ସ୍ତ୍ରୀ ମଲା : ୩ ଲକ୍ଷ ପାଇଁ ଏତଲା ବଦଳାଇଲେ ସ୍ବାମୀ

କଳାପଥର(ବାଙ୍କୀ): ବାଙ୍କୀ ଥାନା ଅନ୍ତର୍ଗତ ବରପୁଟ ପଞ୍ଚାୟତର ପାଥପୁର ଗାଁରେ ଶୁକ୍ରବାର ଅପରାହ୍ନରେ ଦୁଇ ପଡୋଶୀଙ୍କ ମଧ୍ୟରେ କଳହ ଉପୁଜି ଉଭୟେ ଠେଙ୍ଗାରେ ପିଟା ପିଟି ହୋଇଥିଲେ। ଫଳରେ ଘଟଣା ସ୍ଥଳରେ ଜଣେ ବିବାହିତା ମହିଳାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପ୍ରଥମେ ସ୍ବାମୀ ବାଙ୍କୀ ପୁଲିସ ନିକଟରେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ପରେ ଅନ୍ୟ ଏକ ଏତଲା ମାଧ୍ୟମରେ ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଛି ବୋଲି ଜଣାଇଥିଲେ। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ,  ମୃତ ମହିଳାଙ୍କ ସ୍ୱାମୀଙ୍କ ଠାରୁ ଅଭିଯୋଗ ପାଇବାପରେ ପୁଲିସ ଘଟଣା ସ୍ଥଳକୁ ଯାଇ ଶବକୁ ଜବତ କରି ବାଙ୍କୀ ଡାକ୍ତରଖାନାକୁ ଆଣିଥିଲା।  ପୁଲିସ ପକ୍ଷରୁ କାର୍ଯ୍ୟନୁଷ୍ଠାନ ଆରମ୍ଭ ହେବା ପରେ ଘଟଣାରେ ସମ୍ପୃକ୍ତ ବୋଲି କୁହାଯାଉଥିବା ପଡୋଶୀମାନେ ରାଜନୀତିୟାଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ ରାଜନୀତିଆମାନେ ଅଭିଯୋଗକାରୀ ମୃତ ମହିଳାଙ୍କ ସ୍ୱାମୀକୁ ଡାକିନେଇ ଗାଁ ମଣ୍ଡପରେ ଏକ ସଭା ବସାଇ ଚାପ ପ୍ରୟୋଗ କରିଥିଲେ। କୁହାଯାଉଛିଯେ, ଚାପରେ ଅଭିଯୋଗକାରୀ ସ୍ବାମୀ ନରମି ଯାଇଥିଲେ। ତାଙ୍କୁ କୁଆଡେ ୩ ଲକ୍ଷ ଟଙ୍କା ଦେବାକୁ କଥା ଛଣ୍ଡିଥିଲା। ଆସନ୍ତା ସୋମବାର ଦିନ ୩ ଲକ୍ଷ ଟଙ୍କା ଦେବାକୁ କଥା ଛିଣ୍ଡିବାପରେ ଅଭିଯୋଗକାରୀ କୁଆଡେ ବାଙ୍କୀ ଥାନାକୁ ଆସି ପୁନ୍ନଶ୍ଚ ଏକ ଏତଲା ମାଧ୍ୟମରେ ନିଜ ସ୍ତ୍ରୀ ଆତ୍ମହତ୍ୟା କରିଛି ବୋଲି ଜଣାଇଥିଲେ। ରାଜନୀତିଆଙ୍କ ଚାପରେ ପୁଲିସ ଚୁପା ହୋଇ ଏକ ଆତ୍ମହତ୍ୟା ମାମଲା କେସ ନମ୍ବର ୨/୨୦ରୁଜୁ କରି ଶବ ବ୍ୟବଛେଦ କରାଇଥିବା ଜଣାପଡ଼ିଛି।

Comments are closed.