ଧଳସାମନ୍ତ, କୁବେର ଚୌଧିରୀ, ଭାବଗ୍ରାହୀ ସ୍ୱାଇଁ, ଅସୀତ୍ ବରୁଣ ପଟ୍ଟନାୟକ, ପୀତବାସ ପ୍ରଧାନ ପ୍ରମୁଖ କାର୍ଯ୍ୟକର୍ତ୍ତା କହିଥିଲେ ଯେ ପର୍ୟ୍ୟନ୍ତ ପ୍ରଶାସନିକ ସ୍ତରରେ ଦୁର୍ନୀତିର ପର୍ଦ୍ଦାଫାସ ପାଇଁ ଭିଜିଲାନ୍ସ ତଦନ୍ତର ଦାୟିତ୍ୱ ପ୍ରଦାନ କରା ନଯାଇଛି ସେ ପର୍ୟ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ପ୍ରକାଶ କରିଥିଲେ।

Comments are closed.