ଶକ୍ତି ଉପାସନାର ପ୍ରମୁଖ ପୀଠ ବାଙ୍କୀର ମା’ଚର୍ଚ୍ଚିକାଙ୍କ ପୀଠ; ତାନ୍ତ୍ରୀକ ଉପଚାରରେ ଚାଲେ ପୂଜାର୍ଚ୍ଚନା

ବାଙ୍କୀ( ଡମପଡ଼ା) : ଓଡ଼ିଶାର ଶକ୍ତ ପରମ୍ପରା ବହୁ ପ୍ରାଚୀନ ହୋଇଥିବାବେଳେ ଏହାର କିମ୍ବଦନ୍ତୀ ମଧ୍ୟ ଅନ୍ୟାନ୍ୟ ସ୍ୱତନ୍ତ୍ରତା ବହନ କରିଥାଏ । ରାଜରାଜୁଡା ଶାସନ ଅମଳରୁ ବିଭିନ୍ନ ଅଞ୍ଚଳରେ ଶକ୍ତିଙ୍କ ଉପାସନାରେ ପ୍ରାଧାନ୍ୟ ଦିଆଯାଇଥିବାବେଳେ ବିପଦ ଆପଦରେ ଶକ୍ତି ଅଭୟ ବର ପ୍ରଦାନ କରି ସାହା ହୁଅନ୍ତି ବୋଲି ଶ୍ରଦ୍ଧାଳୁଙ୍କ ମନରେ ବିଶ୍ୱାସ ରହିଆସିଛି । ସେଥିପାଇଁ ଓଡ଼ିଶାର କୋଣ ଅନୁକୋଣରେ ଥିବା ପ୍ରମୁଖ ଶକ୍ତିପୀଠ ଗୁଡିକରେ ବର୍ଷ ତମାମ୍ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ । ପ୍ରମୁଖ ଶକ୍ତିପୀଠମାନଙ୍କ ମଧ୍ୟରେ ସ୍ୱତନ୍ତ୍ରତା ବହନ କରୁଥିବା ବାଙ୍କୀର ଚର୍ଚ୍ଚିକା ପୀଠ ଯେତିକି ରହସ୍ୟମୟ, କିମ୍ବଦନ୍ତୀ ଏହାର ସେତିକି ପ୍ରାଚୀନ ।
ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ଚର୍ଚ୍ଚିକା କାହୁଁ କେଉଁ ଆବାହମାନ କାଳରୁ ଓଡ଼ିଶାର ଗଙ୍ଗା କୁହାଯାଉଥିବା ମହାନଦୀ କୂଳରେ ଅବସ୍ଥିତ ଋଚିକଗିରିର ପର୍ବତ ଶିଖରରେ ପୂଜା ପାଇ ଆସୁଥିବାବେଳେ ଦେବୀ ଚର୍ଚ୍ଚିକାଙ୍କ ଉତ୍ପତି ସଂପର୍କରେ ସେମିତି କିଛି ସଠିକ୍ ପ୍ରମାଣ ମିଳିପାରି ନାହିଁ । କିମ୍ବଦନ୍ତୀ ଅନୁଯାୟୀ, ଦେବୀ ଦୁର୍ଗା ମହିଷାସୁରକୁ ବଧ କରିବା ପରେ ମହିଷାର ଅନୁଗାମୀ ରଣାସୁର ପୃଥିବୀ ପୃଷ୍ଠରେ ଅତ୍ୟାଚାର ଏବଂ ଆତଙ୍କ ସୃଷ୍ଟି କରିଥିଲା । ଦେବୀ ଦୁର୍ଗାଙ୍କ ଅଂଶ ସ୍ୱରୂପ ଦେବୀ ଚର୍ଚ୍ଚିକା ଆର୍ବିଭୁତା ହୋଇ ରଣାସୁରର ବଧ କିରବା ସହିତ ସଂସାରକୁ ପାପରୁ ମୁକ୍ତି ଦେଇଥିଲେ । ସେହିଦିନଠାରୁ ଦେବୀ ବାଙ୍କୀର ଋଚିକ ପାହାଡ ଉପରେ ଆସ୍ଥାନ ଜମେଇ ପୂଜା ପାଇ ଆସୁଛନ୍ତି ।
ଅନ୍ୟଏକ କିମ୍ବଦନ୍ତୀ ଅନୁଯାୟୀ, ବିଷ୍ଣୁଙ୍କ ଷଷ୍ଠ ଅବତାର ଭଗବାନ ପର୍ଶୁରାମ ଋଚିକ ପାହାଡର ଅବସ୍ଥାନ ସମୟରେ ଦେବୀ ଚର୍ଚ୍ଚିକାଙ୍କ ମୂର୍ତ୍ତିକୁ ଶରମୂନରେ ଆଙ୍କି ପୂଜା କରିଆସୁଥିଲେ । ସେହି ଦିନଠାରୁ ଦେବୀ ଚର୍ଚ୍ଚିକା ଋଚିକ ପାହାଡରେ କାଳକ୍ରମେ ପୂଜା ପାଇ ଆସୁଥିବା ବେଳେ ଋଚିକ ପାହାଡକୁ କେହି କେହି ପର୍ଶୁରାମ ପୀଠ ଭାବେ ଅବତାରଣା କରିଥାନ୍ତି ।
ମା’ଙ୍କ ମନ୍ଦିର ଋଚିକ ପାହାଡର ଶିଖରରେ ଅବସ୍ଥିତ ଥିଲାବେଳେ ମନ୍ଦିର ପରିସରରେ ବିଭିନ୍ନ ଛୋଟବଡ ଶୈବ ମନ୍ଦିର , ମଙ୍ଗଳା ମନ୍ଦିର, ସନ୍ତୋଷି ଦେବୀ ମନ୍ଦିର, ରଘୁନାଥ ମନ୍ଦିର ,ଜଗନ୍ନାଥ ମନ୍ଦିର ଦେଖିବାକୁ ମିଳିଥାଏ । ମା’ଙ୍କ ମନ୍ଦିର ବଡ ହୋଇନଥିଲେ ମଧ୍ୟ ପାରିପାଶ୍ୱିକ ସୌନ୍ଦର୍ଯ୍ୟତା ମନ୍ଦିରର ଶୋଭାକୁ ଦ୍ୱିଗୁଣିତ କରିଥାଏ । ପୀଠ ଉପରୁ ମହାନଦୀର ନୀଳଜଳ ଏବଂ ବିସ୍ତିର୍ଣ୍ଣ ବାଲୁକାରାଶି ପ୍ରତିୟମାନ ହେଉଥିବାବେଳେ ଦୂର ନୀଳ ଆକାଶରେ ସୁଉଚ୍ଚ ମହାପର୍ବତ ଏବଂ ବଡମ୍ବା ଅଞ୍ଚଳର କୁମ୍ଭାରଙ୍ଗା ମୁଣ୍ଡିଆ ଶ୍ରଦ୍ଧାଳୁମାନଙ୍କୁ ବାଙ୍କୀର ଚର୍ଚ୍ଚିକା ପୀଠ ଆସିବା ପାଇଁ ଆକର୍ଷିତ କରିଥାଏ । ମା’ଙ୍କ ମହିମା ଅନୁଯାୟୀ ପୀଠରେ ଦୁଇଗୋଟି ସମ୍ପୂର୍ଣ୍ଣ କାଷ୍ଠ ନିର୍ମିତ ମଣ୍ଡପ ନିର୍ମିତ ହୋଇଥିବା ବେଳେ ଏହାକୁ “ଶୂନ୍ୟବହିନୀ” ମଣ୍ଡପ କୁହାଯାଏ । କାଷ୍ଠରେ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଦୁଇଟି ମଣ୍ଡପ ପ୍ରତେକ ଗୋଟିଏ ମାତ୍ର ଖିଲେଣୀରେ ଝୁଲି ରହିଥିବାବେଳେ ମଣ୍ଡପରେ ବସିପଡିଲେ କୋଟି ଜନ୍ମର ପାପ କ୍ଷୟ ଯାଏ ବୋଲି ବିଶ୍ୱାସ ରହିଛି ।
