ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ ଓ ଚଞ୍ଚକତା ଅଭିଯୋଗ, ଥାନାରେ ଏତଲା

ବାଙ୍କୀ: ମଙ୍ଗଳବାର ଶୁଭ୍ରାଂଶୁ ମୋହନ ପାଢୀଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ବାଙ୍କୀ ସହର ପରିକ୍ରମା କରିଥିଲା। ବାଙ୍କୀ ଥାନାରେ ବିଜେପି ଦଳୀୟ ପଦାଧିକାରୀ ମାନଙ୍କ ସ୍ୱାକ୍ଷର ଥାଇ ଏକ ଏତଲା ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବାଙ୍କୀ ଥାନା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ସମଗ୍ର ରାଜ୍ୟ ପରି ବାଙ୍କୀରେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ ଓ ଚଞ୍ଚକତା କରି କେନ୍ଦ୍ର ସରକାରଙ୍କ ନାମକୁ ଲୁଚାଇ ବିଜୁ ପକ୍କା ଘର ଯୋଜନା ନାମରେ ଷ୍ଟିକର ଲଗାଇ ଜନସାଧାରଣଙ୍କୁ ବିଭ୍ରାଟ କରୁଥିବା ପ୍ରତିବାଦରେ ରାଜ୍ୟ ସରତକାରଙ୍କ ବିରୁଦ୍ଧରେ ଏହି ଏତଲା ଦିଆଯାଇଛି।
ସୂଚନା ଯୋଗ୍ୟ ଯେ ୨୦୨୨ମସିହା ସୁଦ୍ଧା ଦେଶର ସବୁ ପରିବାରଙ୍କ ମୁଣ୍ଡ ଉପରେ ଛାତ ରହିବ। ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ହଡପ କରିବା ପାଇଁ ଯୋଜନା କରୁଥିବା ସମ୍ପର୍କରେ ଲିଖିତ ଅଭିଯୋଗ କରାଯାଇଛି। ପୂର୍ବରୁ ନିଜ ଯୋଜନା ଭାବେ ବ୍ରାଣ୍ଡିଂ କରି ରାଜ୍ୟବାସୀଙ୍କୁ ରାଜ୍ୟ ସରକାର ବିଭ୍ରାଟ କରିଥିଲେ। ଆଉ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରସ୍ତୁତ ଘରେ ଲାଗୁଥିବା ଫଳକରେ ଖୁବ୍ ଛୋଟ ଅକ୍ଷରରେ ପ୍ର.ଆ.ଯୋ ଲେଖିଥିଲା ବେଳେ ଚଞ୍ଚକତା କରି ବିଜୁବାବୁଙ୍କ ଫଟୋ ଲୋଗ ସହ ବଡବଡ ଅକ୍ଷରରେ ବିଜୁ ପକ୍କାଘର ଯୋଜନା ଲେଖି ନିର୍ମିତ ଗୃହରେ ଷ୍ଟିକର ମାରୁଛନ୍ତି । ୧୦ରୁ ୧୨ବର୍ଷ ପୂର୍ବରୁ ନିର୍ମିତ ହୋଇଥିବା ଇନ୍ଦିରା ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପକ୍କା ଘରେ ଏବେ ବିଜୁ ପକ୍କାଘର ଷ୍ଟିକର ମରାଯାଉଛି। ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ଯୋଜନା ବୋଲି ପ୍ରଚାର କରିବାର ସଡଯନ୍ତ୍ର କରି ରାଜ୍ୟ ବାସୀଙ୍କୁ ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ଏକ ଚିଠି ବାଣ୍ଟୁଛନ୍ତି ଯେଉଁଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବୋଲି ଉଲ୍ଲେଖ କରାଯାଉନାହିଁ।

 

