ବ୍ୟାଙ୍କଗୁଡିକୁ ଅର୍ଥମନ୍ତ୍ରୀଙ୍କ ନିର୍ଦେଶ ୧୫ ସୁଦ୍ଧା ଋଣ ପୁନର୍ଗଠନ ଯୋଜନା କାର୍ଯ୍ୟକାରୀ କର

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଆର୍ଥିକ ଦୃଷ୍ଟିରୁ ବିଶେଷ ଭାବେ ପ୍ରଭାବିତ ହୋଇଥିବା କ୍ଷେତ୍ରଗୁଡିକୁ ଋଣ ଯୋଗାଇ ଦେବା ପାଇଁ ଯେଉଁ ଉପରୋକ୍ତ ଯୋଜନା ଓ କାର୍ଯ୍ୟସୂଚୀ ସରକାର ପ୍ରସ୍ତୁତ କରିଛନ୍ତି ତାହାକୁ କାର୍ଯ୍ୟକାରୀ କରିବା ଲାଗି ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କ ଏବଂ ଅଣବ୍ୟାଙ୍କିଙ୍ଗ୍‌ ଆର୍ଥିକ ପ୍ରତିଷ୍ଠାନ (ଏନ୍‌ବିଏଫ୍‌ସି)ଗୁଡିକୁ ନିର୍ଦେଶ ଦେଇଛନ୍ତି ା ପ୍ରଭାବିତ ହୋଇଥିବା କ୍ଷେତ୍ରଗୁଡିକୁ ଚଳିତମାସ ୧୫ ସୁଦ୍ଧା ଋଣ ପୁନର୍ଗଠନ ଯୋଜନା କାର୍ଯ୍ୟକାରୀ କରିବାକୁ ଅର୍ଥମନ୍ତ୍ରୀ କହିଛନ୍ତି।
ଆଜି ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭିଡିଓ କନ୍‌ଫରେନ୍ସିଂ ବୈଠକରେ ଜରୁରୀକାଳୀନ ଋଣ ଗ୍ୟାରେଣ୍ଟି ଯୋଜନା (ଇସିଏଲ୍‌ଜିଏସ୍‌), ଆଂଶିକ ଋଣ ଗ୍ୟାରେଣ୍ଟି ଯୋଜନା (ପିସିଜିଏସ୍‌-୨.୦) ଏବଂ ସବ୍‌ଅର୍ଡିନେଟ୍‌ ଋଣ ଯୋଜନା ଆଦିର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରାଯାଇଛି। ସେ କହିଥିଲେ ଯେ, ଋଣ ଫେରସ୍ତ ସଂକ୍ରାନ୍ତ ରହିତାଦେଶ ଉଠିବା ମାତ୍ରେ ଋଣକାରୀଙ୍କୁ ତୁରନ୍ତ କରୋନା ସହାୟତା କାର୍ଯ୍ୟକ୍ରମରେ ଆବଶ୍ୟକ ଋଣ ସହାୟତା ଯୋଗାଇଦେବା ଉଚିତ। କରୋନା ମହାମାରୀ କାରଣରୁ ଯେଉଁ ଋଣ ଆଦାୟ ହୋଇପାରିନାହିଁ ତାହାକୁ ବିଚାରକୁ ନେଇ ପୁନଃଋଣ ଯୋଗାଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଅର୍ଥ ମନ୍ତ୍ରୀ କହିଛନ୍ତି ଯେ, ଋଣ ପ୍ରଦାନକାରୀ ବ୍ୟାଙ୍କ ଓ ବିତ୍ତୀୟ ଅନୁଷ୍ଠାନ ସମୂହ ଋଣ ପ୍ରସଙ୍ଗର ସମାଧାନ ପାଇଁ ବୋର୍ଡ ଦ୍ୱାରା ଅନୁମୋଦିତ ନୀତିକୁ କାର୍ଯ୍ୟକାରୀ କରିବା ଉଚିତ। ଏଥିରେ ଯୋଗ୍ୟ ଋଣକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଋଣ ଯୋଗାଇଦେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ସେହିଭଳି ସବୁ ଯଥାର୍ଥ ବ୍ୟବସାୟିକ ସଂସ୍ଥାକୁ ପୁନରୁଦ୍ଧାର କରିବା ପାଇଁ ଯଥା ସମ୍ଭବ ସରକାରୀ ନୀତି ଅନୁସାରେ ଋଣ ଯୋଗାଇ ଦେବାକୁ ସେ କହିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯେ ଚଳିତମାସ ୧୫ ସୁଦ୍ଧା ଏହି ଋଣ ପ୍ରଦାନ ଯୋଜନା କାର୍ଯ୍ୟକାରୀ ହେବା ଉଚିତ । ଏଥିପାଇଁ ନିରନ୍ତର ଭାବେ ଗଣମାଧ୍ୟମ ପ୍ରଚାର ଅଭିଯାନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଏହି ଋଣ ପ୍ରଦାନ ସଂକ୍ରାନ୍ତ ବିଭିନ୍ନ ପ୍ରକାର ପ୍ରଶ୍ନ ଉତ୍ତର ଓ ଅନ୍ୟାନ୍ୟ ତଥ୍ୟ ସଂପର୍କରେ ନିଜ ନିଜର ୱେବସାଇଟରେ ହିନ୍ଦୀ, ଇଂରାଜୀ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ତଥ୍ୟ ରଖିବାକୁ ସେ ସବୁ ବ୍ୟାଙ୍କ ଶାଖାକୁ ପରାମର୍ଶ ଦେଇଛନ୍ତି ।

ବୈଠକରେ ବ୍ୟାଙ୍କ ଓ ବିତ୍ତୀୟ ଅନୁଷ୍ଠାନର ମୁଖ୍ୟମାନେ କହିଥିଲେ ଯେ, ସରକାରଙ୍କ ଋଣ ଯୋଗାଣ ନୀତିକୁ କାର୍ଯ୍ୟକାରୀ କରିବାକୁ ସେମାନେ ପ୍ରସ୍ତୁତ ା ଋଣ ଚାହଁୁଥିବା ଉପଯୁକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ସହ ଯୋଗାଯୋଗ ଆରମ୍ଭ ହୋଇଛି ା ଋଣ ଯୋଗାଣ ପାଇଁ ରିଜର୍ଭ ବ୍ୟାଙ୍କ ଯେଉଁ ସମୟସୀମା ଧାର୍ଯ୍ୟ କରିଛନ୍ତି ତାହାକୁ କାର୍ଯ୍ୟକାରୀ କରାଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ତଫସିଲଭୁକ୍ତ ବ୍ୟବସାୟିକ ବ୍ୟାଙ୍କ ଏବଂ ଅର୍ଥଲଗାଣକାରୀ ସଂସ୍ଥାଗୁଡିକ ଯେପରି ଅର୍ଥାଭାବର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ରିଜର୍ଭ ବ୍ୟାଙ୍କ ସହିତ ଅର୍ଥ ମନ୍ତ୍ରାଳୟ ସମ୍ପର୍କରେ ରହିଛନ୍ତି ା ଅର୍ଥମନ୍ତ୍ରୀ ଏହି ଅବସରରେ ଇସିଏଲ୍‌ଜିଏସ୍‌, ପିସିଜିଏସ୍‌-୨.୦ ଏବଂ ସବ୍‌ର୍ଡିନେଟ ଡେଟ୍‌ ସ୍କିମ୍‌ ଯାହା ଆତ୍ମନିର୍ଭର ଭାରତ ଅଭିଯାନ ଯୋଜନାରେ ଘୋଷଣା କରାଯାଇଛି ତାହାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ।

Comments are closed.