ତିନି ପ୍ରମୁଖ ବ୍ୟାଙ୍କର ମୁଖିଆଙ୍କୁ ନିଯୁକ୍ତି ଦେଲେ ସରକାର

- ଓଡ଼ିଆ ପୁଅ ଅତନୁ ହେଲେ ବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟ

ମୁମ୍ବାଇ: କେନ୍ଦ୍ର ସରକାର ଆଜି ତିନୋଟି ପ୍ରମୁଖ ବ୍ୟାଙ୍କ ବ୍ୟାଙ୍କ ଅଫ ବରୋଦା, ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ କାନାରା ବ୍ୟାଙ୍କର ମୁଖ୍ୟଙ୍କୁ ନିଯୁକ୍ତି ଦେଇଛନ୍ତି। ସେମାନେ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। କ୍ୟାବିନେଟ ନିଯୁକ୍ତିଦାତା କମିଟି ସଂଜୀବ ଚଢ଼ାଙ୍କୁ ବ୍ୟାଙ୍କ ଅଫ ବରୋଦାର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦେଇଥିବା ବେଳେ ଲିଙ୍ଗମ ଭେଙ୍କଟ ପ୍ରଭାକରଙ୍କୁ କାନାରା ବ୍ୟାଙ୍କ ଏବଂ ଅତନୁ କୁମାର ଦାସଙ୍କୁ ବ୍ୟାଙ୍କ ଅଫ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି।

ସଂଜୀବ ଚଢ଼ା ଏବେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏସବିଆଇ କ୍ୟାପିଟାଲ ମାର୍କେଟର ଉପ ପରିଚାଳନା ନିର୍ଦ୍ଦେଶକ ପଦରେ ଅଛନ୍ତି। ସେ ପି.ଏସ. ଜୟକୁମାରଙ୍କ ସ୍ଥାନରେ କାର୍ଯ୍ୟ କରିବେ। ଗତ ବର୍ଷ ଅକ୍ଟୋବରରେ ଏକ ବର୍ଷ ପାଇଁ ଜୟକୁମାରଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। କାନାରା ବ୍ୟାଙ୍କର ମୁଖ୍ୟ ଭାବେ ନିଯୁକ୍ତି ପାଇଥିବା ଲିଙ୍ଗମ ଭେଙ୍କଟ ପ୍ରଭାକର ପଞ୍ଜାବ ନେସନାଲ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିଲେ ଏବଂ ସେ ଚଳିତ ମାସ ଶେଷରେ ଅବସର ଗ୍ରହଣ କରୁଥିବା ଆର.ଏ. ଶଙ୍କର ନାରାୟଣଙ୍କ ସ୍ଥାନରେ କାର୍ଯ୍ୟ କରିବେ। ଅତନୁ କୁମାର ଦାସ ପୂର୍ବରୁ ବ୍ୟାଙ୍କ ଅଫ ଇଣ୍ଡିଆରେ ଏବେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ଓ ସେ ପଦୋନ୍ନତି ପାଇଁ ସେହି ବ୍ୟାଙ୍କର ମୁଖ୍ୟ ଭାବେ କାର୍ଯ୍ୟ କରିବେ। ଏହି ତିନୋଟି ବ୍ୟାଙ୍କ ମଧ୍ୟରୁ ବ୍ୟାଙ୍କ ଅଫ ବରୋଦା ସହ ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କ ମିଶ୍ରଣ ହୋଇଥିଲା ବେଳେ କାନାରା ବ୍ୟାଙ୍କ ସିଣ୍ଡିକେଟ ବ୍ୟାଙ୍କ ସହ ମିଶ୍ରଣ ପ୍ରକ୍ରିୟାରେ ରହିଛି। 

ତେବେ ଓଡ଼ିଆ ପୁଅ ଅତନୁଙ୍କୁ ବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟ ଦାୟିତ୍ୱ ମିଳିଛି। ଆପ୍ଲାଏଡ଼ ଇକୋନୋମିକ୍ସରେ ସ୍ନାତୋକୋତ୍ତର ଶିକ୍ଷା ଗ୍ରହଣ କରିଥିବା ଅତନୁ ଆଇଆଇଟି ଖଡ଼ଗପୁରରୁ ପିଏଚଡି ଡିଗ୍ରୀ ଲାଭ କରିଛନ୍ତି। ବ୍ୟାଙ୍କିଙ୍ଗ ତଥା ଯୋଜନା ନିର୍ଦ୍ଧାରଣ କ୍ଷେତ୍ରରେ ତାଙ୍କର ୨୩ ବର୍ଷର ଅଭିଜ୍ଞତା ରହିଛି।

Comments are closed.