ଆଜିଠୁ ଦୁଇଦିନ ବ୍ୟାଙ୍କ ବନ୍ଦ

ଭୁବନେଶ୍ବର: କେନ୍ଦ୍ର ସରକାର ଚଳିତ ଅଧିବେଶନରେ ବ୍ୟାଙ୍କିଙ୍ଗ ଆଇନ ସଂଶୋଧନ ବିଲ୍-୨୦୨୧ ସଂସଦରେ ଆଣିବାକୁ ଯାଉଛନ୍ତି। ଏହି ଆଇନ ଦ୍ବାରା ୨ଟି ସରକାରୀ ବ୍ୟାଙ୍କକୁ ଘରୋଇକରଣ କରିବା ସହଜ ହେବ। ତେଣୁ ବ୍ୟାଙ୍କିଙ୍ଗ ଆଇନ ସଂଶୋଧନ ବିଲ୍‌-୨୦୧୧କୁ ସର୍ବ ଭାରତରେ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ସଙ୍ଗଠନ ଗୁଡ଼ିକ ବିରୋଧ କରି ଆଜିଠାରୁ ଦୁଇଦିନ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛନ୍ତି। ୧୬ ଓ ୧୭ ତାରିଖରେ ସମସ୍ତ ସରକାରୀ ବ୍ୟାଙ୍କ ଶାଖା ସମ୍ମୁଖରେ କର୍ମଚାରୀ ଓ ଅଧିକାରୀମାନେ ବ୍ୟାଙ୍କକୁ ବନ୍ଦ କରି ଧର୍ମଘଟରେ ବସିବେ।

ଦେଶରେ ପ୍ରାୟ ୫୪ ହଜାର ବ୍ୟାଙ୍କ ଶାଖା ଏବଂ ରାଜ୍ୟର ପ୍ରାୟ ୫ ହଜାର ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଧର୍ମଘଟ ଦିଆଯିବ। ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ ବୋଲି ବୁଧବାର ୟୁନାଇଟେଡ଼ ଫୋରମ ଅଫ୍‌ ବ୍ୟାଙ୍କ ୟୁନିୟନ (ୟୁଏଫ୍‌ବିୟୁ) ଓଡ଼ିଶା ଶାଖା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ୟୁଏଫ୍‌ବିୟୁର ଆବାହକ ରଘୁନାଥ ପ୍ରସାଦ ଦାସ କହିଛନ୍ତି। ଏହି ଧର୍ମଘଟରେ ସାରା ଦେଶରେ ପ୍ରାୟ ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ଅଂଶଗ୍ରହଣ କରିବାକୁ ଥିବାବେଳେ ରାଜ୍ୟରୁ ପ୍ରାୟ ୨୫ ହଜାର କର୍ମଚାରୀ ଓ ଅଧିକାରୀ ବ୍ୟାଙ୍କ ଶାଖାରେ ଧର୍ମଘଟରେ ବସିବେ।

ସାମ୍ବାଦିକ ସମ୍ମିଳନୀରେ ବିଏଏଫଆଇର ସାଧାରଣ ସମ୍ପାଦକ ପ୍ରକାଶ ରାୟ, ଏଆଇବିଓଏର ରାଜ୍ୟ ସାଧାରଣ ସମ୍ପାଦକ ଅଜୟ ରାଉତରାୟ, ଏଆଇବିଓସିର ଦୁର୍ଗାପ୍ରସାଦ ମହାପାତ୍ର, ଏଆଇବିଓସିର ଅରୁଣ କୁମାର ବିଶୋଇ, ଏଆଇବିଇସିର ସଞ୍ଜୀବ ପତି ଉପସ୍ଥିତ ଥିଲେ। ଏହି ଦୁଇଦିନିଆ ବ୍ୟାଙ୍କ ଧର୍ମଘଟକୁ ସଫଳ କରିବା ପାଇଁ ବ୍ୟାଙ୍କ ଅଫିସର ସଂଘର ଉପଦେଷ୍ଟା ଦାମୋଦର ନନ୍ଦ ଆହ୍ବାନ ଦେଇଛନ୍ତି।

Comments are closed.