କେନ୍ଦ୍ର ସରକାରଙ୍କ କୌଣସି ସ୍ଥାୟୀ ଯୋଜନାର ନାମକୁ ରାଜ୍ୟ ସରକାର ପରିବର୍ତ୍ତନ କରିପାରିବେ ନାହିଁ କିମ୍ବା ଯୋଜନାର ଅର୍ଥକୁ ଅନ୍ୟତ୍ର ଖର୍ଚ୍ଚ କରିପାରିବେ ନାହିଁ ବୋଲି ଆଇନରେ ସ୍ପଷ୍ଟ ଉଲ୍ଲେଖ ରହିଛି। ତେଣୁ ରାଜ୍ୟ ସରକାର ନିର୍ମାଣ ସରିଥିବା ଗୃହରେ ଷ୍ଟିକର ମାରିବା ଓ ମୁଖ୍ୟମନ୍ତ୍ରୀଙ୍କ ମିଥ୍ୟା ତଥ୍ୟ ଥିବା ଚିଠି ସମ୍ପୂର୍ଣ୍ଣ ବେଆଇନ, ଠକାମି, ପ୍ରବଞ୍ଚନା ଓ ବିଭ୍ରାନ୍ତି ମୂଳକ କାର୍ଯ୍ୟ ଯୋଗୁ ଆଇପିସିର ୪୨୦ଧାରା ଅନୁଯାୟୀ ଦଣ୍ଡନୀୟ ବୋଲି ବିଜେପି ପକ୍ଷରୁ ପ୍ରଦାନ କରାଯାଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି। କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଦେବୀପ୍ରସାଦ ମାହାନ୍ତି, ଭଞ୍ଜକିଶୋର ରାଉତ, ସର୍ବେଶ୍ୱର ନାୟକ, ଦିଲ୍ଲୀପ କୁମାର ଦାସ, ସୁବର୍ଣ୍ଣପୁର ମଣ୍ଡଳ ସଭାପତି ପ୍ରସନ୍ନ କୁମାର ସ୍ୱାଇଁ, ପ୍ରେମାନନ୍ଦ ମହାରଣା, ତ୍ରିନାଥ ସାହୁ, ଅଶୋକ କୁମାର ରାଉତ, ଅଜିତ୍ କୁମାର ସୁବୁଦ୍ଧି, ପ୍ରଫୁଲ୍ଲ କୁମାର ପୃଷ୍ଟି ପ୍ରମୁଖ ବହୁ ବିଜେପ କର୍ମୀ ଦାବୀ ଜଣାଇଛନ୍ତି। ଏହି ଅବସରରେ ବିଜେପି ପକ୍ଷରୁ ବାଙ୍କୀ ବ୍ଲକ ଓ ଡମପଡା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦାନ କରାଯାଇ ନବୀନ ପଟ୍ଟନାୟକଙ୍କ ସ୍ୱାକ୍ଷର ଥାଇ ବଣ୍ଟାଯାଇଥିବା ଚିଠିର ନମୂନାକୁ ସାଙ୍କେତିକ ଭାବରେ ପୋଡାଯାଇ ରାଜ୍ୟ ସରକାରଙ୍କର ଏଭଳି ହୀନ ଚକ୍ରାନ୍ତକୁ ନିନ୍ଦା କରାଯାଇଛି। ସେହିପରି ବାଙ୍କୀ ନିର୍ବାଚନ ମଣ୍ଡଳୀର ବାରଙ୍ଗ ଥାନାରେ ମଣ୍ଡଳ ସଭାପତି ପ୍ରଭାତ ମହାପାତ୍ରଙ୍କ ନେତୃତ୍ୱରେ ଏତେଲା ଦିଆଯାଇଥିବା ସମୟରେ କଳାପଥର ମଣ୍ଡଳ ସଭାପତି ସୁଶାନ୍ତ ଭଟ୍ଟଙ୍କ ନେତୃତ୍ୱରେ ବୈଦେଶ୍ୱର ଥାନାରେ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଅନୁରୂପ ଏତେଲା ଦିଆଯାଇଥିବା ସମ୍ପର୍କରେ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢୀ ସୂଚନା ଦେଇଛନ୍ତି।

Comments are closed.