ଉଲ୍‌କାପିଣ୍ଡ ଆବିଷ୍କାର କଲେ ନବରଙ୍ଗପୁର ଛାତ୍ରୀ – ଦେଖନ୍ତୁ ଭିଡିଓ

ଆନ୍ତର୍ଜାତିକସ୍ତରରେ ସଫଳତା ପାଇବାରେ ପ୍ରଥମ ଓଡ଼ିଆ

କୋରାପୁଟ: ପୁଣିଥରେ ସୁବାସିତ କରିଛି ମାଳଭୂମିର ମଲ୍ଲି। ଆଉ ଜଣେ ପ୍ରତିଭା ଏହି ମାଟିକୁ ସମଗ୍ର ରାଜ୍ୟରେ ଗର୍ବିତ କରାଇଛନ୍ତି। ଓଡ଼ିଶାର ଏକମାତ୍ର ଛାତ୍ରୀ ଓ ପ୍ରଥମ ଓଡ଼ିଆ ଭାବେ ମହାକାଶ ଗବେଷଣା କ୍ଷେତ୍ରରେ ବିରଳ ସଫଳତା ହାସଲ କରିଛନ୍ତି ନବରଙ୍ଗପୁରର ଝିଅ ବନୀତା ଦାସ। ବନୀତା ଏବେ ଜବାହାର ନବୋଦୟ ବିଦ୍ୟାଳୟ, ଅନୁପୁର, ମଧ୍ୟପ୍ରଦଶରେ ଅଧ୍ୟୟନରତ। ଏହାପୂର୍ବରୁ ସେ ଜବାହାର ନବୋଦୟ ବିଦ୍ୟାଳୟ, ମାଲକାନଗିରିରେ ଅଧ୍ୟୟନ କରୁଥିଲେ। ବିଦ୍ୟାଳୟ ପିଲାଙ୍କ ଉଲ୍‍କାପିଣ୍ଡ ସନ୍ଧାନ କାର୍ଯ୍ୟକ୍ରମରେ ନବୋଦୟ ବିଦ୍ୟାଳୟ ପକ୍ଷରୁ ଭାଗ ନେଇ ଆନ୍ତର୍ଜାତିକସ୍ତରରେ ସେ ସଫଳତା ହାସଲ କରିଛନ୍ତି। ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଓ ଭାରତୀୟ ମହାକାଶ ଗବେଷଣା ସଂଗଠନ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ବନୀତାଙ୍କ ଏହି ଆବିଷ୍କାରକୁ ମହାକାଶ ସଂସ୍ଥା ନାସା ଓ ଅର୍ନ୍ତରାଷ୍ଟ୍ରୀୟ ଜୋତିର୍ବିଜ୍ଞାନ ପରିଷଦ ପରୀକ୍ଷା କରିବା ପରେ ଅନୁମୋଦନ କରିଥିଲେ। ସମଗ୍ର ବିଶ୍ୱରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ଏହି ଅଭିଯାନରେ ଅନେକ ଆର୍ନ୍ତଜାତିକ ବିଶ୍ୱବିଦ୍ୟାଳୟ ଏବଂ ହାୱାଇରେ ଥିବା ଟେଲିସ୍କୋପର ସଫ୍ଟୱେୟାର ଇମେଜ ମାଧ୍ୟମରେ ସେ ଉଲ୍‍କାପିଣ୍ଡ ଖୋଜି ବାହାର କରିବାରେ ସକ୍ଷମ ହୋଇପାରିଛନ୍ତି। ଏହାର ନାମକରଣ ତାଙ୍କ ନାମ ଅନୁସାରେ କରାଯିବ। ଏହି ଉଲ୍‍କାପିଣ୍ଡର ଗତିବିଧିକୁ ବିଶ୍ଳେଷଣ କରି ଆଗାମୀ ୬ବର୍ଷ ମଧ୍ୟରେ ଏହାର ଗତିପଥ ଜାଣି ହେବ ବୋଲି ଜଣାଯାଇଛି। ଏଥିପାଇଁ ମହାକାଶ ଗବେଷଣା ସଂସ୍ଥା ଗତ ଜାନୁଆରୀ ମାସରେ ତାଙ୍କୁ ଏକ କଠିନ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏପରି ମହାକାଶ ଗବେଷଣାରେ ସେ ପ୍ରଥମ ଓଡିଆ ଛାତ୍ରୀ। ଭବିଷ୍ୟତରେ ସେ ଜଣେ ମହାକାଶ ବିଜ୍ଞାନୀ ହେବାକୁ ଲକ୍ଷ୍ୟ ରଖିଛନ୍ତି।

Comments are closed.