ବାଙ୍କୀ ବ୍ଲକରେ ୧୩କରୋନା ସଂକ୍ରମିତ ଚିହ୍ନଟ

ବାଙ୍କୀ : ବାଙ୍କୀ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଶୁକ୍ରବାରଦିନ ସ୍ଥାନୀୟ କନ୍ତପହଁରା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ସ୍ୱାବ୍‍ ସଂଗ୍ରହ ଶିବିର ଅନୁଷ୍ଠିତ ହୋଇ ୫୬ଜଣଙ୍କର ସ୍ୱାବ୍‍ ନମୁନା କଟକ ବଡ ମେଡିକାଲକୁ କୋଭିଡ୍‍ ପରୀକ୍ଷା ପାଇଁ ପଠାଯାଇଥିଲା। ବାଙ୍କୀ ବିଡିଓ ପ୍ରଭାତ କୁମାର ସାହୁଙ୍କ ସୂଚନା କ୍ରମରେ, ରବିବାର ଦିନ ସନ୍ଧ୍ୟାରେ ୧୩ଜଣଙ୍କର ରିପୋର୍ଟ ପଜିଟିଭ୍‍ ଆସିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଜାଣିବାକୁ ମିଳିଛି ଯେ କନ୍ତପହଁରା ପଞ୍ଚାୟତର ୨ଜଣ, ରତାଗଡ ପଞ୍ଚାୟତର ଜଣେ, ବାଉଁଶପୁଟ ପଞ୍ଚାୟତର ଜଣେ ଯଥାକ୍ରମେ ହାଇଦ୍ରାବାଦ, ପୁଣେ ଓ ଆନ୍ଧ୍ରପ୍ରଦେଶରୁ ଆସି ଟି.ଏମ୍‍.ସିରେ ରହିଥିଲେ। ସେହିପରି ହୋମ କ୍ୱାରେଣ୍ଟାଇନରେ ୯ଜଣଙ୍କର ରିପୋର୍ଟ ପଜିଟିଭ୍‍ ଆସିଛି। ସେମାନେ ଯଥାକ୍ରମେ ରତାଗଡ ପଞ୍ଚାୟତର ଗୋପାଳପୁରର ଜଣେ ମହିଳା, ବନ୍ଦାଳ ତେନ୍ତୁଳିଆ ଗ୍ରାମର ଜଣେ ପୁରୁଷ ଓ କନ୍ତପହଁରା ପଞ୍ଚାୟତର ଜଣେ ପୁରୁଷ ଓ ୨ଜଣ ମହିଳା ଥିଲାବେଳେ ବନ୍ଦାଳ ବରପାଟଣା ଗ୍ରାମର ୪ଜଣ ପୁରୁଷ କଣ୍ଟ୍ରାଟ୍‍ ଟ୍ରେସିଂରେ ଆସି ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି।

ସୂଚନା ଯୋଗ୍ୟ ଯେ, ଆଜିର ରିପୋର୍ଟରେ ମୋଟ ୧୩ଜଣଙ୍କ ମଧ୍ୟରେ ୩ଜଣ ମହିଳା ଥିଲାବେଳେ ୧୦ଜଣ ପୁରୁଷ ସଂକ୍ରମିତ ହୋଇଛନ୍ତି। ଗୋଟିଏ ଦିନରେ ୧୩ଜଣ ସଂକ୍ରମିତ ହୋଇଥିବାରୁ ବାଙ୍କୀ ବ୍ଲକର କନ୍ତପହଁରା, ରତାଗଡ, ବାଉଁଶପୁଟ ଓ ବନ୍ଦାଳ ପଞ୍ଚାୟତରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ଜାଣିବାକୁ ମିଳିଛି।

Comments are closed.