ଦିନ ଦ୍ୱିପ୍ରହରେ ବ୍ୟାଙ୍କ ଲୁଟ ଉଦ୍ୟମ ବିଫଳ, ପୁଲିସ ତଦନ୍ତ ଆରମ୍ଭ

ଫୁଲନଖରା: ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣଝରିଲୋଠାରେ ଥିବା ଶ୍ରୀଜଗନ୍ନାଥ କୃଷକ ସେବା ସମବାୟ ସମିତି ମିନି ବ୍ୟାଙ୍କରୁ ଲୁଟ ଉଦ୍ୟମ ବିଫଳ ହୋଇଛି। ବ୍ୟାଙ୍କରେ ଲୁଟ୍‌ ଉଦ୍ୟମ କରାଯିବା ଉଦ୍ୟମ ଅଭିଯୋଗ କରାଯିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣଝରିଲୋଠାରେ ଥିବା ଶ୍ରୀଜଗନ୍ନାଥ କୃଷକ ସେବା ସମବାୟ ସମିତି ମିନି ବ୍ୟାଙ୍କରୁ ଲୁଟ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଗୁରୁବାର ମଧ୍ୟାହ୍ନରେ କର୍ମଚାରୀମାନେ ଖାଇବାକୁ ଯାଇଥିବା ସୁଯୋଗ ନେଇ ଦୁଇ ଜଣ ଦୁର୍ବୁତ୍ତ ପ୍ରଥମେ ମୁଖ୍ୟ ଫାଟକ ତାଲା ଭାଙ୍ଗି ବ୍ୟାଙ୍କରେ ପ୍ରବେଶ କରିଥିଲେ। ପରିଚାଳନା ନିର୍ଦେଶକ ପ୍ରଣୟକୁମାର ଦାଶଙ୍କୁ ବନ୍ଦୁକ ଦେଖାଇ ଭୟଭୀତ କରିବା ସହିତ ବଟି ମାଗିଥିଲେ; ମାତ୍ର ଏଥିରେ ବିଫଳ ହେବାରୁ ବ୍ୟାଙ୍କ କାର୍ଯ୍ୟାଳୟ ମଧ୍ୟରେ ଥିବା କାଚ ଟେବୁଲ ଓ ଆସବାବପତ୍ର ଭଙ୍ଗାରୁଜା କରିବା ସହିତ କ୍ୟାସିୟରଙ୍କୁ ମଧ୍ୟ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ମାତ୍ର ସେହି ସମୟରେ ପାଟି ଶୁଣି ସ୍ଥାନୀୟ ଲୋକେ ଜମା ହୋଇଯିବାରୁ ଦୁର୍ବୁତ୍ତଦ୍ୱୟ ଫେରାର ହୋଇଯାଇଥିଲେ। ଏ ନେଇ ସଦର ଥାନାରେ ଅଭିଯୋଗ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହିତ ଦୁର୍ବୁର୍ତ୍ତଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।
ପୁଲିସ ସୂଚନା ଅନୁଯାୟୀ ମୁଖ୍ୟ ଅଭିଯୁକ୍ତ ଗତ ଦୁଇ ବର୍ଷ ପୂର୍ବେ କୁରୁଣ୍ଟି ଗ୍ରାମର ଜନୈକ ଠିକାଦାରଙ୍କୁ ଦାଦା ବଟି ମାଗିଥିଲା; ଏ ସଂକ୍ରାନ୍ତରେ ଅଭିଯୋଗ ହେବା ପରେ ପୁଲିସ ତା’କୁ ଗିରଫ କରିବାକୁ ଉଦ୍ୟମ କରିବା ସମୟରେ ସେ ପୁଲିସ ଗାଡ଼ି ଉପରକୁ ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ଏନକାଉଣ୍ଟର କରି ପୁଲିସ ତା’କୁ ଗିରଫ କରିବାରେ ସକ୍ଷମ ହୋଇଥିଲା।
ଆଜି ଏହି ଘଟଣାକୁ ନେଇ ବ୍ରାହ୍ମଣଝରିଲୋ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦୁବୁର୍ତ୍ତ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ସୁଧାଂଶୁଭୂଷଣ ଜେନା ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ୩ ବର୍ଷ ପୂର୍ବେ ବ୍ରାହ୍ମଣଝରିଲୋ ବଜାର ନିକଟରେ ଥିବା ସରକାରୀ ମଦ ଦୋକାନ ସମ୍ମୁଖରେ ସେହି ମଦ କାଉଣ୍ଟର ମାଲିକଙ୍କ ସାନ ଭାଇକୁ ଦୁର୍ବୁତ୍ତମାନେ ଗୁଳି କରି ହତ୍ୟା କରିଥିଲେ।

Comments are closed.