ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ‘ବାଣୀଶ୍ରୀ’ରେ ମିଳିବ ୩ ମାସର ଛାତ୍ରବୃତ୍ତି

ଭୁବନେଶ୍ବର:ରାଜ୍ୟରେ କରୋନା ମହାମାରୀର ଗମ୍ଭୀର ପରିସ୍ଥିତି ସୃ‌ଷ୍ଟି ହୋଇଥିବାରୁ ଏହାକୁ ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ବର୍ଗଙ୍କୁ ସହାୟତା ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ବାଣୀଶ୍ରୀ ଯୋଜନାରେ ୩ମାସ ପାଇଁ ଛାତ୍ରବୃତ୍ତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ସବୁ ଜିଲାପାଳଙ୍କୁ ତୁରନ୍ତ ବାଣୀଶ୍ରୀ ଯୋଜନା ବାବଦରେ ତିନିମାସର ଛାତ୍ରବୃତ୍ତି ପ୍ରଦାନ କରିବାକୁ କୁହାଯାଇଛି। ବିଭାଗୀୟ ସଚିବ ଭାସ୍କର ଜ୍ୟୋତି ଶର୍ମା ସମସ୍ତ ଜିଲାପାଳମାନଙ୍କୁ ପତ୍ର ଲେଖି ସ୍ବତନ୍ତ୍ର କୋଭିଡ ସହାୟତା (ପ୍ୟାକେଜ) ଅଧୀନରେ ଛାତ୍ରବୃତ୍ତି ପ୍ରଦାନ କରିବା ଲାଗି ଦର୍ଶାଇଛନ୍ତି।

ସେ ଉଲ୍ଲେଖ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ‘ବାଣୀଶ୍ରୀ’ ଛାତ୍ର ବୃତ୍ତି ସହିତ ସ୍ବତନ୍ତ୍ର କରୋନା ପ୍ୟାକେଜ ପ୍ରଦାନ କରିବା ଲାଗି ଘୋଷଣା କରିଛନ୍ତି। ଏହି ସହାୟତା ଚଳିତ ବର୍ଷ ଲାଗି ବାଣୀଶ୍ରୀ ଛାତ୍ରବୃତ୍ତି ସହିତ ଗତ ଏପ୍ରିଲ, ମେ ଏବଂ ଜୁନ ମାସ ଲାଗି ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ। ଗତ ୨୦୨୦-୨୧ ବର୍ଷରେ ବାଣୀଶ୍ରୀ ଛାତ୍ରବୃତ୍ତି ପାଇଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଶ୍ରେଣୀକୁ ପଦୋନ୍ନତିକୁ ଦୃଷ୍ଟିରେ ରଖି ବର୍ତ୍ତମାନର ୨୦୨୧-୨୨ ବର୍ଷର ତିନିମାସ ପାଇଁ ଛାତ୍ରବୃତ୍ତି ମଞ୍ଜୁର କରାଯିବ। ସେହିଭଳି ବର୍ତ୍ତମାନର ବାଣୀଶ୍ରୀ ଛାତ୍ରବୃତ୍ତି ପାଇଁ ନୂତନ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କୁ ଏହି ତିନିମାସ ପାଇଁ ସ୍ୱତନ୍ତ୍ର କୋଭିଡ୍ ସହାୟତା ଭାବରେ ଛାତ୍ରବୃତ୍ତି ମଞ୍ଜୁର ଦିଆଯାଇ ପାରିବ ବୋଲି ଶ୍ରୀ ଶର୍ମା ଦର୍ଶାଇଛନ୍ତି।

Comments are closed.