ଆଜି ବ୍ୟାଙ୍କ ଧର୍ମଘଟ

0

ଭୁବନେଶ୍ୱର : ତିନି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ଦେଶ ବ୍ୟାପୀ ବ୍ୟାଙ୍କ କର୍ମଚାରୀମାନେ ବୁଧବାର ଧର୍ମଘଟ କରିବାକୁ ଯାଉଛନ୍ତି। ୟୁନାଇଟେଡ୍‍ ଫୋରମ୍‍ ଅଫ୍‍ ବ୍ୟାଙ୍କ ୟୁନିଅନ୍ସ (ୟୁଏଫ୍‍ବିୟୁ)ର ଡାକରାରେ ବ୍ୟାଙ୍କ ଅଧିକାରୀ ଏବଂ କର୍ମଚାରୀମାନେ ଏହି ଧର୍ମଘଟରେ ସାମିଲ ହେବେ। ବ୍ୟାଙ୍କ ଅଫ୍‍ ବରୋଦା (ବିଓବି), ଦେନା ବ୍ୟାଙ୍କ ଏବଂ ବିଜୟା ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ ସଂଘ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି। ୧୦ ଲକ୍ଷରୁ ଅଧିକ ରାଷ୍ଟ୍ରାୟତ୍ତ ଏବଂ ଘରୋଇ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ଏହି ଧର୍ମଘଟରେ ସାମିଲ ହେବେ। ଗୋଟିଏ ସପ୍ତାହରୁ କମ୍‍ ସମୟ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ବ୍ୟାଙ୍କ ଧର୍ମଘଟ। ଚଳିତମାସ ୨୧ରେ ସର୍ବଭାରତୀୟ ବ୍ୟାଙ୍କ ଅଧିକାରୀ ମହାସଂଘ (ଏଆଇବିଓସି) ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ କରାଯାଇଥିଲା। ଏହି ଦିନିକିିଆ ଧର୍ମଘଟ ପ୍ରଭାବରେ ଦେଶରେ ଦୈନନ୍ଦିନ ବ୍ୟାଙ୍କିଙ୍ଗ କାରବାର ପ୍ରଭାବିତ ହେବ। ତେବେ ଧର୍ମଘଟ ଯୋଗୁ ଏଟିଏମ୍‍ କାରବାର ସ୍ୱାଭାବିକ ରହିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ପାଖାପାଖି ୧୨ ଘରୋଇ ବ୍ୟାଙ୍କର କର୍ମଚାରୀ ଏହି ଧର୍ମଘଟରେ ସାମିଲ ହେବେ। ଅତିରିକ୍ତ ଶ୍ରମ ଆୟୁକ୍ତଙ୍କ ସହ ସଂଘର ଦାବି ଉପରେ ହୋଇଥିବା ଆଲୋଚନା ବିଫଳ ହେବା ପରେ ଧର୍ମଘଟକୁ ଓହ୍ଲାଇଥିବା ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ(ଏଆଇବିଇଏ)ର ସାଧାରଣ ସମ୍ପାଦକ ସି.ଏଚ୍‍. ଭେଙ୍କଟଚ୍ଚଲମ୍‍ କହିଛନ୍ତି। ଏ ସମ୍ପର୍କରେ ୟୁଏଫ୍‍ବିୟୁର ରାଜ୍ୟ ଆବାହକ ସମ୍ବିତ ମିଶ୍ର କହିଛନ୍ତି ଯେ, ଆସନ୍ତାକାଲି ଆମେ ରାଜ୍ୟର ବିଭିନ୍ନ ସ୍ଥାନରେ ଆମର ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିବୁ। ଏହି ଧର୍ମଘଟରେ ରାଜ୍ୟର ୪୦,୦୦୦ରୁ ଅଧିକ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀ ସାମିଲ ହେବ। ଏଥିଯୋଗୁ ରାଜ୍ୟର ୫୦୦୦ ବ୍ୟାଙ୍କ ଶାଖା ବନ୍ଦ ରହିବ।

Leave A Reply