ବାଙ୍କୀ ତହସିଲରେ ପ୍ରଥମ, ୭ ଘଣ୍ଟାରେ ମିଳିଲା ଜମି ପଟ୍ଟା

କଳାପଥର :ଜମି ବାଡି ବିକ୍ରି ଓ ଖର୍ଦ୍ଦି କରୁଥିବା ଲୋକ ମାନଙ୍କୁ ତହସିଲ ପକ୍ଷରୁ ୭ ଦିନ ମଧ୍ୟରେ ମାଲିକାନା ସତ୍ତ୍ୱା(ପଟ୍ଟା) ଦିଆଯିବାକୁ ସରକାର ନିର୍ଦ୍ଧେଶ ଦେଇଛନ୍ତି। ତେବେ ସରକାରଙ୍କ ଏହି ନିର୍ଦ୍ଧେଶକୁ ରାଜ୍ୟର ଅଧିକାଂଶ ତହସିଲ କାର୍ଯ୍ୟାଳୟରେ ସଠିକ ଭାବରେ କାର୍ଯ୍ୟକାରୀ କରାଯାଉନଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି। ବର୍ଷ ବର୍ଷଧରି ଲୋକମାନେ ତହସିଲ କାର୍ଯ୍ୟାଳୟକୁ ଧାଉଁଥିଲେ ହେଁ ,ସେମାନଙ୍କୁ ମାଲିକାନା ପ୍ରମାଣପତ୍ର ଦିଆଯିବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି। ବାଙ୍କୀରେ କିନ୍ତୁ ଆଜି ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା। ଗତ ମାସକ ତଳେ ଏଠାରେ ନିଯୁକ୍ତି ପାଇଥିବା ତହସିଲଦାର ଅଶ୍ୱୀନି କୁମାର ଭୁଇଁଆ ସରକାରଙ୍କ ୭ ଦିନର ନିର୍ଦ୍ଧେଶକୁ କାର୍ଯ୍ୟକାରୀ କରିବାକୁ ଯାଇ ମାତ୍ର ୭ ଘଣ୍ଟା ମଧ୍ୟରେ ଜୈନେକ ଜମି ଖର୍ଦ୍ଧି କରିଥିବା ବ୍ୟକ୍ତିଙ୍କୁ ତାଙ୍କର ମାଲିକାନା ପ୍ରମାଣପତ୍ର ପ୍ରଦାନ କରିବାରେ ସଫଳ ହୋଇଛନ୍ତି। ସ୍ଥାନୀୟ ଢଂଶର ପଞ୍ଚାୟତର ରାଧାଶ୍ୟାମ ବେହେରା ନାମକ ଜଣେ ବ୍ୟକ୍ତି ଜୈନେକ ବ୍ୟକ୍ତିଙ୍କ ଠାରୁ ଜମିବାଡି କ୍ରୟ କରିଥିଲେ। ସବରେଜିଷ୍ଟାରଙ୍କ କାର୍ଯ୍ୟାଳୟରେ ଉକ୍ତ ଜମି ରେଜେଷ୍ଟି ହେବାର ମାତ୍ର ୭ ଘଣ୍ଟା ସମୟ ମଧ୍ୟରେ କ୍ରେତା ରାଧାଶ୍ୟାମ ବେହେରା ସ୍ଥାୟୀ ମାଲିକାନା ପ୍ରମାଣପତ୍ର (ପଟ୍ଟା) ପ୍ରଦାନ କରିବାରେ ସଫଳ ହୋଇଛନ୍ତି। ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଓ ତହସିଲଦାର ଅଶ୍ୱନୀ କୁମାର ଭୁଇଁଆ ସଂମୃକ୍ତ କ୍ରେତାଙ୍କୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ କରିଥିଲେ। ଏହା ବାଙ୍କୀ ତହସିଲରେ ପ୍ରଥମ ଘଟଣା ହୋଇଛି।

Comments are closed.