ବାଙ୍କୀ-ଡ଼ମପଡା ବ୍ଲକରେ ଅଧ୍ୟକ୍ଷ ନିର୍ବାଚନ, ବିଜେଡି ସମର୍ଥିତ ସୂର୍ଯ୍ୟ ପାତ୍ର ୯ଖଣ୍ଡ ଭୋଟରେ ବିଜୟୀ

ବାଙ୍କୀ :କଟକ ଜିଲ୍ଲା ବାଙ୍କୀ – ଡ଼ମପଡା ବ୍ଲକରେ ଆଜି ଅଧ୍ୟକ୍ଷ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଜେଡି ସମର୍ଥିତ ପ୍ରାର୍ଥୀ ସୂର୍ଯ୍ୟନାରାୟଣ ପାତ୍ର ବିଜୟୀ ହୋଇଛନ୍ତି । ପୂର୍ବରୁ ଏହି ବ୍ଲକରେ ଅଧ୍ୟକ୍ଷ ଭାବରେ ରହିଥିବା ଶଶାଙ୍କ ଶେଖର ସ୍ବାଇଁଙ୍କୁ ଅନାସ୍ଥା ଭୋଟରେ ବାହାର କରିଦିଆଯିବାପରେ ଏହି ଆସନଟି ଖାଲି ପଡିଥିଲା । ତେବେ ଶଶାଙ୍କ ଶେଖର ପୁନଶ୍ଚ ଏହି ଆସନ ପାଇଁ ପ୍ରତିଦ୍ୱନ୍ଦିତା କରିଥିଲେ । ତାଙ୍କୁ ମାତ୍ର ୫ ଖଣ୍ଡ ଭୋଟ ମିଳିଥିବାବେଳେ ବିଜୟୀ ସୂର୍ଯ୍ୟ ପାତ୍ରଙ୍କ ୯ ଖଣ୍ଡ ଭୋଟ ମିଳିଥିଲା ।

ଜଣାଯାଇଛି ଯେ , ଗତ ୨୦୧୭ ମସିହା ଫେବୃଆରୀ ମାସରେ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ବାଙ୍କୀ – ଡ଼ମପଡା ବ୍ଲକର ଅଧ୍ୟକ୍ଷ ଆସନ କଂଗ୍ରେସ ହାତକୁ ଯାଇଥିଲା । ଫଳରେ ଶିମିଳିପୁର ପଞ୍ଚାୟତର ସମିତି ସଭ୍ୟ ଶଶାଙ୍କ ଶେଖର ସ୍ୱାଇଁଙ୍କୁ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଭାବରେ ନିର୍ବାଚିତ କରାଯାଇଥିଲା । ପରେ ୯ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ୫ ଜଣ ସଭ୍ୟ ବିଜେଡି ଶିବିରରେ ମିଶିଯିବା ସହିତ ୩ ଜଣ ସରପଞ୍ଚ ମଧ୍ୟ ବିଜେଡିରେ ମିଶିଯାଇଥିଲେ । ଫଳରେ ଅଧକ୍ଷ ଥିବା ଶଶାଙ୍କ ସ୍ବାଇଁଙ୍କୁ ଅନାସ୍ଥା ଜରିଆରେ ହଟାଇ ଦିଆଯାଇଥିଲା । ଆଜି ପୁନଶ୍ଚ ଅଧକ୍ଷ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେଥିରେ ପୂର୍ବରୁ ପ୍ରତିଦ୍ୱନ୍ଦିତା କରିଥିବା ସୂର୍ଯ୍ୟନାରାୟଣ ପାତ୍ର ପୁନଶ୍ଚ ପ୍ରାର୍ଥୀ ହୋଇଥିଲେ । ସେହିପରି ଶଶାଙ୍କ ଶେଖର ସ୍ୱାଇଁ ମଧ୍ୟ ପ୍ରାର୍ଥୀ ହୋଇଥିଲେ । ଏଥିରେ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ୯ ଖଣ୍ଡ ଭୋଟ ମିଳିଥିବାବେଳେ ଶଶାଙ୍କଙ୍କୁ ମାତ୍ର ୫ ଖଣ୍ଡ ଭୋଟ ମିଳିଥିଲା । ୨ ଗୋଟି ଭୋଟ ନାକଚ ହୋଇଥିଲା । ଜଣେ ସଭ୍ୟ ଅନୁପସ୍ଥିତ ରହିଥିଲେ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବାଙ୍କୀ – ଡ଼ମପଡା ତହସିଲଦାର କ୍ଷିତିଶ କୁମାର ବେହେରା ନିର୍ବାଚନ ପର୍ଯ୍ୟବେକ୍ଷକ ଭାବରେ ଦାଇତ୍ଵରେ ଥିଲେ ।

Comments are closed.