ଦେଶରେ କାର୍ଯ୍ୟକ୍ଷମ ୧୨ ରାଷ୍ଟ୍ରାୟତ୍ତ ବ୍ୟାଙ୍କ

ମିଶ୍ରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ

ନୂଆଦିଲ୍ଲୀ : ଦେଶର ବ୍ୟାଙ୍କିଙ୍ଗ ଇତିହାସରେ ସବୁଠାରୁ ବଡ ମିଶ୍ରଣ ପ୍ରକ୍ରିୟା ବୁଧବାରଠାରୁ କାର୍ଯ୍ୟକାରୀ ହୋଇଛି। ଏହି ପ୍ରକ୍ରିୟାରେ ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ଘଟିଛି । ଏହା ପରବର୍ତ୍ତୀ ସମୟରେ ଦେଶରେ ମୋଟ ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ କାର୍ଯ୍ୟକ୍ଷମ ହୋଇଛି । କୋଭିଡ-୧୯ ସଂକ୍ରମଣ ପରିସ୍ଥିତିରେ ସରକାର ଏହି ମିଶ୍ରଣ ପ୍ରକ୍ରିୟା ଘୁଞ୍ଚାଇପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଉଥିବାବେଳେ ସରକାର କିନ୍ତୁ ନିଜ ନିଷ୍ପତ୍ତିରେ ଅଟଳ ରହି ବ୍ୟାଙ୍କ ମିଶ୍ରଣ ପ୍ରକ୍ରିୟାକୁ ଆଗେଇ ନେଇଛନ୍ତି । ଏହି ପ୍ରକ୍ରିୟାରେ ଏପ୍ରିଲ ପହିଲାରେ ଚାରିଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହିତ ୧୦ଟି ବ୍ୟାଙ୍କର ମିଶ୍ରଣ ଘଟିଛି । ପୂର୍ବରୁ ୨୦୧୯ ଅଗଷ୍ଟରେ କେନ୍ଦ୍ର ସରକାର ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କୁ ଚାରିଟି ବ୍ୟାଙ୍କ ସହିିତ ମିଶ୍ରଣ କରିବାକୁ ଘୋଷଣା କରିଥିଲେ। ଏହାଦ୍ୱାରା ୨୦୧୭ରେ ଦେଶରେ ମୋଟ ୨୭ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରହିଥିବାବେଳେ ଏବେ ସେହି ସଂଖ୍ୟା ୧୨କୁ ହ୍ରାସପାଇଛି।
ସରକାରଙ୍କ ଘୋଷଣା ମୁତାବକ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ (ଓବିସି) ଏବଂ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ସହିତ ମିଶ୍ରଣ କରାଯାଇଛି । ମିଶ୍ରଣ ପରେ ନବଗଠିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦେଶର ଦ୍ୱିତୀୟ ବୃହତ ବ୍ୟାଙ୍କ ଭାବେ ବିବେଚିତ ହେଉଛି। ଏହି ଅବସରରେ ପ୍ରକାଶକରି ପିଏନ୍‍ବିର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ମଲ୍ଲିକାର୍ଜୁନ ରାଓ କହିଛନ୍ତି ଯେ ଉଚ୍ଚ ମୂଲ୍ୟବୋଧ, ନୈତିକତା ଏବଂ ବିଶ୍ୱାସ ଉପରେ ଗଢିଉଠିଥିବା ଏହି ବ୍ୟାଙ୍କର ପରମ୍ପରା ତାହାର ଗ୍ରାହକଙ୍କୁ ବିବିଧ ଉତ୍ପାଦ ସହିତ ଅତିମାତ୍ରାରେ ବ୍ୟକ୍ତିଗତ ସେବା ଯୋଗାଇଦେବ। ସେହିଭଳି ସିଣ୍ଡିକେଟ ବ୍ୟାଙ୍କକୁ କାନାରା ବ୍ୟାଙ୍କ ସହିତ ମିଶ୍ରଣ କରାଯାଇଛି ଏବଂ ଏହା ଚତୁର୍ଥ ବୃହତ ରାଷ୍ଟ୍ରାୟତ ବ୍ୟାଙ୍କ ଭାବେ ଉଭା ହୋଇଛି । ଇଣ୍ଡିଆନ ବ୍ୟାଙ୍କକୁ ଆଲ୍ଲାହାବାଦ ବ୍ୟାଙ୍କ ସହିତ, ଆଲ୍ଲାହାବାଦ ବ୍ୟାଙ୍କକୁ ଇଣ୍ଡିଆନ ବ୍ୟାଙ୍କ ସହିତ, ଆନ୍ଧ୍ର ବ୍ୟାଙ୍କ ଏବଂ କର୍ପୋରେସନ ବ୍ୟାଙ୍କକୁ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ସହିତ ମିଶ୍ରଣ କରାଯାଇଛି । ଯେଉଁସବୁ ବ୍ୟାଙ୍କରେ ମିଶ୍ରଣ ଘଟିଛି, ପୂର୍ବ ବ୍ୟାଙ୍କର ଗ୍ରାହକ ଓ ଋଣ ଗ୍ରହୀତାମାନେ ନୂତନ ବ୍ୟାଙ୍କର ଗ୍ରାହକ ଭାବେ ଏପ୍ରିଲ ୧ରୁ ପରିଚିତ ହେବେ । ଏହାଦ୍ୱାରା ଏପ୍ରିଲ ୧ରୁ ଦେଶରେ ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ କାର୍ଯ୍ୟକାରୀ ହୋଇଛି। ସେଥିମଧ୍ୟରେ ୬ଟି ମିଶ୍ରଣ କରାଯାଇଥିବା ଏବଂ ଅନ୍ୟ ୬ଟି ସ୍ୱାଧୀନ ବ୍ୟାଙ୍କ । ମିଶ୍ରଣ କରାଯାଇଥିବା ୬ଟି ବ୍ୟାଙ୍କ ମଧ୍ୟରେ ଭାରତୀୟ ଷ୍ଟେଟବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, କାନାରା ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଇଣ୍ଡିଆନ ବ୍ୟାଙ୍କ ରହିଛି । ସେହିଭଳି ୬ଟି ସ୍ୱାଧୀନ ବ୍ୟାଙ୍କ ମଧ୍ୟରେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ ମହାରାଷ୍ଟ୍ର, ପଞ୍ଜାବ ଆଣ୍ଡ ସିନ୍ଦ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଆଦି ଅନ୍ୟତମ।
ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଏବଂ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ଏଣିକି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଶାଖା ଭାବେ କାର୍ଯ୍ୟ କରିବେ। ସେହିଭଳି ସିଣ୍ଡିକେଟ ବ୍ୟାଙ୍କ ଏପ୍ରିଲ ୧ରୁ କାନାରା ବ୍ୟାଙ୍କର ଶାଖା, ସମସ୍ତ ଆଲ୍ଲାହାବାଦ ବ୍ୟାଙ୍କ ଶାଖା ଏଣିକି ଇଣ୍ଡିଆନ ବ୍ୟାଙ୍କ ଶାଖା, ଆନ୍ଧ୍ର ବ୍ୟାଙ୍କ ଏବାଂ କର୍ପୋରେସନ ବ୍ୟାଙ୍କର ସମସ୍ତ ଶାଖା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ଶାଖା ଭାବେ କାର୍ଯ୍ୟ କରିବେ।

Comments are closed.