ବେଆଇନ ଗିରଫଦାରୀ ଓ ପୁଲିସ ଜୁଲମ ବିରୋଧରେ ବିଜେଡିର ପ୍ରତିବାଦ ସଭା

ବାଙ୍କୀ : ବାଙ୍କୀ ଥାନା ଅନ୍ତର୍ଗତ କନ୍ତପହଁରା ପଞ୍ଚାୟତ ଅଧିନ ଘୋଳପୁର ଗ୍ରାମରେ ଚଳିତ ମାସ ୨୪ତାରିଖ ଦିନ ଘଟିଯାଇଥିବା ବୋମାମାଡ ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୁଲିସ ବିଜେଡିର ଟାଣୁଆ ନେତା ବିଶିଷ୍ଟ ସମବାୟବିତ୍‍ ରାଜ୍ୟ ସମବାୟ ବ୍ୟାଙ୍କର ପୂର୍ବତନ ନିର୍ଦ୍ଦେଶକ ଗତିକୃଷ୍ଣ ସ୍ୱାଇଁଙ୍କୁ ହତ୍ୟା ଅପରାଧି ସଜାଇ ମକଦ୍ଦମା ରୁଜ୍ଜୁ କରି ତାଙ୍କୁ ଗିରଫ କରିଥିଲା। ଏହାର ପ୍ରତିବାଦରେ ବାଙ୍କୀ ବିଜେଡି ପକ୍ଷରୁ ଏକ ଦଳୀୟ ବୈଠକ ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ପୂର୍ବାହ୍ନରେ ନଗର ବିଜେଡି ସଭାପତି ଅଡଭୋକେଟ୍‍ ହରେକୃଷ୍ଣ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରାଯାଇ ଗତିକୃଷ୍ଣ ସ୍ୱାଇଁଙ୍କ ବିରୋଧରେ କରାଯାଇଥିବା ମକଦ୍ଦମାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦୃଢ ଦାବୀ କରଯାଇଛି। ବିଜେଡି ପକ୍ଷରୁ ଘଟଣା ସ୍ଥଳକୁ ପଠାଯାଇଥିବା ଫ୍ୟାକ୍ଟ ଫାଇଣ୍ଡିଂ କମିଟି ପକ୍ଷରୁ ସଂଗ୍ରହ କରାଯାଇଥିବା ବିବରଣୀ ବୈଠକରେ ଉପସ୍ଥାପିତ କରାଯାଇ ଗତିକୃଷ୍ଣ ସ୍ୱାଇଁ ବିଜୁ ଜନତା ଦଳରେ ଜଣେ ଆଗଧାଡିର ନେତା ଓ ସମାଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ରୂପେ ପରିଚିତ ଥିଲାବେଳେ ତାଙ୍କ ବିପକ୍ଷରେ ଅପରାଧୀ ମୂଳକ କୌଣସି ପୃଷ୍ଟଭୂମି ନାହିଁ। ବର୍ଷ ବର୍ଷ ଧରି ଘୋଳପୁର ଗ୍ରାମରେ କେତେକ ସମାଜ ବିରୋଧୀ ଯୁବକଙ୍କ ଦ୍ୱାରା ଗ୍ୟାଙ୍ଗ ତିଆରି କରାଯାଇ ଅସାମାଜିକ କାର୍ଯ୍ୟ ଚାଲୁଥିଲେ ମଧ୍ୟ ପୁଲିସ ଯଥାକ୍ରମେ ଏହାକୁ ନିୟନ୍ତ୍ରଣ କରିପାରିନଥିବାରୁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ବୋଲି ବୈଠକରେ ଆଲୋଚନା କରାଯାଇଥିବା ଜଣାପଡିଛି। ଏହି ବୈଠକରେ ସରଣ୍ଡା ଅଞ୍ଚଳ ତଥା ବାଙ୍କୀ ଉପଖଣ୍ଡର ବହୁ ଦଳୀୟ କର୍ମୀ ଓ ବିଜେଡିର ପଞ୍ଚାୟତରାଜ ପ୍ରତିନିଧି ଯୋଗଦେଇଥିଲେ। ୨୪ତାରିଖରେ ଘଟିଯାଇଥିବା ଘଟଣାରେ ବିଜୁ ଜନତା ଦଳ, ସ୍ଥାନୀୟ ପଞ୍ଚାୟତ ସଂଗଠନ କିମ୍ବା ଶ୍ରୀ ଗତିକୃଷ୍ଣ ସ୍ୱାଇଁଙ୍କର କୌଣସି ଭୂମିକା ନାହିଁ ବରଂ ଅଯଥାରେ ସ୍ଥାନୀୟ ପୁଲିସ ନିଜ ପ୍ରଶାସନିକ ଅପାରଗତାକୁ ଘୋଡାଇବା ପାଇଁ ଗତିକୃଷ୍ଣ ସ୍ୱାଇଁଙ୍କ ବିରୋଧରେ ମିଥ୍ୟା ମକଦ୍ଦମା ରଜୁ କରିଛି। ଏହି ବୈଠକରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ, ଡମପଡା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର, ବାଙ୍କୀ ବ୍ଲକ ବିଜୁ ଜନତା ଦଳ ସଭାପତି ଅନନ୍ତ ଚରଣ ଦାସ, ଡମପଡା ବ୍ଲକ ବିଜୁ ଜନତା ଦଳ ସଭାପତି ଆର୍ତ୍ତତ୍ରାଣ ସ୍ୱାଇଁ ପ୍ରମୁଖଙ୍କ ସମେତ ବହୁ କର୍ମୀ ଯୋଗଦେଇ ଗତିକୃଷ୍ଣ ସ୍ୱାଇଁଙ୍କ ବିରୋଧରେ କରାଯାଇଥିବା ମିଥ୍ୟା ମକଦ୍ଦମାକୁ ପ୍ରତ୍ୟାହାର କରିବା ପାଇଁ ଦାବୀ ଜଣାଇଛନ୍ତି। ତାନହେଲେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଲିସର ବିବାଦୀୟ ଭୂମିକାକୁ ଦୃଷ୍ଟିରେ ରଖି ଏହି ହତ୍ୟା କାଣ୍ଡର ଅନୁସନ୍ଧାନ କ୍ରାଇମବ୍ରାଞ୍ଚ କିମ୍ବା ଅନ୍ୟ କୌଣସି ନିରପେକ୍ଷ ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ ଦେବାପାଇଁ ବାଙ୍କୀ ବିଜେଡି ପକ୍ଷରୁ ଅନୁରୋଧ କରାଯିବା ସମ୍ପର୍କରେ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି କମିଟି ନଭେମ୍ବର ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଆଲୋଚନା କରାଯାଇଛି। ନ୍ୟାୟ ପାଇଁ ଆଇନଗତ ଲଢେଇ ଲଢିବା ପାଇଁ ବାଙ୍କୀ ବିଜୁ ଜନତା ଦଳ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବା ପାଇଁ ଶୁକ୍ରବାର ଆୟୋଜିତ ଦଳୀୟ ପରିବର୍ଦ୍ଧିତ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

Comments are closed.