ଦେବୀ ଚର୍ଚ୍ଚିକାଙ୍କ ଗଢ଼ଣ ମଧ୍ୟ ଅନ୍ୟ ଦେବୀ ପୀଠଠାରୁ ସ୍ୱତନ୍ତ୍ରତା ବହନ କରିଥାଏ । ନାରୀ ଜାତିକୁ ସମ୍ମାନ ଦେଇ ଆସୁଥିବା ଉତ୍କଳୀୟ ପରମ୍ପରାରେ ଠାକୁରାଣୀଙ୍କ ପ୍ରସ୍ଥର ମୂର୍ତ୍ତିର ନିର୍ମାଣ ଶୈଳୀ ଭିନ୍ନ ରହିଥିବା ଦେଖିବାକୁ ମିଳିଥାଏ । ଦେବୀ ଚର୍ଚ୍ଚିକାଙ୍କ ପ୍ରସ୍ଥର ମୂର୍ତ୍ତି ସମ୍ପୂର୍ଣ୍ଣ ଉଲଗ୍ନା, ଶବରୂଢ଼ା, ବକ୍ଷଦେଶରେ ନରମୁଣ୍ଡମାଳା , ଅଷ୍ଟଭୂଜା, ଚାମୁଣ୍ଡା । ଦକ୍ଷୀଣହସ୍ତ ଚାରୋଟିରେ ଖଡ୍ଗ , ତ୍ରିଶୂଳ, ସର୍ପ ଓ ଅଙ୍କୁଶ ଧରିଥିବାବେଳେ ବାମ ହସ୍ତ ଚାରୋଟିରେ କଟାମୁଣ୍ଡ, ଡମ୍ବୁର, ଅନ୍ୟଏକ ହସ୍ତର କନିଷ୍ଠା ଆଙ୍ଗୁଳିକୁ ଦାନ୍ତରେ କାମୁଡି ଧରିଥିବାବେଳେ ଶେଷ ହସ୍ତରେ ଛିନ୍ନମସ୍ତକ ଧାରଣ କରିଥିବା ଜଣଯାଇଥାଏ ।
ବର୍ଷତମାମ୍ ପୀଠରେ ବିିଭିନ୍ନ ପର୍ବପର୍ବାଣୀ ପାଳିତ ହୋଇ ଆସୁଥିବା ବେଳେ ମା’ଙ୍କ ସେବା ପୂଜା ପାଇଁ ରାଜଗୁରୁ , ବ୍ରାହ୍ମଣ ଏବଂ ମାଳି ସେବାୟତ ୨୨ବାଟି ଖଞ୍ଜା ସହକାରେ ଖଞ୍ଜିଥିବା ଜଣାଯାଇଥାଏ । ମୁଖ୍ୟତଃ ମନ୍ଦିରର ପ୍ରତେକ ସେବା ମାଳିସେବାୟତମାନେ କରୁଥିବା ଦେଖିବାକୁ ମିଳିଥାଏ । ଦେବୀ ଚର୍ଚ୍ଚିକାଙ୍କ ସମସ୍ତ ପୂଜା ମଧ୍ୟରେ ଶାରଦୀୟ ଷୋଳ ପୂଜା ଉତ୍ସବ ଆରମ୍ଭର ସହକାରେ ପ୍ରତିବର୍ଷ ପାଳନ କରାଯାଇଥାଏ । ପ୍ରତିଦିନ ପ୍ରାତଃ ସମୟରେ ମନ୍ଦିର ଖୋଲାଯାଇ ଦେବୀ ଚର୍ଚ୍ଚିକାଙ୍କର ମଙ୍ଗଳଆଳତୀ, ପଞ୍ଚଅବକାସ ମାଜଣା କରାଯିବା ପରେ ନେତ୍ରଲାଗି କରାଯାଇଥାଏ । ପରେ ମା’ଙ୍କ ମୁଖରେ ଘୋରାଚନ୍ଦନ ଲାଗି ହେବା ସହିତ କଳାମୁଗୁନି ପଥରେ ଦେହରେ ପର୍ଶୁରାମ ଶରମୁନରେ ଆଙ୍କି ଯାଇଥିବା ମା’ଙ୍କ ମୂର୍ତ୍ତିରେ ଚନ୍ଦନ ଲେପନ, ଭୂଜ ,ପୟର, ନେତ୍ର ,ଚିତା ଲଗାଇ ମା’ଙ୍କୁ ବେଶ କରାଯାଇଥାଏ । ପରେ ନୀତିକାନ୍ତି ସହକାରେ ସୂର୍ୟ୍ୟପୂଜା, ଦ୍ୱାରପାଳ ପୂଜା କରାଯାଇ ବଲ୍ଲଭଭୋଗ ଅର୍ପଣ କରାଯାଇଥାଏ । ସକାଳ ଧୂପରେ ଖେଚୁଡି, ଡାଲମା ହେଉଥିବା ବେଳେ ଦ୍ୱିପ୍ରହର ଧୂପରେ ମା’ଙ୍କ ମାଜଣା କରାଯାଇ ଖେଚୁଡି, ତରକାରୀ ,ଖିରୀ ,କାକରା ଭୋଗ କରାଯାଇ ମନ୍ଦିର ପହଡ ପଡେ । ସନ୍ଧ୍ୟାଧୂପ ସମୟରେ ଆଳତି ପରେ ଟେଳା ଅନ୍ନ ଅର୍ପଣ ହୋଇଥାଏ । ରାତିଧୂପରେ ଦହିପଖାଳ, ତରକାରୀ, ଭୋଗ ପରେ ଅଧରପଣା, ବଡସିଂହାର ବେଶ କରାଯାଇ ମା’ଙ୍କ ବିଶ୍ରାମ ପାଇଁ ଖଟିଆ ସଜ କରାଯାଇ ପହଡ ବନ୍ଦ କରାଯାଇଥାଏ । ଏତଦ୍‌ବ୍ୟତିତ ମା’ଙ୍କ ନିକଟରେ ମଧ୍ୟାହ୍ନ ଧୂପରେ ଆମୀଷ ଶଙ୍କୁଡି ଭୋଗ (ମାଛ) ଅର୍ପଣ ହେବାର ବିଧି ରହିଥିବା ଜଣାଯାଇଛି କେବଳ କାର୍ତ୍ତିକ, ବୈଶାଖ ଓ ମାଘ ମାସକୁ ଚାଡି ।
ମା’ଚର୍ଚ୍ଚିକାଙ୍କ ବିଶେଷ ପର୍ବ ମଧ୍ୟରେ ଅଶ୍ୱିନ ମାସରେ ପଡୁଥିବା ଶରଦୀୟ ପୂଜା ବା ଷୋଳପୂଜା ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇ ମହାଷ୍ଟମୀ ଦିନ ମହାପଶୁ ଅର୍ପଣ ପରେ ସମାପ୍ତ ହୋଇଥାଏ । ଷୋଳଦିନରେ ଷୋଳପ୍ରକାର ବେଶ କରାଯାଉଥିବା ବେଳେ ମୂଳାଷ୍ଟମୀ ଦିନ ରାଜଗୁରୁ ରାଜନଅର ଯାଇ ଶାରଦୀୟ ପୂଜା ପାଇଁ ରାଜାଙ୍କ ଠାରୁ ସଂକଳ୍ପ କରାଇଥାନ୍ତି । ପରେ ମନ୍ଦିର ଆସି ଏକ କଳସ ଧାନ ଦେଇ ସ୍ଥାପନ କରାଯାଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ଶାରଦୀୟ ପୂଜା ଅବସରରେ ପ୍ରାତଃ ଏବଂ ସନ୍ଧ୍ୟାଆଳତୀ ପରେ ଦିନକୁ ଦୁଇଥର ମାଜଣା କରାଯାଇଥାଏ । ମା’ଙ୍କୁ ଭୃଙ୍ଗାରୀ ସ୍ନାନ ସହିତ କଳସ ସ୍ଥାପନା , ସଂକଳ୍ପ, ମାଣ୍ଡୁଅ ଧୂପ, ଚାମୁଣ୍ଡୀ ସେବା କରାଯିବାର ବିଧି ବ୍ୟବସ୍ଥା ରହିଆସିଛି ।
