ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା : ୧ମୃତ, ୧ ଗୁରୁତର

ବିନିକା : ବିନିକା-ରାମପୁର ମୁଖ୍ୟ ରାସ୍ତାର କମିରା ଛକ ନିକଟସ୍ଥ ମୁର୍‍ମୁରୀ ଯୋର ପୋଳରେ ବୁଧବାର ଏକ ବାଇକ ଭାରସାମ୍ୟ ହରାଇ ବାଡରେ ପିଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ପୋଲ ତଳକୁ ଖସି ପଡି ଗୁରୁତର ଆହତ ହୋଇଛନ୍ତି। ବାଇକରେ ଥିବା ଦୁଇଜଣ ଯୁବକ ହେଲେ ବରପଦର ଗ୍ରାମର ଗୋପିନାଥ ସେଠୀ ଏବଂ ବିରେନ୍‍ ସେଠୀ।

ସୁଚନା ଅନୁଯାୟୀ,  ଗୋପିନାଥ ଓ  ବିରେନ ଉଭୟେ ବାଇକ ଯୋଗେ ଖଇରମାଲ ହରିଶଙ୍କର ଶୈବପୀଠକୁ ମକର ସଂକ୍ରାନ୍ତୀ ଦେଖିବାକୁ ଯାଇଥିଲେ। ସେଠାରୁ ରାମପୁର ପଟକୁ ଯାଉଥିବା ବେଳେ ମୁଖ୍ୟରାସ୍ତାର କମିରା-ଭବାନୀପାଲି ମଝିରେ ଥିବା ମୁର୍‍ମୁରୀ ଯୋରରେ ତାଙ୍କ ବାଇକ୍‍ ଭାରସାମ୍ୟ ହରାଇ ପୋଲ ବାଡରେ ପିଟି ହୋଇଯାଇଥିଲେ। ଗୋପିନାଥ ପୋଲ ବାଡରେ ପିଟି ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡିଥିବା ବେଳେ ଅନ୍ୟ ଆହତ ଯୁବକ ବିରେନ ସେଠୀ ପୋଲ ତଳକୁ ଖସି ପଡି ଗୁରୁତର ଆହତ ହୋଇଥିଲେ। ଖବର ପାଇ ଘଟଣା ସ୍ଥଳରେ ରାମପୁର ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଆମ୍ବୁଲାନ୍ସ ଗାଡି ଘଟଣାସ୍ଥଳକୁ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ୨ ଗୁରୁତର ଆହତ ଯୁବକଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ଗୋପିନାଥକୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଆହତ ବିରେନ ସେଠୀକୁ ଚିକିତ୍ସା ପାଇଁ ବୁର୍ଲା ବଡ ଡାକ୍ତରଖାନାକୁ ପଠାଇଦେଇଥିବା ଜଣାପଡ଼ିଛି।

Comments are closed.