ବାଙ୍କୀ ଏନ୍‌.ଏ.ସିରେ ଆବାସ ଯୋଜନା ବଣ୍ଟନରେ ଅନିୟମିତତା, ଗରିବଙ୍କୁ ନାହିଁ ଥିଲାବାଲାଙ୍କୁ ୨ଟି ଲେଖାଏଁ ଘର କଣ ପାଇଁ

ଅସାଧୁ କର୍ମଚାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବିକଲା କଂଗ୍ରେସ

ବାଙ୍କୀ : ବାଙ୍କୀ ଏନ୍‌.ଏ.ସି ଆବାସ ଯୋଜନା ବଣ୍ଟନରେ ଅନିୟମିତତା ହୋଇଥିବା କଂଗ୍ରେସ ଅଭିଯୋଗ କରିଛି । ଆଜି ବାଙ୍କୀ ଉପଜିଲ୍ଲାପାଳଙ୍କୁ ଭେଟି ପୁନର୍ବାର ସରଜମିନ୍ ତଦନ୍ତକରି ଯୋଗ୍ୟ ହିତାଧିକାରୀଙ୍କୁ ତାଲିକଭୁକ୍ତ କରିବା ସହିତ ଅଯୋଗ୍ୟ ବ୍ୟକ୍ତିଙ୍କୁ ଯୋଗ୍ୟ ହିତାଧିକାରୀ କରି ଆବାସ ଆବଣ୍ଟନ କରିଥିବା ଅସାଧୁ କର୍ମଚାରୀମାନଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବାଙ୍କୀ କଂଗ୍ରେସ । ଦାବି ପୁରଣ ନହେଲେ ଯୋଗ୍ୟ ହିତାଧିକାରୀଙ୍କ ନାର୍ଯ୍ୟ ପ୍ରାପ୍ୟ ପାଇଁ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଲିଖିତ ଭାବେ ଉପଜିଲ୍ଲାପାଳଙ୍କୁ ଜଣାଇଥିବା ଦେଖିବାକୁ ମିଳିଛି ।

ବାଙ୍କୀ ଅଧିସୂଚୀତ କ୍ଷେତ୍ର ପରିଷଦ ଅଧିନରେ ଥିବା ଅସହାୟ ଏବଂ ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଅବାସ ଯୋଜନା (ସହରାଂଚଳ) କାର୍ଯ୍ୟକାରୀ ହେଉଛି । ଏହି ପରିପ୍ରେକ୍ଷୀରେ ଗତ ତିନିଦିିନ ତଳେ ଅଂଚଳ ମଧ୍ୟରେ ଥିବା କିଛି ବ୍ୟକ୍ତିଙ୍କୁ ଆବାସ ଯୋଜନାରେ ଘର ମିଳିଥିବା ପ୍ରକାଶ ପାଇଛି । କିନ୍ତୁ ଅନେକ ଅସହାୟ, ଗରିବଗୁରୁବା ଯୋଗ୍ୟ ହିତାଧିକାରୀ ଆବାସ ଖଣ୍ଡେ ପାଇବାରୁ ବଂଚିତ ହୋଇଛନ୍ତି । ଯେଉଁମାନଙ୍କ ଅବସ୍ଥା ପ୍ରତ୍ୟେକ୍ଷ ଭାବେ ଦେଖିଲେ ଛାତି ଥରି ଉଠିବ କିନ୍ତୁ ସେହି ଯୋଗ୍ୟ ହିତାଧିକାରୀମାନଙ୍କୁ ଯୋଜନାରେ ସାମିଲ୍ କରାଯାଇନଥିବା ବେଳେ ଅନେକେ ଅଯୋଗ୍ୟ ହିତାଧିକାରୀଙ୍କୁ ଚଞ୍ଚକତା ପୂର୍ବକ ଏହି ତାଲିକାରେ ସାମିଲ୍ କରାଯାଇଥିବା କଂଗ୍ରେସ ଫେରାଦ ହୋଇଛ । ବାଙ୍କୀ ଏନ୍‌.ଏ.ସି ଅଧିନରେ ଆସୁଥିବା ୧୭ ଗୋଟି ୱାର୍ଡର ଅନେକ ଯୋଗ୍ୟ ହିତାଧିକାରୀ ଯେଉଁମାନେ ପ୍ରକୃତରେ ଘର ଖଣ୍ଡିଏ ପାଇବା ପାଇଁ ହକ୍‌ଦାର ସେମାନେ ଏଥିରୁ ବଂଚିତ ଥିବାବେଳେ ଅନେକ ଥିଲାବାଲା ଯୋଜନାରେ ପ୍ରକାଶ ପାଇଥିବା ତାଲିକାରେ ସାମିଲ୍ ହୋଇଥିବା ଦେଖିବାକୁ ମଳିଛି ।

