କଟକ ଜିଲାପାଳଙ୍କ ବାଙ୍କୀ ବନ୍ୟାଞ୍ଚଳ ପରିଦର୍ଶନ

ବାଙ୍କୀ : ରବିବାର ଅପରାହ୍ନରେ କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ ବାଙ୍କୀ ଗସ୍ତରେ ଆସି ଡମପଡା ବ୍ଲକ,ବାଙ୍କୀ ବ୍ଲକର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି ଜନସାଧାରଣ,ସ୍ଥାନୀୟ ପଞ୍ଚାୟତରାଜ ପ୍ରତିନିଧି ଏବଂ ଉପସ୍ଥିତ ସରକାରୀ ପଦାଧିକାରୀ ମାନଙ୍କ ସହ ବନ୍ୟା ପ୍ରଭାବ ସମ୍ପର୍କରେ ଆଲୋଚନା ଓ ଅନୁଧ୍ୟାନ କରିଛନ୍ତି। ପ୍ରଥମେ ଡମପଡା ବ୍ଲକ ଅନ୍ତର୍ଗତ ପାଥପୁର ପଞ୍ଚାୟତର ଜଳବନ୍ଦୀ ଗ୍ରାମ କଇଁମୁଣ୍ଡି ପରିଦର୍ଶନ ଓ ଅନୁଧ୍ୟାନ କରିଛନ୍ତି। ଜଳବନ୍ଦୀରେ ଥିବା ଗ୍ରାମବାସୀ ଓ ସ୍ଥାନୀୟ ଜନପ୍ରତିନିଧି କଇଁମୁଣ୍ଡି ଗ୍ରାମରେ ଥିବା ଅସମ୍ପୂର୍ଣ୍ଣ ଗ୍ରାମ ସଞ୍ଜୋଗୀ ପୋଲକୁ ସମ୍ପୂର୍ଣ୍ଣ କରିବା ପାଇଁ ଦୃଷ୍ଟି ଆକର୍ଷଣ କରିବା ସହିତ ବନ୍ୟା ଦ୍ୱାରା ଫସଲ ହାନୀ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ।

ପରେ ପରେ ବାଙ୍କୀ ବ୍ଲକରସୁବର୍ଣ୍ଣପୁର ପଞ୍ଚାୟତ ଅଧିନ ହୁଳୁହୁଳା ପୋଲ,ଘୋଡାବର ଏବଂ ଅଂଶୁପା ହ୍ରଦର ବନ୍ୟା ଜଳ ପ୍ରବଣ ଅଞ୍ଚଳ ବୁଲି ଦେଖିଥିଲେ। ସ୍ଥାନୀୟ ସରପଞ୍ଚ ତରୁଣ କୁମାର ମହାପାତ୍ର,ସମିତି ସଭ୍ୟ ବିଶ୍ୱ ରଞ୍ଜନ ପଣ୍ଡା ଓ ସ୍ଥାନୀୟ ବୁଦ୍ଧିଜିବୀ ଉପସ୍ଥିତ ରହି ଚଳିତ ବର୍ଷ ସରଣ୍ଡା ଅଞ୍ଚଳର ଦୁଃଖ କୁହାଯାଉଥିବା ହୁଳୁହୁଳା ପୋଲକୁ ଉଚ୍ଚା ଓ ପ୍ରଶସ୍ତି କରଣ କାର୍ଯ୍ୟ କରିବା ପାଇଁ ଦାବୀ ଜଣାଇଥିଲେ। ପରେ ପରେ ଶିମିଳିପୁର ପଞ୍ଚାୟତର ପାଣି ଘେରରେ ଥିବା ଶୁଖୁଆଖଳା ଗାଁ ଓ ଗୋପାଳପୁର ପଞ୍ଚାୟତର ନଦୀକୁଣ୍ଡା ଠାରେ ଉପସ୍ଥିତ ରହି ଲୋକମାନଙ୍କର ସ୍ଥିତି ଓ ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି। ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା,ବାଙ୍କୀ ବିଡିଓ ପ୍ରଭାତ କୁମାର ସାହୁ,ଡମପଡା ତହସିଲଦାର କ୍ଷୀତିସ ବେହେରା,ବାଙ୍କୀ ଭାରପ୍ରାପ୍ତ ତହସିଲ ଦାର ଦେବଦତ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଅପରାହ୍ନରେ ମହାନଦୀରେ ହୀରାକୁଦର ୪୦ଟି ଗେଟରେ ବନ୍ୟାଜଳ ପ୍ରବାହିତ ହୋଇ ମୁଣ୍ଡଳି ଠାରେ ୧୦ଲକ୍ଷ୨ହଜାର କ୍ୱୁସେକ୍‍ ଜଳ ନିସ୍କାସନ ହେଉଥିଲା ବେଳେ ବାଙ୍କୀ ଠାରେ ନଦୀର ଜଳ ବିପଦ ସଙ୍କେତଉପରେ ୮.୨୫ମିଟରରେ ପ୍ରବାହିତ ହେଉଥିବା ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଅଞ୍ଚଳବାସୀ ପାଣି ଘେରରେ ଥିବା ଚାଷ ଜମୀ,ପରିବା ଚାଷରେ କ୍ଷତି,ରାସ୍ତା ଘାଟ ବିଚ୍ଛିନ୍ନ,ପାନୀୟଜଳ ସଙ୍କଟ ଏବଂ ବିଚ୍ଛିନ୍ନ ଅଞ୍ଚଳକୁ କଣ୍ଟ୍ରିବୋଟ୍‍ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି।

Comments are closed.