ପଞ୍ଚାୟତର ସମସ୍ୟା ସମାଧାନ ଦାବିରେ ଆନ୍ଦୋଳନ ନିଷ୍ପତ୍ତି

କଳାପଥର(ବାଙ୍କୀ) : ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦ୍ୟେଶ୍ୱର ପଞ୍ଚାୟତରେ ଲାଗିରହିଥିବା ବହୁବିଧ ସମସ୍ୟାର ସମାଧାନ ପାଇଁ ଦାବି ଉଠିଛି। ସ୍ୱାସ୍ଥ୍ୟ, ଗମନାଗମନ, ଡାକସେବା, ଶିକ୍ଷା, ଜଳସେଚନ ଆଦି ଅନେକ ଗୁଡିଏ ସମସ୍ୟାରେ ପଞ୍ଚାୟତବାସୀ ସଢୁଥିବାବେଳେ ସରକାରୀ କଳର ଉଦାସୀନତା ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଏଥିନେଇ ସ୍ଥାନୀୟ ଏକ ସ୍ୱେଛାସେବୀ ଅଗ୍ରଣୀ ସଂଗଠନ ଦିଶା କ୍ଳବ ପକ୍ଷରୁ ଆୟୋଜିତ ଏକ ଖବରଦାତା ସମ୍ମୀଳନୀରେ ଅଭିଯୋଗ କରାଯାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ବିଭାଗୀୟ ଅଧିକାରୀମାନେ ଏହାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଦିଶା କ୍ଳବର ସମ୍ପାଦକ ଡଃ ସୁବିତ୍‍ କୁମାର ପଟ୍ଟନାୟକଙ୍କ ଦ୍ୱାରା ଆଦୃତ ଏକ ଖବରଦାତା ସମ୍ମିଳନୀରେ ଉପରୋକ୍ତ ଅଭିଯୋଗଗୁଡିକ କରାଯାଇ ସମାଧାନ ପାଇଁ ଦାବି କରାଯାଇଥିଲା। ଏଥିରେ ସ୍ଥାନୀୟ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବା ନପାଇ ଜନସାଧାରଣ କିପରି ହନ୍ତସନ୍ତ ହେଉଛନ୍ତି ତାହା ଉପରେ ଅଭିଯୋଗ କରାଯାଇଥିଲା। ଏଠାରେ ଥିବା ଡାକ୍ତରଖାନାରେ ଜଣେ ଆୟୁଷ ଓ ଜଣେ ୟେଲୋପାଥିକ ଡାକ୍ତରଙ୍କୁ ନିଯୁକ୍ତି ମିଳିଥିବାବେଳେ ସେମାନେ ନିୟମିତ ଆସୁନଥିବା ଅଭିଯୋଗ କରିଥିଲେ। ନିଜ ମନ ଇଛାରେ ଆସି ଦିନ ୧୨ଟା ପର୍ଯ୍ୟନ୍ତ ରହି ପଳାଇଯାଉଥିବାରୁ ଲୋକମାନେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଥିଲେ। ଏଠାରେ ଡାକ୍ତରଙ୍କ ରହିବାପାଇଁ ସମସ୍ତ ପ୍ରକାର ସୁବିଧା ରହିଥିବାବେଳେ ଡାକ୍ତର ରହୁନଥିବାରୁ ଲୋକମାନେ ହଇରାଣ ହରକତ ହେଉଛନ୍ତି। ଯାହାର ପ୍ରତିକାର ନିତ୍ୟାନ୍ତ ଆବଶ୍ୟକ।

ସେହିପରି ଏଠାରେ ବହୁଦିନରୁ ଡାକଘରଟି ଭଙ୍ଗା ଦଦରା ଘରେ ଥିବାବେଳେ ଡାକଘର ନିର୍ମାଣ ପାଇଁ ସରକାରୀ ଜାଗା ଥାଇ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ଥାୟୀ ଡାକଘରଟିଏ ନିର୍ମାଣ ହୋଇପାରିନାହିଁ। ଏଥିରେ ଗ୍ରାମବାସୀଙ୍କ ପକ୍ଷରୁୁ ସାଂସଦ ଭର୍ତ୍ତୁହରୀ ମହତାବଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଅନ୍ୟ ପକ୍ଷରେ ବୈଦ୍ୟେଶ୍ୱର-ବାଙ୍କୀ ଓ ବୈଦ୍ୟେଶ୍ୱର-କଳାପଥର ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିଲେହେଁ ଏହାର ମରାମତି ପ୍ରତି ଦୃଷ୍ଟି ଦିଆଯାଉନାହିଁ। ସେହିପରି ମହାନଦୀ କୂଳରେ ଅବସ୍ଥିତ ଏହି ଗାଁଟି ହୋଇଥିଲେ ହେଁ କୃଷି ଓ କୃଷକର ଉନ୍ନତିପାଇଁ ଆଜି ପର୍ଯ୍ୟନ୍ତ ଜଳସେଚନର ସୁବିଧା ହୋଇପାରିନାହିଁ। କୃଷି ପ୍ରାଧାନ୍ୟ ଏହି ଅଞ୍ଚଳର ଚାଷୀମାନେ ଜଳସେଚନର ସୁବିଧା ହେଲେ ଭଲ ଫସଲ ଉତ୍ପାଦନ କରିପାରନ୍ତେ। ଏହା ସହିତ ସ୍ୱାବଲମ୍ବୀ ହୋଇପାରନ୍ତେ। ଏଠାରେ ପୁରାତନ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରହିଛି। କିନ୍ତୁ ଆବଶ୍ୟକୀୟ ଶିକ୍ଷକ ନଥିବାରୁ ପାଠପଢା ବ୍ୟାହାତ ହେଉଛି। ପଶ୍ଚିମବାଙ୍କୀର ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ବୈଦ୍ୟେଶ୍ୱରର ସୁନାମ ରହିଛି। ଏଠାରେ ରାମନାଥ ଦେବ, ବୈଦ୍ୟନାଥଦେବ ଓ ମହାନଦୀର ମଧ୍ୟ ସ୍ଥଳରେ ସିଂହନାଥଦେବ ମନ୍ଦିର ରହିଥିବାବେଳେ ଏହାର ଉନ୍ନତିକରଣ ପାଇଁ ସରକାରୀ ଅବହେଳାକୁ ସେମାନେ ଦାବି କରିଥିଲେ। ତିନି ଠାକୁରଙ୍କୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଛି। ହେଲେ ବିଡମ୍ବନାର ବିଷୟ ଆଜି ପର୍ଯ୍ୟନ୍ତ ଏହାର ଉନ୍ନତିକରଣ ହୋଇପାରିନାହିଁ। ଅନ୍ୟପକ୍ଷରେ ରାମନାଥଙ୍କ ପାଦ ଦେଶରେ ଶହ ଶହ ବର୍ଷର ଏକ ଦୁର୍ଗା ମନ୍ଦିର ରହିଛି। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ପତ୍ନତତ୍ୱ ବିଭାଗ ନେଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଏହି ପିଠର ଉନ୍ନତିକରଣ ହୋଇପାରିନାହିଁ। ଏଥିନେଇ ଅସନ୍ତୋଷ ଦେଖାଦେଇଛି। ଏହି ବହୁବିଧ ସମସ୍ୟାର ସମାଧାନ ପାଇଁ ଦାବି ହୋଇଛି। ଏହି ଖବରଦାତା ସମ୍ମିଳନୀରେ ଦିଶା କ୍ଳବର ସଭାପତି ବିଶ୍ୱନାଥ ଦାସ, ସମ୍ପାଦକ ଡଃ ସୁବିତ୍‍ କୁମାର ପଟ୍ଟନାୟକ, ସାମ୍ବାଦିକ ରଞ୍ଜିତ କୁମାର ପଟ୍ଟନାୟକ, ପ୍ରଶନ୍ତ ପଲେଇ, ସମାଜସେବୀ ସମରେନ୍ଦ୍ର ଷଡଙ୍ଗୀ, ସୁବୋଧ କୁମାର ସାହୁ, ଶିକ୍ଷକ ପ୍ରେମାନନ୍ଦ ବେହେରା , ଜୟକୃଷ୍ଣ ସାହୁ,ସନ୍ତୋଷ କୁମାର ସାହୁ, ପ୍ରବାସୀ ସାହୁ, ସନ୍ତୋଷ ମଲ୍ଲୀକ, ପବିତ୍ରମୋହନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.