ଚର୍ଚ୍ଚିକାଙ୍କର ଅନ୍ୟପୀଠ ଭଳି ପ୍ରତ୍ୟେକ ଦିନ କୌଣସି ସ୍ୱତନ୍ତ୍ର ବେଶ କରାଯାଉନଥିବା ବେଳେ ମହାସପ୍ତମୀ ଦିନ ମହାଲକ୍ଷ୍ମୀବେଶ , ମହାଷ୍ଟମୀଦିନ ମହିଷାମର୍ଦ୍ଦିନୀ ବେଶ କରାଯାଇ ମା’ଙ୍କ ଗଳାରେ ୧୦୮ ମୁଣ୍ଡମାଳ (ରୌପ୍ୟ) ଧାରଣ କରାଯାଇଥାଏ, ସେହିଦିନ ରାତ୍ରରେ ମାଜଣାପରେ ନେତବନ୍ଧା ଉତ୍ସବ ଏବଂ ରାତ୍ରିଧୂପରେ ଅଧା କରାଯାଇ ମନ୍ଦିର ଉପର ମଣ୍ଡପରେ ଯଜ୍ଞ କରାଯାଇଥାଏ । ପ୍ରଥମ ପୂର୍ଣ୍ଣହୂତି ପରେ କିମ୍ବଦନ୍ତୀ ଅନୁଯାୟୀ ବାଙ୍କୀ ରାଜାଙ୍କ ପ୍ରଦ ଖଞ୍ଜା ସ୍ୱରୂପ ଦୁଇଟି ବୋଦା ବଳି ପୂର୍ବରୁ କରାଯାଉଥିବା ଜଣାଯାଏ । ପରେ ହୋମରେ ତନ୍ତ୍ରାହୁତି ନଡିଆ ପୋଡା ପରେ ଦଶ ମହାବିଦ୍ୟାରେ ଚଣ୍ଡୀପାଠ କରାଯାଇ ଠାକୁରାଣୀଙ୍କ ସନ୍ଧିପୂଜା ଅନୁଷ୍ଠିତ ହୋଇଥାଏ । ନବମୀ ଦିନ ପାଣିକଖାରୁ ବଳୀ ଦିଆଯାଇ ହୋମଯଜ୍ଞ ପରେ ସକାଳୁ ଦେବୀ ଚର୍ଚ୍ଚିକା ବିଶ୍ରାମ ନେଇଥାନ୍ତି । ଦଶହରା ଦିନ ଚର୍ଚ୍ଚିକାଙ୍କୁ ରାଜରଜେଶ୍ୱରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଥିବା ବେଳେ କୁମାରପୂର୍ଣ୍ଣିମାରେ ଦେବୀଙ୍କ ସନ୍ଧ୍ୟା ଧୂପ ପରେ କୁମାରୀ ବେଶରେ ସଜ୍ଜିତ କରାଯାଇଥାଏ । ବିଶେଷତଃ ଏହି ଦିନ ମା’ଙ୍କୁ କେତକି ଫୁଲ ଅର୍ପଣ କରାଯିବାର ବିଧି ରହିଆସିଛି ।
ପ୍ରତିବର୍ଷ ଶରଦୀୟ ପୂଜା ଅବସରରେ ମନ୍ଦିର ଗହଳି ଲାଗିରହୁଥିବା ବେଳେ ଚଳିତ ବର୍ଷ କୋଭିଡ୍ କଟକଣା ଯୋଗୁ ମନ୍ଦିର ପରିସର ଖାଁ ଖାଁ ପଡିଥିବା ଦେଖାଯାଇଛି । ସେବାୟତମାନେ କୋଭିଡ କଟକଣା ଅନୁଯାୟୀ ଶାରଦୀୟ ପୂଜା ପାଳନ କରୁଥିବା ଦେଖାଯାଉଛି ।

Comments are closed.