ବାଙ୍କୀ ଅଧିସୂଚୀତ କ୍ଷେତ୍ର ମଧ୍ୟରେ ଥିବା ଅନେକ ଅସହାୟଙ୍କ ଘର ଅବସ୍ଥା ଶୋଚନୀୟ ହୋଇଥିବା ବେଳେ ସେମାନେ ବିପଦପୂର୍ଣ୍ଣଭାବେ କେଉଁଠି ଭଙ୍ଗାଘରେ ବସବାସ କରୁଛନ୍ତିତ କେଉଁଠି ଚିରାଫଟା ପାଲପକାଇ ରହୁଥିବା ଦେଖାଯାଉଛି । କିନ୍ତୁ ପ୍ରକାଶ ପାଇଥିବା ତାଲିକାରେ ଅନେକ ଅଯୋଗ୍ୟ ହିତାଧିକାରୀ ଘର ହାତେଇଥିବା ଦେଖାଯାଇଛି । ଏପରିକି ସରକାରୀ ନିୟମକୁ ଉଲଘଂନ କରି ଗୋଟିଏ ଗୋଟିଏ ପରିବାର ଦୁଇ ଦୁଇ ଜଣ ବ୍ୟକ୍ତିଙ୍କ ନାମରେ ଗୃହ ଆବଣ୍ଟନ କରାଯାଇଛି । ଏନ୍‌.ଏ.ସି କାର୍ୟ୍ୟାଳୟରେ କାମ କରୁଥିବା କିଛି କର୍ମଚାରୀଙ୍କ ସଂପର୍କୀୟମାନଙ୍କ ତାଲିକା ମଧ୍ୟ ପ୍ରକାଶ ପାଇଛି । ଏଥିରୁ ଅନୁମାନ କରିହେଉଛି ଅସାଧୁ ଉପାୟରେ ଚଞ୍ଚକତା କରି ଅର୍ଥର୍ ନେଣଦେଣ କାରବାର କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଏହି ତାଲିକାରୁ ବାଦ ରଖାଯାଇଛି ।

ଆଜି ବାଙ୍କୀର ପୂର୍ବତନ ବିଧାୟକ ଡଃ.ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କୁ ସାକ୍ଷାତ କରି ପୁନର୍ବାର ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ୍ କରିବା ପାଇଁ ଦାବି ଜଣାଇଛନ୍ତି । ବାଙ୍କୀ ଯୁବ କଂଗ୍ରେସ ସଭାପତି ବିଶ୍ୱରଞ୍ଜନ ପଣ୍ଡା , ନୀଳମଣି ମହାପାତ୍ର, ଅମୀୟ କୁମାର ନାୟକ, ରବିନ୍ଦ୍ର କୁମାର ବେହେରା , ପାର୍ଥସାରଥୀ ପାଣି ପ୍ରମୁଖ ଉପଜିଲ୍ଲାପାଳଙ୍କୁ ଭେଟି ହିତାଧିକାରୀ ଚୟନକୁ ସଠିକ୍ ଭାବରେ କରିବା ପାଇଁ ଅନୁରୋଧ କରିଥିଲେ ।

Comments are closed.