ଦହଗଞ୍ଜ ଜୀବନ ବିତାଉଛନ୍ତି ଲକ୍ଷ୍ମୀଧର; ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅପହଞ୍ଚ

ବାଙ୍କୀ : ଗରିବ ଓ ବାସହୀନଙ୍କୁ ସରକାରୀ ଇନ୍ଦିରା ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦିଆଯାଉଥିଲେ ହେଁ ବାଙ୍କୀ ଏନ.ଏ.ସିର ୱାର୍ଡ ନଂ-୧୭(ମନ୍ତ୍ରୀସାହି)ର ଲକ୍ଷ୍ମୀଧର ସାମଲ(୮୫) ଏଥିରୁ ଏପର୍ଯ୍ୟନ୍ତ ବଞ୍ଚିତ ରହିଛନ୍ତି। ନୁଆଣିଆ ଚାଳଘର ୩ବଖରାରେ ବଡ ଦହଗଞ୍ଜ ଭାବରେ ଜୀବନ ବିତାଉଛନ୍ତି ଅଭାବୀ ପରିବାର। ୫ଝିଅରେ ୨ପୁଅ। ଧାର କରଜ କରି ଝିଅମାନଙ୍କୁ ବିବାହ କରିଦେଇଛନ୍ତି। ପରେ ପରେ ସହଧର୍ମିଣୀ ରୋଗାକ୍ରାନ୍ତ ହୋଇ ମରିଗଲା ପରେ ୨ପୁଅ ସହ ଏକାକୀ ରହୁଛନ୍ତି ସେ। ଏଯାଏଁ ଘରଟିଏ କରିପାରିନାହାଁନ୍ତି। ବାପ ପୁଅ ମୁଲ ମଜୁରୀ କରି ଚଳୁଥିଲାବେଳେ ଚଳିତ ବନ୍ୟା ତାଙ୍କର ସୁଖ ଛଡେଇ ନେଇଛି। ଝାଟିମାଟିର କାନ୍ଥ ଓ ତଣ୍ଡି ଛପର ଘରଟି ପାଣିରେ ଭୁସୁଢି ଯାଇଛି। ଘର କରିବା ପାଇଁ ହାତରେ ସମ୍ବଳ ନାହିଁ। ବଡ ଦହଗଞ୍ଜ ଭାବରେ ବନ୍ୟା ପରେ ଆଶ୍ରୟ ନେଇଛନ୍ତି। ପ୍ରତିବର୍ଷ ବନ୍ୟା ଆସିଲେ ପକ୍କା ଘରଟିଏ ନଥିବାରୁ ସେମାନଙ୍କୁ କଷ୍ଟ ସହିବାକୁ ପଡୁଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାଟିଏ ପାଇଁ ଦରଖାସ୍ତ କରାଯାଇଥିଲେ ମଧ୍ୟ ଘରଟିଏ ପାଇବା ପାଇଁ ସକ୍ଷମ ହୋଇନାହାଁନ୍ତି। ବନ୍ୟା ପରେ ଦୟନୀୟ ଅବସ୍ଥାରୁ ସୁଧୁରିବା ପାଇଁ ଲକ୍ଷ୍ମୀଧର ସାମଲଙ୍କୁ ସହରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ଯୋଗାଇ ଦିଆଯିବା ପାଇଁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି। ନିକଟରେ ରାଜସ୍ୱ ବିଭାଗର କର୍ମଚାରୀମାନେ ଘର ପରିଦର୍ଶନ କରି ଯାଇଥିବା କହିଛନ୍ତି ଲକ୍ଷ୍ମୀଧର। ତାଙ୍କୁ ସରକାରୀ ଘରଟିଏ ଯୋଗାଇ ଦେଲେ ଅନ୍ତତଃପକ୍ଷେ ବାର୍ଦ୍ଧକ୍ୟରେ ଦହଗଞ୍ଜରୁ ବଞ୍ଚିଯିବେ ବୋଲି ଗଣମାଧ୍ୟମ ଜରିଆରେ ଏନ.ଏ.ସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Comments are closed.