ବଙ୍ଗୋମୁଣ୍ଡା -ଟିଟିଲାଗଡ ୫୯ ନଂ ଜାତୀୟ ରାଜ୍ୟପଥ: ରାସ୍ତା ସଂକୀର୍ଣ୍ଣ ଯୋଗୁଁ ସମସ୍ୟା ଭୋଗୁଛନ୍ତି ପଥଚାରୀ

ବଙ୍ଗୋମୁଣ୍ଡା: ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା -ଟିଟିଲାଗଡ ୫୯ ନଂ ଜାତୀୟ ରାଜ୍ୟପଥ ପାଶ୍ୱର୍ର ବିଭିନ୍ନ ସ୍ଥାନରେ ଲଟାବୁଦା ଭର୍ତ୍ତି ହୋଇଥିବାରୁ ଅନେକ ସମୟରେ ପଥଚାରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବଙ୍ଗୋମୁଣ୍ଡା ଠାରୁ ଟିଟିଲାଗଡ ରାସ୍ତାର ଉଭୟ ପାଶ୍ୱର୍ରେ ଅନେକ ସ୍ଥାନରେ ଲଟାବୁଦା, ଘାସରେ ଭର୍ତ୍ତି ହୋଇଛ। ଲଟାବୁଦା ଯୋଗୁଁ ରାସ୍ତା ସଂକୀର୍ଣ୍ଣ ହୋଇପଡିଛି। ବ୍ୟସ୍ତ ବହୁଳ ଏହି ରାସ୍ତାରେ ଅନେକ ସମୟରେ ଭାରୀଯାନ ଚଳାଚଳ କରିଥାଏ। ଦୃତଗତିରେ ଯାନବାହାନ ଗୁଡିକ ଚଳାଚଳ କରୁଥିବାରୁ ରାସ୍ତାରେ ଯିବା ଆସିବା କରୁଥିବା ପଥଚାରୀ, ସାଇକେଲ ଚାଳକ ରାସ୍ତା ସଂକୀର୍ଣ୍ଣ ଯୋଗୁଁ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ନିର୍ମାଣ ପରେ ଉଭୟ ପାଶ୍ୱର୍ କୁ ସଫାସୁତୁରା, ମରାମତି କରିବା ପାଇଁ ଠିକାଦାରଙ୍କ ଦାୟିତ୍ୱ ରହିଥିବା ବେଳେ ଏଥିପ୍ରତି ଅବହେଳା କରାଯାଉଥିବା ଅଭିଯୋଗ ହେଉଛି। ଏହି ରାସ୍ତା ଦେଇ ଅଧିକାରୀ ମାନେ ମଧ୍ୟ ଯାତାୟତ କରୁଥିବା ବେଳେ ଏଥିପ୍ରତି ତାଙ୍କର ନିଘା ପଡିପାରୁନାହିଁ। ଲଟାବୁଦା, ଅଳିଆ ଆବର୍ଜନା ଭର୍ତ୍ତି ଯୋଗୁଁ ରାସ୍ତା ସଂକୀର୍ଣ୍ଣ ହେଉଥିବା ବେଳେ ପିଚୁ ରାସ୍ତା ଦେଇ ଦୃତ ଗତିରେ ଯାଉଥିବା ଗାଡିରେ ଦୁର୍ଘଟଣା ଗ୍ରସ୍ତ ହୋଇ ଅନେକ ପଥଚାରୀ ଆହତ ହେଉଥିବା ମଧ୍ୟ ନଜିର ଅଛି। ଏଭଳି ସ୍ଥିତି ରେ ପଥଚାରୀ, ସାଇକେଲ ଚାଳକଙ୍କ ଜୀବନ ପ୍ରତି ବିପଦ ରହିଛି। ରାସ୍ତାର ଉଭୟ ପାଶ୍ୱର୍ରେ ଘାସବୁଦାକୁ ସଫା କରିବା ସହ ରାସ୍ତା ପାଶ୍ୱର୍କୁ ମରାମତି କରିବା ପାଇଁ ଜନସାଧାରଣରେ ଦାବି ହେଉଛି। ଏଥିପ୍ରତି ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ଚେତାବନୀ ଦିଆଯାଇଛି।

Comments are closed.