ମନରେଗା ଯୋଜନାରେ ୧୬୬ଜଣ ଶ୍ରମିକଙ୍କୁ କର୍ମ ଯୋଗାଣ

ବାଙ୍କୀ : କୋଭିଡ୍‍-୧୯ ପ୍ରଭାବରେ ଗ୍ରାମାଞ୍ଚଳଠୁ ସହରାଞ୍ଚଳ ପର୍ଯ୍ୟନ୍ତ ଜୀବନ ଜିବିକା ପ୍ରଭାବିତ ହୋଇଛି। ବାଙ୍କୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ କୁଶଳି,ଅଣକୁଶଳି,ଜବକାର୍ଡ ଧାରୀ ଏବଂ ରାଜ୍ୟ ଫେରନ୍ତା ଶ୍ରମିକ ମାନେ ମଜୁରୀ ନପାଇ ପରିବାର ପ୍ରତିପୋଷଣରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରମଜିବୀଙ୍କୁ ମନରେଗା ଯୋଜନାରେ କାମ ଯୋଗାଇ ଦେବାପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଗ୍ରାମପଞ୍ଚାୟତ ପରିଚାଳନାରେ ମାଟି କାମ ମିଳିଛି। ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଗ୍ରାମପଞ୍ଚାୟତରେ ଅଧିକ କାମ ପାଇଁ ଡିମାଣ୍ଡ ଆସିବାରୁ ବ୍ଲକ ପ୍ରଶାସନର ଅନୁମତି କ୍ରମେ ଅଂଶୁପା ପିଡବ୍ଲ୍ୟୁଡି ରୋଡ ଠାରୁ ଅଂଶୁପା ଡିଗ୍ରୀ ମହାବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତାର ନବନିର୍ମାଣ କାର୍ଯ୍ୟ ତଥା ମାଟି କାମ ଅକ୍ଟୋବର ୨୧ତାରିଖ ଠାରୁ ଆରମ୍ଭ ହୋଇଛି। ଏଠାରେ ଦୈନିକ ୧୬୬ଜଣ ଶ୍ରମିକ କାମ କରୁଛନ୍ତି। ଅକ୍ଟୋବର ୨୭ତାରିଖ ପର୍ଯ୍ୟନ୍ତ ଦୀର୍ଘ ୬ଦିନ କାର୍ଯ୍ୟରେ ମୋଟ ୯୯୬ଶ୍ରମ ଦିବସ ସୃଷ୍ଟି ହେବ ବୋଲି ସ୍ଥାନୀୟ ସରପଞ୍ଚ ତରୁଣ କୁମାର ମହାପାତ୍ର କହିଛନ୍ତି।

ସୁଚନାଯୋଗ୍ୟ ଯେ ଅଗଷ୍ଟ ଶେଷ ସପ୍ତାହରେ ମହାନଦୀରେ ହୋଇଯାଇଥିବା ମଧ୍ୟମ ଧରଣର ବନ୍ୟା ପ୍ରଭାବରେ କୃଷି ଶ୍ରମିକ,ଶ୍ରମିକ ଓ ମତ୍ସ୍ୟଜିବୀ ମାନେ ଜୀବିକା ହରାଇ ଘରେ ବସିଥିଲେ। ଗ୍ରାମପଞ୍ଚାୟତରେ ଶ୍ରମିକ ମାନଙ୍କୁ କାମ ଯୋଗାଣ ପାଇଁ ଡିମାଣ୍ଡ ଅସିବାରୁ ପଞ୍ଚାୟତ ପକ୍ଷରୁ ଏହି ରାସ୍ତାଟିର ମାଟି କାମ ବିନିମୟରେ ଶ୍ରମଜିବୀ ମାନେ ଦୈନିକ ୨୦୭ଟଙ୍କା ମଜୁରୀରେ ସରକାରୀ କାମ ପାଇଛନ୍ତି। କାର୍ଯ୍ୟସ୍ଥଳରେ ପାନୀୟଜଳ ଓ ଶୀତଳ ଛାଇର ବ୍ୟବସ୍ଥା ଗ୍ରହଣ କରାଯାଇଛି। କନିଷ୍ଠ ଯନ୍ତ୍ରୀଙ୍କୁ କାର୍ଯ୍ୟ ସମ୍ପର୍କରେ ପଚାରିବାରୁ ୧୬୬ଜଣ ଲୋକଙ୍କୁ ୧ମ ପର୍ଯ୍ୟାୟରେ କାମ ଦିଆଯାଇଛି। ରାସ୍ତାଟିର ଆବଶ୍ୟକତା ଅତି ଜରୁରୀ ଥିଲା। ମାଟି ରାସ୍ତା ଉପରେ ମୋରମ ପକାଯାଇ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯିବ। ଆବଶ୍ୟକ ସ୍ଥଳେ ଡିମାଣ୍ଡ ବଢିଲେ ଅଧିକ ଶ୍ରମ ଦିବସ ବଢିବ ବୋଲି କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ସୂଚନା ମିଳିଛି। କାର୍ଯ୍ୟସ୍ଥଳରେ ସରପଞ୍ଚ ତରୁଣ କୁମାର ମହାପାତ୍ର,ଜିଆରଏସ୍‍,ଶୁଷାନ୍ତ କୁମାର ପାଇକରା ଓ ଗ୍ରାମସାଥୀ ପ୍ରମୁଖ ମନରେଗା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଦୃଷ୍ଟିପାତ କରିଛନ୍ତି। ଶ୍ରମିକ ମାନଙ୍କୁ ଅଭାବୀ ସମୟରେ କାର୍ଯ୍ୟ ମିଳିଥିବା ହେତୁ ଜବକାର୍ଡ ଧାରୀ ମାନେ ଏଥିପାଇଁ ଖୁସି ପ୍ରକାଶ କରିଛନ୍ତି। ସପ୍ତାହରେ ଥରେ ଠିକ ସମୟରେ ନିଜର ଦୈନିକ ପ୍ରାପ୍ୟ ପାଇବା ପାଇଁ ସରକାରୀ ସହଯୋଗ ପାଇଁ ଅନୁରୋଧ କରିଛନ୍ତି।

Comments are closed.